ଚୋର ଧରିବା ପାଇଁ ଚୋର ଇନ୍‌ଫର୍ମର୍‌, ରାତିସାରା ପୁଲିସ‌ ଟିମ୍ ଅଟକ

ପର୍ଜଙ୍ଗ : ଚୋର୍‌ଙ୍କୁ ଧରିବା ପାଇଁ ଆଉ ଜଣେ ଚୋରକୁ ନିୟୋଜିତ କରିଥିଲା ପୁଲିସ‌। ଗୋଟେ ବାଇକ୍‌ ବି ଦେଇଥିଲା। ଏହା ଏବେ ପୁଲିସ‌ ପାଇଁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ ଅଟକ ବନ୍ଦୀରେ ରାତିସାରା ରହିବାକୁ ପଡ଼ିଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଖାଲପାଳ ଗାଁରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଖାଲପାଳ ଗାଁରେ କିଛିଦିନ ଧରି ଚୋରି ଲାଗିରହିଥିଲା। ଏଥିପାଇଁ ଗ୍ରାମବାସୀ ସତର୍କ ହୋଇ ରହିଥିଲେ। ଏହି ସମୟରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମବାସୀ ଅଟକାଇ ରଖିଥିଲେ। ଲୋ‌େକ ଯେତେବେଳେ ‘ଚୋର ଧରାପଡ଼ିଛି, ପୁଲିସ‌କୁ ଡାକ’ ବୋଲି କହିଲେ, ସେତେବେଳେ ସନ୍ଦିଗ୍ଧ ଯୁବକଜଣକ ‘ତୁମେ କ’ଣ ପୁଲିସ‌ ଡାକୁଛ, ମୁଁ ଡାକୁଛି ପାଞ୍ଚ ମିନିଟ୍‌ରେ ଆସି ପହଞ୍ଚିବ’ ବୋଲି ପାଲଟା ଧମକ ଦେଇଥିଲା। ସତକୁ ସତ ପୁଲିସ‌ ଭ୍ୟାନ୍‌ ୧୦ ମିନିଟ୍‌ ମଧୢରେ ଗାଁରେ ଆସି ପହଞ୍ଚି ଯାଇଥିଲା।

ଏହାଦେଖି ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସାଧାରଣ ଲୋକେ ଅସୁବିଧାରେ ପଡ଼ିଲେ ପୁଲିସ‌ ଘଣ୍ଟା ଘଣ୍ଟା ଧରି ଆସୁ ନଥିଲାବେଳେ ଗୋଟିଏ ଚୋର ଫୋନ୍‌ କରିବାର ମାତ୍ର ୧୦ ମିନିଟ୍‌େର, ପୁଣି ରାତିଅଧରେ ଆସି ପହଞ୍ଚିଯାଉଥିବାରୁ ଲୋକେ ପାଟିତୁଣ୍ଡ ଆରମ୍ଭ କରି ଦେଇଥିଲେ। ଉତ୍ତ୍ୟକ୍ତ ଲୋକେ ପୁଲିସ‌ ଭ୍ୟାନ୍‌ ସହ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଥିଲେ। ପୁଲିସ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସକାଳ ହେଲେ ଏହାର ସମାଧାନ ହେବ ବୋଲି କହି ଗ୍ରାମବାସୀ ପୁଲିସ ଟିମ୍‌ ସହ ଉକ୍ତ ସନ୍ଦିଗ୍ଧ ଯୁବକକୁ ଅଟକାଇ ରଖିଥିଲେ।

ପରେ ପୁଲିସ‌ ସ୍ବୀକାର କରିଥିଲା ଯେ, ସନ୍ଦିଗ୍ଧ ଯୁବକ ହେଉଛନ୍ତି ପ୍ରଭାକର ଜେଠୀ, ଓରଫ ପାଣୁ। ପୂର୍ବରୁ ଅନେକ ଚୋରି ଡକାୟତି ମାମଲାେର ସେ ବହୁବାର ଜେଲ୍‌ ଯାଇଛନ୍ତି। ନିକଟରେ କେତେକ ଲୁଟେରାଙ୍କୁ ଧରାଇବାରେ ସେ ପୁଲିସକୁ ସହଯୋଗ କରିଛି। ଏଥିଲାଗି ପୁଲିସ‌ ତାକୁ ଏକ ବାଇକ୍‌ ବି ଦେଇଛି।

ଏକଥା ଜାଣିବା ପରେ ସନ୍ଦିଗ୍ଧ ଯୁବକ ଓ ପୁଲିସ‌ଙ୍କୁ ଲୋକମାନେ ଛାଡ଼ିଦେଇଥିଲେ। ତେବେ, ଏହି ଘଟଣା ପର୍ଜଙ୍ଗ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର