ଅନ୍ଧାରରେ ଏବେ ବି ଶହେ ଗାଁ

କଟକ : ‘ଫନି’ କୁ ମାସେ ପୂରିଲା। ହେଲେ ଆଜି ପର୍ଯ୍ୟନ୍ତି ସରି ପାରିଲାନି କ୍ଷୟକ୍ଷତିର ଆକଳନ। ନିଆଳି ବ୍ଲକ୍‌ର ଶତାଧିକ ଗାଁ ଏବେ ବି ଅନ୍ଧାରରେ ଥିବା ବେଳେ ଭାଙ୍ଗି ଯାଇଥିବା ଘରକୁ ଉଠାଇ ପାରି ନାହାନ୍ତି ବହୁସଂଖ୍ୟକ ଗରିବ ପରିବାର। କାଳେ ଭଙ୍ଗା ଘରକୁ ସଜାଡି ଦେଲେ ପ୍ରଶାସନର କ୍ଷୟକ୍ଷତି ତାଲିକାରୁ ନାଁ ବାଦ୍‌ ପଡ଼ିଯିବା ଭୟରେ ଭଙ୍ଗା ଘରକୁ ନ ସଜାଡ଼ି ଅପେକ୍ଷା କରି ବସିଛନ୍ତି ବହୁସଂଖ୍ୟକ ଲୋକ। ଚାରିହଜାର ପାନବରଜ ଓ ହେକ୍ଟର ହେକ୍ଟର ମୁଗ, ବିରି ଓ ନଡିଆ ଚ‌ାଷ ଉଜୁଡି ଯାଇଛି। ଫନିଠାରୁ ବଳି ଯାଇଛି ଖରା ସାଙ୍ଗକୁ ଜଳ ଯନ୍ତ୍ରଣା। ବିଜୁଳି ନ ଥିବା ଗାଁଗୁଡ଼ିକ କେବେ ବିଜୁଳି ସଂଯୋଗ ପାଇବେ ତା’ର କିଛି ନିର୍ଦିଷ୍ଟ ସମୟ ମିଳି ପାରୁନି। ସେସୁର ପ୍ରତିଶ୍ରୁତିକୁ ଲୋକେ ବିଶ୍ବାସ କରି ପାରୁ ନଥିବାରୁ ବିଭିନ୍ନ ସ୍ଥାନରେ ଚାଲିଛି ରାସ୍ତାରୋକ। ମାସକ ପରେ ବି ପ୍ରଶାସନ ନିରବ ରହିବା ଲୋକଙ୍କ ଅସନ୍ତୋଷ ବଢ଼ାଇ ଚାଲିଛି। ‘ଫନି’ ଦ୍ବାରା କଟକ ଜିଲ୍ଲାର ନିଆଳି ଓ କଣ୍ଟାପଡା ବ୍ଳକ୍‌ ସର୍ବାଧିକ ପ୍ରଭାବିତ ହୋଇଥିଲା। ହଜାର ହଜାର ଦ୍ରୁବ ଉପୁଡ଼ି ମାଟିରେ ଲୋଟିଥିଲା। ହଜାର ହଜାର ଘର, ପାନବରଜ, କୁକୁଡା ଚାଷ ଉଜୁଡି ଯାଇଥିଲା। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ୍‌ ସେବା। ଏହି ଦୁଇ ବ୍ଲକ୍‌ରେ ୪ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ, ଅଢେଇ ଶହ ବିଦ୍ୟୁତ୍‌ ସବ୍‌-ଷ୍ଟେସନ ସଂପୂର୍ଣ୍ଣ ମାଟିରେ ମିଶି ଯାଇଥିଲା ଓ ଗ୍ରୀଡ଼୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ମାସଟିଏ ବିତିଥିଲେ ବି ଏଯାବତ୍‌ କଣ୍ଟାପଡା ଓ ନିଆଳି ବ୍ଳକ୍‌ର ଦୁଇ ଶହରୁ ଅଧିକ ଗାଁ ଭିତରୁ ଶତକଡ଼ା ୫୦ଭାଗ ଗାଁକୁ ବିଜୁଳି ସଂଯୋଗ କରାଯାଇ ପାରିଛି। ଅନ୍ୟ ଶତାଧିକ ଗ୍ରାମର ବାସିନ୍ଦା ‌ଏବେ ବି ଅନ୍ଧାରରେ ରହିଛନ୍ତି। ଦେବୀକନ୍ଦଳ ଦ୍ବୀପାଞ୍ଜଳ ‌ସମେତ ୨୨ମୌଜାର ଅଧିକାଂଶ ଗାଁ ଏବେ ବି ଅନ୍ଧାରରେ। ବିଜୁଳି ନ ଥିବାରୁ ଲୋକଙ୍କୁ ପାନୀୟଜଳ ମିଳି ପାରୁ ନାହିଁ। ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଟ୍ୟାଙ୍କର ଯୋଗେ ପ୍ରଶାସନ ବିଭିନ୍ନ ଗାଁରେ ପାଣି ଯୋଗାଇ ଦେଉଥିଲେ ବି ତାହା ଲୋକଙ୍କୁ ଅଣ୍ଟୁନି। ସବୁ ଅଞ୍ଚଳକୁ ଟ୍ୟାଙ୍କର୍‌ ଯାଇ ପାରୁ ନ ଥିବାରୁ ଲୋକେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର