ଦଶପଲ୍ଲା : ବର୍ଷ ପରେ ବର୍ଷ ବିତି ଚାଲିଛି। ହେଲେ ନିର୍ମାଣ ହୋଇ ପାରୁନି ପକ୍କା ସଡ଼କଟିଏ। ଜନସାଧାରଣ ଦୈନନ୍ଦିନ ଜୀବନରେ ଯାତାୟାତ କରିବା ହେଉ କି ଛାତ୍ରଛାତ୍ରୀ ପାଠପଢ଼ାଠାରୁ ଆରମ୍ଭ କରି ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପର୍ଯ୍ୟନ୍ତ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି ବଣ ଜଙ୍ଗଲ ତଥା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଗ୍ରାମବାସୀ। ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତର ଗୋପାଳପୁରଠାରୁ ଗଣିଆ ବ୍ଲକ୍ର ବଡ଼ମୂଳକୁ ସଂଯୋଗ କରୁଥିବା ପ୍ରାୟ ୨୫ କିମି ରାସ୍ତା ମଧ୍ୟରୁ ବଡ଼ସିଲିଙ୍ଗାଠାରୁ ଟାକରା ପର୍ଯ୍ୟନ୍ତ ୧୧ କିମି ରାସ୍ତାର ଦୂରବସ୍ଥାକୁ ନେଇ ଏହି ଦୁଇ ବ୍ଲକ୍ର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଗ୍ରାମର ଜନସାଧାରଣଙ୍କ ଯାତାୟାତ ଏକ ପ୍ରକାର ଠପ୍ ହୋଇ ପଡ଼ିଛି। ଗୋଟିଏ ପାର୍ଶ୍ବରେ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ ଏହି ବାଇଶିପଲ୍ଲୀ ଅଭୟାରଣ୍ୟର କଟକଣା ଯାତାୟାତ ଏବଂ ବିକାଶର ପ୍ରତିବନ୍ଧକ ହୋଇଥିବା ବେଳେ ବନ ବିଭାଗ (ଟେରିଟୋରିଆଲ୍) ଅଧୀନରେ ଥିବା ଏହି ରାସ୍ତା ବିଭାଗୀୟ କର୍ମଚାରୀଙ୍କ ପାଇଁ ଭାତହାଣ୍ତି ପାଲଟିଛି।
ସୂଚନାଯୋଗ୍ୟ, ଏହି ରାସ୍ତା ଉପରେ ଗୋପାଳପୁର, ରଥିପୁର, ଚିଲିପଥର, ମକରପ୍ରସାଦ, ନେକରଗଣ୍ତା, ପେହେଲାଜୁ, ଗେରେଗେଡ଼ି, ଢିପିସାହି, ଶଗଡ଼ଭଙ୍ଗା, ପୁରୁଣାପାଣି, ଗୋଛାବାରୀ, ଯାନକାଝୋଲା, ସେରେଣ୍ତା, ଡମାଘାଟି, ବେଦାଡ଼ି, ତୁଡ଼ୁଙ୍ଗି, ଗୁରିଆପାଜୁ ଏବଂ ଭାଲିଆପଦର ପ୍ରଭୃତି ୪୦ ରୁ ଊର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀ ନିର୍ଭର କରିଥାନ୍ତି। ଦୈନିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବ୍ୟବସାୟ କରିବା ସହ ବ୍ଲକ୍, ପଞ୍ଚାୟତ, ତହସିଲ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଭୃତି ସ୍ଥାନକୁ ଯାତାୟାତ କରିବା ଓ ଛାତ୍ରଛାତ୍ରୀମାନେ ଏହି ଘଞ୍ଚ ଜଙ୍ଗଲ ତଥା ଅଭୟାରଣ୍ୟ ମଧ୍ୟ ଦେଇ ଦୂରଦୂରାନ୍ତରକୁ ପାଠପଢିବା ପାଇଁ ଆସିଥାନ୍ତି। ଏସବୁ ଗ୍ରାମଗୁଡ଼ିକ ମୁଖ୍ୟତଃ ବଣ ପାହାଡ଼ ମଧ୍ୟରେ ଅବସ୍ଥିତ ଥିବା ବେଳେ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛି। କେଉଁ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି ତ ପୁଣି କେଉଁଠି ଶିକ୍ଷା ଓ ବିଦ୍ୟୁତ୍ ସମସ୍ୟା। ହେଲେ ବି ଏସବୁ ଗ୍ରାମ ପାଇଁ ଗମନାଗମନ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି। ବିଭିନ୍ନ ସମୟରେ ହିଂସ୍ର ଜନ୍ତୁଙ୍କ ଭୟ ରହିଥିବା ବେଳେ ମାଓବାଦୀଙ୍କ ଚଳପ୍ରଚଳ ସାଙ୍ଗକୁ ଆଡ଼ା ଜମିଥାଏ। ଏ ପଟେ କିନ୍ତୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ବନ୍ୟପ୍ରାଣୀ ବିଭାଗ ଡମାଘାଟି, ବେଦାଡ଼ି ଏବଂ ତୁଡ଼ୁଙ୍ଗି ଗ୍ରାମର ଜନସାଧାରଣଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ଯୋଜନା ଚଳାଇଛି। ଏହି ଅଭୟାରଣ୍ୟ ମଧ୍ୟରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ବନ୍ୟପ୍ରାଣୀ ବିଭାଗର କଟକଣା ବିକାଶର ପ୍ରତିରୋଧ କରୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।
ଅଭୟାରଣ୍ୟର ବିଭିନ୍ନ କଟକଣା ଫଳରେ ଅଂଚଳବାସୀଙ୍କ ବିକାଶ ହୋଇ ପାରୁନଥିବା ବେଳେ ଏହାକୁ ବିରୋଧ କରି ବିଭିନ୍ନ ସମୟରେ ମାଓବାଦୀମାନେ ହିଂସ୍ର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି, ଯାହାକି ଏହି ଅଭୟାରଣ୍ୟ ମଧ୍ୟରେ ବନ୍ୟପ୍ରାଣୀ ବିଭାଗକୁ ମାଓବାଦୀମାନେ ବିରୋଧ କରି ଆସୁଛନ୍ତି। ମୁଖ୍ୟତଃ ବଡ଼ସିଲିଙ୍ଗାଠାରୁ ଟାକରା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଜନସାଧାରଣଙ୍କ ଯାତାୟାତ ଠପ୍ ହୋଇ ପଡ଼ିଛି। ଅଧିକାଂଶ ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ର, ଶିକ୍ଷା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଟାକରା ଉପରେ ନିର୍ଭର କରି ଆସୁଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଏସବୁ ରାସ୍ତା ଜଙ୍ଗଲ ବିଭାଗ ଅଧୀନରେ ରହୁଥିବା ବେଳେ ତାହା ନିର୍ମାଣ କରାଯାଉ ନାହିଁ। ବିଭିନ୍ନ ସମୟରେ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବା ବେଳେ ଅଳ୍ପ କିଛି ମାଟି ଓ ମୋରମ୍ ପକାଇ ତାକୁ କର୍ମଚାରୀମାନେ ଚଳୁ କରିଦେଉଥିବା ଅଭିଯୋଗ ହେଉଛି। କିନ୍ତୁ ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ବାଣିଗୋଛା (ପଶ୍ଚିମ) ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ କହିବା ଅନୁଯାୟୀ ଏସବୁ ଅଂଚଳରେ ଥିବା ଜଙ୍ଗଲ କେବଳ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ବେଳେ ରାସ୍ତାଟି ବନବିଭାଗ (ଟେରିଟୋରିଆଲ୍) ଅଧୀନରେ ଥିବା କହିଛନ୍ତି। ଏ ନେଇ ଦଶପଲ୍ଲା ଓ ଗଣିଆ ବନାଞ୍ଚଳ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ରାସ୍ତା ଉଭୟ ବନାଞ୍ଚଳ ଅଧୀନରେ ରହିଛି। ବିଭିନ୍ନ ସମୟରେ ଯେଉଁ ଅର୍ଥ ଆସୁଛି ସେଥିରେ ଏହା ମରାମତି କରାଯାଉଛି। ଗ୍ରାମବାସୀ ଅଭିଯୋଗ କଲେ ଉପରିସ୍ଥ ଅଧିକାରୀ ଏହି ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି। ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।