ବୁର୍ଲା: ଆସନ୍ତା ଫେବ୍ରୁଆରି ୨୮ ତାରିଖ ଭିମ୍‌ସାର୍ ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ଅବସର ଗ୍ରହଣ କରିବେ। ଅର୍ଥାତ୍, ତାଙ୍କ ଅବସର ଗ୍ରହଣ ସମୟକୁ ଦୁଇ ସପ୍ତାହରୁ କମ୍‌ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ନିର୍ଦ୍ଦେଶକ ଚୟନ ପାଇଁ ନା’ ବିଜ୍ଞାପନ ଜାରି ନାହିଁ। ପ୍ରଫେସର ମେହେରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ। ପ୍ରଫେସର ମେହେର ଗତ ୨୦୨୦ ମସିହା ଜୁନ୍‌ ୩ ତାରିଖରେ ଭିମ୍‌ସାର୍ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ। ସରକାରୀ ନିୟମ ଅନୁଯାୟୀ ନିର୍ଦ୍ଦେଶକ ପଦର କାର୍ଯ୍ୟକାଳ ୩ ବର୍ଷ ହୋଇଥିବା ବେଳେ ବୟସ ସୀମା ଅନୁଯାୟୀ ଚଳିତ ମାସ ଶେଷରେ ସେ ଅବସର ଗ୍ରହଣ କରିବେ।

Advertisment

ଏଭଳି ସ୍ଥିତିରେ ପ୍ରଫେସର ମେହେରଙ୍କ ଅବସର ପରେ ନୂତନ ନିର୍ଦ୍ଦେଶକ ଭାବରେ କିଏ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶିତ ହୋଇ ନାହିଁ। ଯାହା ଫଳରେ ପଶ୍ଚିମ ଓଡ଼ିଶାର ଜୀବନ ରେଖା ବୁର୍ଲା ଭିମ୍‌ସାର୍‌ର ନିର୍ଦ୍ଦେଶକ ପଦବୀ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ଅଧିକାରୀ ଚୟନରେ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ନୂତନ ନିଯୁକ୍ତି ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶନରୁ ଆରମ୍ଭ କରି ଆବେଦନ ସାକ୍ଷାତକାର ଯାଏଁ ଏକ ଲମ୍ବା ପ୍ରକ୍ରିୟା ଆବଶ୍ୟକ ହୋଇଥାଏ। ଅପରପକ୍ଷରେ ପ୍ରଫେସର ମେହେର ଗତ ଫେବ୍ରୁଆରି ୨୨ ତାରିଖରେ ଓ ଅଗଷ୍ଟ ୨୧ ତାରିଖରେ ସ୍ୱଇଚ୍ଛାରେ ଅବସର ଗ୍ରହଣ (ଭିଆର୍‌ଏସ୍) ପାଇଁ ଅନୁରୋଧ କରିଥିଲେ। ମାତ୍ର, ସରକାର ଏହାକୁ ଗ୍ରହଣ କରାଯାଇ ନଥିଲା। ଫଳରେ ସେ ପୂର୍ବଭଳି ନିର୍ଦ୍ଦେଶକ କାର୍ଯ୍ୟ ତଳାଇଥିଲେ।