ଗାର୍ଗୀ ଶତପଥୀ
ସମ୍ବଲପୁର: ଲାଲ ପାଣି ପିଉଛନ୍ତି, ମଇଳା ପାଣିରେ ଗାଧୋଉଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ର ଖିଣ୍ଡା, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି, ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ବ୍ଲକ୍‌ର ଜରାବଗା ଏବଂ ବ୍ରଜରାଜନଗରର କୁଦୋପାଲି, ଲଜକୁରା ପ୍ରଭୃତି ଅଞ୍ଚଳର ଖଣିସଂଲଗ୍ନ ଗାଁଗୁଡ଼ିକର ଇଏ ହେଉଛି ନିଛକ ଚିତ୍ର। ହୁଏତ ସ୍ଥାନ ବଦଳିପାରେ, ଭୌଗୋଳିକ ସ୍ଥିତି ଭିନ୍ନ ହୋଇପାରେ, କିନ୍ତୁ ଖଣି ପାଖ ଗାଁରେ ଜଳଯୋଗାଣ ବ୍ୟବସ୍ଥା ଠିକ୍‌ ଏମିତି। ଯେଉଁଠି ଯେତେ ବେଶି ଖଣି, ସେହି ଅଞ୍ଚଳବାସୀ ସେତେ ତୃଷାର୍ତ୍ତ। ଏଥିପାଇଁ ଖଣିମାନଙ୍କ ପକ୍ଷରୁ ନିକଟସ୍ଥ ଗାଁଗୁଡ଼ିକରେ ପାଣି ଗାଡ଼ି ବ୍ୟବସ୍ଥା କରାଯାଉଛି। ମାତ୍ର ଏହା ଅଞ୍ଚଳବାସୀଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ। ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଳଯୋଗାଣ ବ୍ୟବସ୍ଥାର ଏମିତି କିଛି ଦୟନୀୟ ଚିତ୍ର ପଦାକୁ ଆସିଛି। 

Advertisment

ଝାରସୁଗୁଡ଼ା ଜିଲ୍ଲା କୁଦୋପାଲି ପଞ୍ଚାୟତ ଅନ୍ତର୍ଗତ ଗୌନ୍ତିଆପଡ଼ା। ସ୍ବଚ୍ଛଳ ଜନବସତି ଅଞ୍ଚଳ। ସେଠାରେ ରହୁଥିବା ପୂର୍ବତନ ଖଣି କର୍ମଚାରୀ ଭୁବନେଶ୍ବର କୁଅଁର ପିଇବା ପାଣି ଲାଗି ବ୍ୟବହାର କରୁଥିବା ଫିଲ୍‌ଟର୍‌କୁ ଏହି ପ୍ରତିନିଧିଙ୍କୁ ଦେଖାଇଥିଲେ। ଯେଉଁଠି ଜମି ରହିଥିଲା ମୋଟା ବହଳର ଲାଲ ଆସ୍ତରଣ। ପାଖରେ 
ଗୋଟିଏ ପାତ୍ରରେ ରଖାଯାଇଥିବା ପାଣି ମଧ୍ୟ ଲାଲ। ତାଙ୍କ ଘର ନଳକୂଅରୁ ହିଁ ଏଭଳି ପାଣି ଆସୁଛି। କେବଳ ତାଙ୍କ ନଳକୂଅ ନୁହେଁ, ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ନଳକୂଅଗୁଡ଼ିକରୁ ଲାଲ୍‌ ପାଣି ବାହାରୁଛି। ଏହି ଗାଁରୁ ମାତ୍ର କିଛି ମିଟର ବ୍ୟବଧାନରେ ଥିବା କୋଇଲା ଖଣି ବର୍ତ୍ତମାନ ଦୂରକୁ ଚାଲି ଯାଇଛି। କିନ୍ତୁ ସାଇଡିଂ ଏବେ ବି ରହିଛି। ଭୁବନେଶ୍ବର କହନ୍ତି, ସେ ରହୁଥିବା କୁଦୋପାଲିରେ ଗତବର୍ଷ ପଞ୍ଚାୟତ ପକ୍ଷରୁ ଜଳଯୋଗାଣ ବ୍ୟବସ୍ଥା ହୋଇଛି। କିନ୍ତୁ ତାଙ୍କ ପଡ଼ାକୁ ସପ୍ଲାଏ ପାଣି ପହଞ୍ଚି ନାହିଁ। ଯେଉଁଠି ବି ପଞ୍ଚାୟତ ପାଣି ଆସୁଛି ତାହା ମାତ୍ର ୧୦ରୁ ୧୫ ମିନିଟ୍ ପାଇଁ। ଯାହା ପଡ଼ାବାସୀଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ। ସମସ୍ତେ ନଳକୂଅର ଲାଲ ପାଣିକୁ ଫୁଟାଇ ପିଇବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ପଡ଼ାବାସୀ ଗାଁ ପୋଖରୀରେ ଗାଧୋଉଛନ୍ତି। ଯାହା ଅତି ଅପରିଷ୍କାର। ଏଠାରେ ଭୂତଳ ଜଳସ୍ତର ମଧ୍ୟ ବହୁ ତଳକୁ ଖସି ଯାଇଛି। ଆଉ ଏକ କୋଇଲା ଖଣି ପାଖ ଗାଁ ବେଲପାହାଡ଼ ବ୍ଲକ୍‌ ଜରାବଗାର ଗଉଡ଼ପଡ଼ାରେ କୂଅ, ପୋଖରୀ, ନଳକୂଅ ସବୁ ଶୁଖି ଯାଇଛି। ଏଠାରେ ଲୋକମାନେ କମ୍ପାନି ପକ୍ଷରୁ ଦିଆଯାଇଥିବା ପାଣିଗାଡ଼ି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଗୋଟିଏ ପୋଖରୀ ଅତିଶୟ ପ୍ରଦୂଷିତ ହୋଇଥିବାରୁ ଖଣି ପକ୍ଷରୁ ଆଉ ଏକ କୃତ୍ରିମ ପୋଖରୀ ଖୋଳାଯାଇଛି। କିରପିସା ଗାଁରେ ବି ନଳକୂଅରୁ ଲାଲ ପାଣି ବାହାରୁଛି। 

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍‌ର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସୁଧାରାଣୀ ରାଉତିଆଙ୍କ କହିବା ଅନୁସାରେ, ସେ ରହୁଥିବା ସିଆରମାଲ ଗାଁରେ ଧୂଳି ଏତେ ଅଧିକ ଯେ ସେଠାରେ ପାଣି, ପବନ ଆଉ କିଛି ବାକି ନାହିଁ। ସବୁ ପ୍ରଦୂଷିତ। ନଳକୂଅ ଓ କୂଅରୁ କେବଳ ଲାଲ ପାଣି ବାହାରୁଛି। ପୋଖରୀ ମଧ୍ୟ ଭୀଷଣ ପ୍ରଦୂଷିତ। ନିକଟରେ ଗାଁ ପୋଖରୀ ସଫା କଲାବେଳକୁ କେବଳ କୋଇଲା ଗୁଣ୍ଡ ବାହାରିଲା। ସେଥିରେ ପୁଣି ଏହି ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଜଳଯୋଗାଣ ବ୍ୟବସ୍ଥା ନାହିଁ। ପ୍ରଦୂଷିତ ପାଣି ବ୍ୟବହାର ଯୋଗୁଁ ଗାଁ ଲୋକେ ଚର୍ମ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଉଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ର ଖିଣ୍ଡା ଓ ତଲାବିରାରେ ପାଇପ୍‌ ଯୋଗେ ଯୋଗାଣ ହେଉଥିବା ପାଣି ବି ଲାଲ୍‌। ଏଠାରେ ପାଣିରେ ମାତ୍ରାଧିକ ଲୌହ ଥିବା ନେଇ ପରୀକ୍ଷଣରେ ଜଣାପଡ଼ିଥିଲା। ଗାଁରେ କୂଅ ଶୁଖି ଗଲାଣି, ପୋଖରୀ ଅପରିଷ୍କାର। ଏହି ଗାଁଗୁଡ଼ିକୁ ୪(୧) ଅନୁସାରେ ନୋଟିଫିକେସନ୍‌ ହୋଇଥିବାରୁ ପୋଖରୀ ସଫା ହେଉ ନାହିଁ। ଯାହାଫଳରେ ସ୍ଥିତି ଜଟିଳ ହୋଇଛି। କେବଳ ପାଣି ସଂଗ୍ରହ‌ ପାଇଁ ମହିଳାମାନଙ୍କର ଦିନକୁ ୪ରୁ ୫ ଘଣ୍ଟା ସମୟ ଯାଉଛି। ଖଣି ପକ୍ଷରୁ ପାଣି ଗାଡ଼ି ପଠାଯାଉଥିଲେ ମଧ୍ୟ ତାହା ନିୟମିତ ନୁହେଁ। ପାଣି ପାଇଁ ଗ୍ରାମବାସୀଙ୍କୁ ଖଣିର ଠିକା କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି।