୪ ମାସର ରାସନ୍‌ ଦେଇ ନଥିଲେ ବୋଲି ଡିଲରଙ୍କୁ ୩ କିଲୋମିଟର ବାଟ ଚଲାଇଲେ

ସୋର: ଚାରିମାସ ଧରି ରାସନ ସାମଗ୍ରୀ ନ ପାଇବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ସଂପୃକ୍ତ ଡିଲରଙ୍କୁ ୩ କିମି ଚଲାଇ ଚଲାଇ ପଞ୍ଚାୟତକୁ ନେଇଛନ୍ତି ଏବଂ ବୈଠକ କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍କର ଜିଲ୍ଲା ସୋର ବ୍ଲକ୍ ମାଣିପୁର ପଞ୍ଚାୟତ ଖୁଣ୍ଟା ଅଞ୍ଚଳରେ। ଖୁଣ୍ଟା ଅଞ୍ଚଳର କଣ୍ଟ୍ରୋଲ୍‌ ଡିଲର ବିଜେନ୍ଦ୍ର ପ୍ରସାଦ ଦାସ ୪ ମାସ ହେବ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦେଇ ନ ଥିଲେ। ଯେତେ କହିଲେ ବି ସେ କିଛି ଶୁଣୁ ନ ଥିଲେ। ଏପରି ସମୟରେ ଆଜି ଖୁଣ୍ଟା ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ମାଣିପୁରକୁ ଯାଇଥିଲେ।

ଡିଲର ଶ୍ରୀ ଦାସଙ୍କୁ ଧରି ସେଠାରୁ ୩ କିମି ବାଟ ଚଲାଇ ଚଲାଇ ଖୁଣ୍ଟା ଗ୍ରାମକୁ ଆଣିଥିଲେ। ପରେ ସରପ‌ଞ୍ଚ ସରୋଜ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଏକ ସଭା ହୋଇଥିଲା। ସେଥିରେ ଶ୍ରୀ ଦାସ ୪ ମାସ ଧରି ରାସନ୍ ସାମଗ୍ରୀ ଦେଇ ନ ଥିବା ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ୪ ମାସର ରାସନ୍‌ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଗ୍ରାମବାସୀ ଡିଲରଙ୍କୁ ଛାଡ଼ିଥିଲେ। ବୈଠକରେ ୱାର୍ଡ ମେମ୍ବର ବନମାଳି ପରିଡ଼ା, ଖଗେଶ୍ବର ବେହେରା, ଧନେଶ୍ବର ଖିଲାର, କରୁଣାକର ରାଉତ, ବୈଦ୍ୟନାଥ ଜେନା ତଥା ଖୁଣ୍ଟା ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର