ବିକାଶଠୁ ଯୋଜନ ଦୂରରେ ଆମ୍ବଖାଲ, ଗୋପିଆପଲ୍ଲୀ ଗ୍ରାମ : ବର୍ଷା ଦିନେ କାଠ ପୋଲ ଭରସା

ପକ୍କା ରାସ୍ତା, ଅଙ୍ଗନବାଡ଼ି କେନ୍ଦ୍ର ନାହିଁ

ପୋଲସରା : ସ୍ବାଧୀନତାକୁ ପୂରିଲାଣି ୭୨ବର୍ଷ। ହେଲେ ବିକାଶ ଯେମିତି ଏଠାରେ ସାତସପନ । ନା ଅଛି ଭଲ ରାସ୍ତା, ନା ମିଳୁଛି ଉନ୍ନତ ସ୍ବାସ୍ଥ୍ୟସେବା। ରାସ୍ତା କହିଲେ ନଦୀର କାଠ ପୋଲ ଭରସା। ଖାଲି ସେତିକି ନୁହେଁ, ପାନୀୟ ଜଳଯୋଗାଣ ଓ ଶିକ୍ଷା ବ୍ୟବସ୍ଥା କଥା ନକହିବା ଭଲ। ଏଭଳି ୨ଟି ଗାଁ ହେଉଛି, ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ର ଗୋପିଆପଲ୍ଲୀ ଓ ଆମ୍ବଖାଲ। ଆଦିବାସୀ ଅଧ୍ୟୁଷିତ ଏହି ଦୁଇ ଗାଁଠାରୁ ବିକାଶ ଯେମିତି ଯୋଜନ ଦୂରରେ। ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ ଏଠି କାହାର ପାଦ ପଡ଼େନି। କେବଳ ପଞ୍ଚାୟତ ନିର୍ବାଚନ ବେଳେ ନେତା ମୁଣ୍ତ ପୋତି ଭୋଟ ମାଗିବା ପରେ ଫେରିଯାଆନ୍ତି।

ମାଳତେନ୍ତୁଳିଆ ଗ୍ରାମପଞ୍ଚାୟତ ଅଧୀନରେ ରହିଛି ମାଳତେନ୍ତୁଳିଆ, ଖଜୁରିଆ, ହଂସରାଳି, ଆମ୍ବଖାଲ, ଗୋପିଆପଲ୍ଲୀ, ନୂଆତେନ୍ତୁଳିଆ ଗାଁ। ୨୦୧୧ ଜନଗଣନା ଅନୁସାରେ, ପଞ୍ଚାୟତର ମୋଟ ଜନସଂଖ୍ୟା ୪ହଜାର ୭୫୬ ଓ ଘର ସଂଖ୍ୟା ୭୦୯। ୧୨ଟି ୱାର୍ଡରେ ୨ହଜାର ୩୫୪ ପୁରୁଷ ଓ ୨ହଜାର ୩୯୨ ଜଣ ମହିଳା। ମାଳତେନ୍ତୁଳିଆ ପଞ୍ଚାୟତ ଅଧୀନରେ ଥିବା ରେକର୍ଡରୁ ଜଣାପଡ଼ିଛି, ଆମ୍ବଖାଲ ଓ ଗୋପିଆପଲ୍ଲୀ ଗ୍ରାମ ୮ ନମ୍ବର ୱାର୍ଡରେ ରହିଛି। ୧୫ ବର୍ଷ ତଳେ ଏହି ଆଦିବାସୀମାନେ ଭାବରଡ଼ା ପଞ୍ଚାୟତ ଅଧୀନରେ ଥିଲେ। କିନ୍ତୁ ବର୍ତ୍ତମାନ ଦୁଇ ଗାଁ ମାଳତେନ୍ତୁଳିଆ ପଞ୍ଚାୟତ ଅଧୀନରେ ରହିଛି। ଗୋପିଆପଲ୍ଲୀ ଯିବାକୁ ହେଲେ, ମାଳତେନ୍ତୁଳିଆଠାରୁ ଦୂରତା ସ‌ାଢେ ୪ କିଲୋମିଟର ପଡ଼ିଥାଏ। ହେଲେ ଭାବରଡ଼ାଠାରୁ ଏହି ଗ୍ରାମର ଦୂରତା ୨ କିଲୋମିଟର। ପାଖାପାଖି ରହିଥିବା ଗୋପିଆପଲ୍ଲୀ ଓ ଆମ୍ବଖାଲ ଗ୍ରାମକୁ ଭଲ ରାସ୍ତା ନଥିବାରୁ ସେମାନେ ଧନେଇ ନଦୀ ପାର ହୋଇଥାନ୍ତି। ଆଉ ବର୍ଷା ଦିନେ ନିଜ ଉଦ୍ୟମରେ ନଦୀ ଉପରେ କାଠପୋଲ ତିଆରି କରି ଯାତାୟାତ କରିଥାନ୍ତି। ‌ଏହା ଉପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଯିବା ଆସିବା କରିବା ସହ ରୋଗୀଙ୍କୁ ବି ନିଆଯାଇଥାଏ। କିନ୍ତୁ ‌କ୍ଷୋଭର ବିଷୟ ହେଉଛି, ଦୁଇ ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇପାରିନି କି, ନଦୀ ଉପରେ ସ୍ଥାୟୀ ପୋଲ ତିଆରି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି।

ସେହିପରି ଉଭୟ ଗ୍ରାମରେ ୪୫ ପରିବାର ରହୁଥିବା ଜନସଂଖ୍ୟା ହେଉଛନ୍ତି ୧୫୨। କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାଙ୍କୁ ପ୍ରାକ୍ ଶିକ୍ଷା ମିଳୁନି। ସ୍ବାସ୍ଥ୍ୟକର୍ମୀ ବି ଗାଁକୁ ଯାଇପାରୁ ନ ଥିବାରୁ ଗର୍ଭବତୀ ଉଚିତ ଚିକିତ୍ସା ପାଇପାରୁନାହାନ୍ତି। ଅନ୍ୟପକ୍ଷରେ ୪ କିଲୋମିଟର ଚାଲି ଦୁଇ ଗାଁର ଲୋକେ ପଞ୍ଚାୟତ ସଦରମହକୁମାରୁ ରାସନ ସାମଗ୍ରୀ ଆଣୁଛନ୍ତି। ମନରେଗା ‌ଯୋଜନାରେ ବି ସେମାନଙ୍କୁ କାମ ମିଳି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୌଚାଳୟ କାମ ବି ଅତି ନିମ୍ନମାନର ‌ହୋଇଛି।

ମାଳତେନ୍ତୁଳିଆଠାରୁ ଗୋପିଆପଲ୍ଲୀ ଓ ଆମ୍ବଖାଲକୁ ପକ୍କା ରାସ୍ତା ଏବଂ ଆମ୍ବଖାଲରୁ ଜଗାପଲ୍ଲୀକୁ ପକ୍କା ରାସ୍ତା ନିର୍ମାଣ ସହ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ କରିବାକୁ ଗ୍ରାମର କୃଷ୍ଣ ଶବର, ଦ୍ରୌପଦୀ ଶବ, ଉଦୟ ଜାନି ପ୍ରମୁଖ ଦାବି କରିଛନ୍ତି।

ଏ ନେଇ ଆମେ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗତ ସପ୍ତାହରେ ସେ ଉଭୟ ଗ୍ରାମକୁ ପରିଦର୍ଶନ କରିଥିଲେ। ରାସ୍ତା ଓ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ବ୍ୟୟ ଅଟକଳ ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ବ୍ଲକ୍‌ ପକ୍ଷରୁ ପର୍ଯ୍ୟାୟ କ୍ରମେ ଅର୍ଥ ଯୋଗାଇ ଦିଆଯାଇ ରାସ୍ତା ନିର୍ମାଣ ସହ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର