ନିର୍ଯାତିତ ପରିବାରଙ୍କୁ ୧୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ

୧୪ ଗୋପାଳ ପରିବାରଙ୍କୁ ବାସନ୍ଦ ସହ ନିର୍ଯାତନା ମାମଲାର ସମାଧାନରେ ଅବହେଳା, ପୁଲିସ ଓ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ନେଇ ବିରକ୍ତ ହେଲେ ମାନବାଧିକାର କମିସନ୍

ପୁରୀ : ବାରମ୍ବାର ଅଭିଯୋଗ ସତ୍ତ୍ବେ ବ୍ରହ୍ମଗିରି ଥାନା ବୁଢ଼ାକେରା ଗାଁର ୧୪ ଗୋପାଳ ପରିବାରଙ୍କୁ ସୁରକ୍ଷା ଦେବାରେ ଅବହେଳା ପୁରୀ ଜିଲ୍ଲା ପ୍ରଶାସନକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ୧୪ ଲକ୍ଷ ଟଙ୍କା ତଣ୍ଡ ଗଣିବାକୁ ଯାଉଛି। ରାଜ୍ୟ ମାନବାଧିକାର କମିସନ୍ ଏହି ଘଟଣାରେ ବିରକ୍ତି ଭାବ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ପ୍ରତି ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବାକୁ ନିର୍ଦେଶ ଦେଇଛନ୍ତି। ଗାଁରେ ଭାଇଚାରାର ବାତାବରଣ ଫେରାଇ ଆଣିବାକୁ ଆବଶ୍ୟକ ଉଦ୍ୟମ ସହ ଆବଶ୍ୟକ ସୁରକ୍ଷା ଯୋଗାଇ‌ ଦେବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ବୁଢ଼ାକେରା ଗାଁରେ ୨୬ ଗୋପାଳ ପରିବାର ବାପା-ଜେଜେବାପା ଅମଳରୁ ରହି ଆସୁଛନ୍ତି। ତେବେ ମଇଁଷିଗୋଠକୁ ନେଇ କିଛି ବର୍ଷ ହେବ ଏହି ଗାଁରେ ବିବାଦ ଲାଗି ରହିଛି। ଅଭିଯୋଗ ମୁତାବକ, ମଇଁଷି ଗୋଠଙ୍କ ପାଇଁ ଫସଲ କ୍ଷତି ହେଉଥିବା ଅଭିଯୋଗ କରି ଗାଁ ଲୋକେ ବହୁଦିନରୁ ଏହି ଗୋପାଳ ପରିବାରଙ୍କୁ ସେମାନଙ୍କ ଗାଈ ଓ ମଇଁଷି ବିକ୍ରି ପାଇଁ ବାଧ୍ୟ କରିଥିଲେ। ଏହାସହ ଫସଲ କ୍ଷୟକ୍ଷତି ବାବଦକୁ ଟଙ୍କା ଦେବାକୁ ବି ବାଧ୍ୟ କରୁଥିଲେ। ଗାଁ ଲୋକଙ୍କ ଚାପରେ ୧୨ ଗୋପାଳ ପରିବାର ସେମାନଙ୍କ ଗାଈଗୋରୁ, ମଇଁଷି ବିକ୍ରି କରି ଦେଇଛନ୍ତି। ବାକି ୧୪ ପରିବାର ସେମାନଙ୍କ ଗାଈ, ମଇଁଷିକୁ ବିକ୍ରି କରି ନ ଥିଲେ। ଏଥିପାଇଁ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଚାଷବାସ ପାଇଁ ଥିବା ଉଠା ଜଳସେଚନ ପ୍ରକଳ୍ପରୁ ସେମାନଙ୍କୁ ଜଳଯୋଗାଣ ବନ୍ଦ ରଖାଯାଇଛି। ବାସନ୍ଦ ଗୋପାଳ ପରିବାରମାନଙ୍କ ଅଭିଯୋଗ, ବୁଢ଼ାକେରାର ସବର୍ଣ୍ଣ ଲୋକେ ଗୋଚର ଭୂମିକୁ ଜବରଦଖଲ କରି ଏଠାରେ ଚାଷବାସ କରୁଛନ୍ତି। ଯେଉଁଥିପାଇଁ ଗାଈଗୋରୁ ଚରିବା ପାଇଁ ସ୍ଥାନାଭାବ ଦେଖାଦେଇଛି। ତଥାପି ଗାଈଗୋରୁ ବିକ୍ରି ନକରିବାରୁ ସେମାନଙ୍କୁ ନାନାଦି ନିର୍ଯାତନା ଦିଆଯାଉଛି। ମାରଧର କରାଯାଉଛି। ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି। ଏହି ଭୟରେ କିଛି ଗୋପାଳ ପରିବାର ଗାଁ ଛାଡ଼ି ଅନ୍ୟତ୍ର ରହୁଛନ୍ତି।

ଏ ସଂପର୍କରେ ୧୪ ଗୋପାଳ ପରିବାର ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ, ଏସପିଙ୍କୁ ବି ଅଭିଯୋଗ କରିଥିଲେ। କିନ୍ତୁ ‌କିଛି ନ୍ୟାୟ ମିଳିଲାନି। ଓଲଟା ନାନାଦି ଧମକ ଦିଆଗଲା। ଶେଷରେ ଏହି ପରିବାର ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜ୍ୟ ମାନବାଧିକାର କମିସନ୍ ଆରକ୍ଷୀ ଅଧୀକ୍ଷକଙ୍କୁ ଏ ଉପରେ ତଦନ୍ତ କରି ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଘଟଣାର ଯେପରି ସ୍ଥାୟୀ ପ୍ରତିକାର ହୋଇପାରିବ, ସେ ବ୍ୟବସ୍ଥା କରିବାକୁ ବି ଚିଠି କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି। ୧୪ ଗୋପାଳ ପରିବାର ଏବେ ବି ଭୟଭୀତ ଅବସ୍ଥାରେ ଜୀବନ କାଳାତିପାତ କରୁଛନ୍ତି। ରାଜ୍ୟ ମାନବାଧିକାର କମିସନ୍ ଏହି ଘଟଣାର ବିସ୍ତୃତ ଅନୁଧ୍ୟାନ ଓ ବିଚାର ପରେ ଜିଲ୍ଲା ପ୍ରଶାସନକୁ ୧୪ ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଗାଁରେ ଶାନ୍ତି ଫେରିବା ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଚାଷ ଜମି ଯେପରି ଜଳସେଚିତ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ବ୍ରହ୍ମଗିରି ଥାନାରେ ମାମଲା ରୁଜୁ କରିବା ସହ ନିୟମିତ ଗାଁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ ପାଇଁ କମିସନ କହିଛନ୍ତି। ଯେଉଁ ପରିବାରମାନେ ବାହାରେ ରହୁଛନ୍ତି ସେମାନେ କିପରି ସୁରକ୍ଷିତ ଗାଁକୁ ଫେରିବେ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର