ଯୋଜନା ଅପହଞ୍ଚ, ବିକାଶ ସାତସପନ: ୩ଟି ନାଳ ଡେଇଁ ୭ କିମି ଆସିଲେ ମିଳୁଛି ଭତ୍ତା-ରାସନ

ଦଶପଲ୍ଲା : ରାଜ୍ୟରେ କାର୍ଯ୍ୟକାରୀ ହେଉଛି ମାଳମାଳ ଯୋଜନା। ବିକାଶର ଦ୍ବାହୀ ଦେଇ ପିଟାଯାଉଛି ଡିଣ୍ତିମ। ହେଲେ ସ୍ବାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ଏଭଳି ଗାଁ ରହିଛି ଯେଉଁଠି ବିକାଶ ସାତସପନ ପାଲଟିଥିବା ବେଳେ ୩ଟି ନାଳ ଓ ୭ କିମି ବଣ ପାହାଡ଼ଘେରା ରାସ୍ତା ଅତିକ୍ରମ କଲେ ମିଳୁଛି ସରକାରୀ ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍‌ ଅଧୀନସ୍ଥ ନୂଆଗାଁ ପଞ୍ଚାୟତର ପୁଟୁଙ୍ଗି, ବଡ଼ ସିକରପଙ୍ଗା, ଟୁଇପଦର, ଶିରିଶାବାଡ଼ି, ଗେଣ୍ଡେଗେଣ୍ତା ଓ ଧୁନ୍ଦୁଗାଡ଼ିଆ ଭଳି ୧୦ରୁ ୧୨ଟି ଗ୍ରାମରେ।

ଦଶପଲ୍ଲା ବ୍ଲକ୍‌ଠାରୁ ଏସବୁ ଗ୍ରାମର ଦୂରତା ପ୍ରାୟ ୬୫ରୁ ୭୦ କିମି ଦୂର ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଦୂରତା ହେଉଛି ୧୦ରୁ ୧୫ କିମି। ଭାଲିଆଡିହି ପାହାଡ ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ମଧ୍ୟସ୍ଥଳରେ ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ, ବିଦ୍ୟୁତ୍ ଏବଂ ଗମନାଗମନ ଭଳି ସୁବିଧା ସୁଯୋଗ ଏମାନଙ୍କ ପାଇଁ ସାତସପନ ପାଲଟିଛି। ଅଧିକାଂଶ ଗ୍ରାମକୁ ନିତିଦିନିଆ ରାସ୍ତା ଖଣ୍ଡେ ନାହିଁ। ପଞ୍ଚାୟତ କାର୍ଯ୍ୟାଳୟଠାରୁ କେଉଁ ଗ୍ରାମର ଦୂରତା ୭ କିମି ତ ପୁଣି କେଉଁ ଗ୍ରାମ ୧୦ରୁ ୧୫ କିମି ଦୂର। ଭତ୍ତା କିମ୍ବା ରାସନ ସାମଗ୍ରୀ ହେଉ କି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବାକୁ ହେଲେ ନଦୀନାଳ ଓ ବଣ ଜଙ୍ଗଲ ଅତିକ୍ରମ କରିବାକୁ ପଡ଼ୁଛି। ଏସବୁ ଗ୍ରାମରେ ଶତାଧିକ ପରିବାର ପୁରୁଷ ପୁରୁଷ ଧରି ବସବାସ କରି ଆସୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅଧିକାଂଶ ପରିବାର ଆଦିବାସୀ ସମୁଦାୟର ହୋଇଥିବାରୁ ମକା, ବାଜରା, ମାଣ୍ତିଆ ଏବଂ ଧାନଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଏପରିକି ବିଭିନ୍ନ ଋତୁରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି।

ଏମାନଙ୍କ ଯାତାୟାତ ପାଇଁ ରାସ୍ତା ମୁଖ୍ୟ ପ୍ରତିବନ୍ଧକ ସାଜିଛି। କଳସା ଏବଂ ଠୁକେଇ ନାଳ ଭଳି ୩ଟି ବଡବଡ ନାଳ ଅତିକ୍ରମ କରି ଛାତ୍ରଛାତ୍ରୀମାନେ ପାଠପଢ଼ିଯିବାକୁ ହେଉ କି ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ସହ ଗ୍ରାମବାସୀ ନିତିଦିନ ଯାତାୟାତ କରିଥାନ୍ତି। ହେଲେ ବର୍ଷା ୪ ମାସ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ୁଛି। ପାନୀୟ ଜଳ କଥା ନ କହିବା ଭଲ। ଅନେକ ଗ୍ରାମରେ ନଳକୂପଟିଏ ନଥିବା ବେଳେ ପଥର କୂଅ ଓ ନାଳ ଉପରେ ଭରସା କରି ଚଳିବାକୁ ପଡ଼ୁଥିବା ପ୍ରକାଶ କରିଛନ୍ତି। ବଡ଼କଥା ହେଉଛି କୁନିକୁନି ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ଧୁନ୍ଦୁଗାଡ଼ିଆ ଗ୍ରାମରେ କିଛି ବର୍ଷ ତଳେ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଏହା ସୁରୁଖୁରୁରେ ଚାଲିଥିଲା। ହେଲେ ବିଭିନ୍ନ ଆଳ ଦେଖାଇ ଉକ୍ତ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ୫ କିମି ଦୂର ନାଳ ଡେଇଁ କାଣିପୋଖରୀ ଗ୍ରାମକୁ ପାଠପଢ଼ି ଆସିବାକୁ ପଡ଼ୁଛି। ଅନେକ ଗ୍ରାମରେ ବିଜୁଳି ଆଲୋକ ଅପହଞ୍ଚ ହୋଇ ରହିଛି। ଯେଉଁ ଗ୍ରାମକୁ ବିଦ୍ୟୁତ୍ ଆଲୋକ ଯାଇଛି ତାହା କେତେବେଳେ ଜଳୁଛି ତ ପୁଣି କେତେବେଳେ ନାହିଁ। ଏସବୁ ପରିବାର ପାଇଁ ପକ୍କାଘର ଖଣ୍ଡେ ସାତସପନ ପାଲଟିଛି। ଯଦି କାହାରିକୁ ଆବାସ ଯୋଜନାରେ ଘର ମିଳୁଛି, ରାସ୍ତା ନଥିବା ହେତୁ ଘର କରିବା ପାଇଁ ସମସ୍ୟା ଉପୁଜୁଛି।

ବର୍ଷ ପରେ ବର୍ଷ ବିତି ଚାଲିଥିବା ବେଳେ ଏସବୁ ଅଞ୍ଚଳବାସୀଙ୍କ କୌଣସି ବି ବିକାଶ ହୋଇ ପାରୁନାହିଁ। ଏପଟେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କ ପାଦ ପଡ଼ିନଥିବା ବେଳେ ବିଭିନ୍ନ ସମୟରେ ହିଂସ୍ରଜନ୍ତୁଙ୍କ ଭୟ ବି ରହୁଛି। ବର୍ଷ ବର୍ଷ ଧରି ଉପେକ୍ଷିତ ହୋଇ ରହୁଥିବା ଅନେକ ଆଦିବାସୀ ପରିବାର ପଡ଼ୋଶୀ ଗଞ୍ଜାମ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁଥିବା ପ୍ରକାଶ କରିଛନ୍ତି। ଶିରିଶାବାଡ଼ି, ପୁଟୁଙ୍ଗି ଏବଂ ବଡ଼ସିକରପଙ୍ଗା ପ୍ରଭୃତି ଗ୍ରାମର ଅନେକ ପରିବାର ଏବେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ହେଲେଣି। ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର