ଭିମ୍‌ସାର୍‌ରେ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର : ମିଳିଲାନି ମହାପ୍ରୟାଣ, ୧୩ ଘଣ୍ଟା ପଡ଼ିରହିଲା ଶିଶୁକନ୍ୟାର ଶବ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର୍‌)ରେ ପଡ଼ି ରହିଥିଲା ଶବ। ଅର୍ଥାଭାବରୁ ଅସହାୟ ବାପା, ମା ଘରକୁ ନେଇ ପାରିନଥିଲେ ୬ ଦିନର ଶିଶୁକନ୍ୟାର ମୃତଦେହ। ଜିଲ୍ଲା ବାହାର ହୋଇଥିବାରୁ ମହାପ୍ରୟାଣ ଗାଡ଼ି ବି ଶବ ନେବାକୁ ମନା କରିଦେଇଥିଲା। ୧୩ ଘଣ୍ଟା ଧରି ଶବ ପଡ଼ିରହିବା ପରେ ଡାକ୍ତରଙ୍କ ବଦାନ୍ୟତା ଯୋଗୁଁ ଶିଶୁକନ୍ୟାର ଶବ ନେଇ ପରିବାର ଲୋକେ ଘରକୁ ଫେରିପାରିଲେ। ଶୁକ୍ରବାର ବୁର୍ଲା ବଡ଼ ଡାକ୍ତରଖାନା ପରିସରରେ ଏହି ଘଟଣା ଘଟିଥିଲା। ସେହିପରି ଅନ୍ୟ ଏକ ଘଟଣାରେ ଜଣେ ବିଧବା ଅର୍ଥାଭାବରୁ ନିଜର ୩ ବର୍ଷର ଶିଶୁପୁତ୍ରର ଶବକୁ ଘରକୁ ନେଇ ପାରୁନଥିବାବେଳେ ଶେଷରେ ସୁନ୍ଦରଗଡ଼ ପ୍ରଶାସନ ପଠାଇଥିବା ଆମ୍ବୁଲାନ୍ସରେ ଘରକୁ ଫେରିଥିଲେ। ଏଭଳି ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଭିମ୍‌ସାର୍‌ରେ ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର ପ୍ରଦର୍ଶିତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୬ ତାରିଖରେ ରାଉରକେଲା ଲହୁଣୀପଡ଼ାର ଶାରଦା ନାଏକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। କିନ୍ତୁ ୨୭ ତାରିଖରେ ଶିଶୁଟିର ଶ୍ବାସକ୍ରିୟାରେ ଅସୁବିଧା ‌ହେବାରୁ ତାକୁ ରାଉରକେଲା ଡାକ୍ତରଖାନା ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ୧୧ଟାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶାରଦାଙ୍କ ନିକଟରେ ଘରକୁ ଫେରିବାକୁ ଟଙ୍କା ନଥିଲା। ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲା ବାହାର ଘଟଣା ହୋଇଥିବାରୁ ମହାପ୍ରୟାଣ ମଧ୍ୟ ଶବ ନେବାକୁ ମନା କରିଦେଇଥି‌ଲା। ଦୀର୍ଘ ୧୩ ଘଣ୍ଟା ଧରି ଡାକ୍ତରଖାନାର ଶିଶୁରୋଗ ବିଭାଗ ସମ୍ମୁଖରେ ଶିଶୁକନ୍ୟାର ଶବ ପଡ଼ିରହିଥିଲା। ଏନେଇ ସୂଚନା ପାଇ ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ଘଟଣାସ୍ଥଳରେ ପହଞ୍ଚି ନିଜ ଖର୍ଚ୍ଚରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗାଡ଼ କରି ଶିଶୁର ଶବକୁ ଘରକୁ ପଠାଇଥିଲେ।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାର ଏକ ବାପ ଛେଉଣ୍ଡ ଶିଶୁ ଅକ୍ଷୟ କୁମ୍ଭାର (୩ ବର୍ଷ)ଙ୍କର ନିମୋନିଆ ହୋଇ ମସ୍ତିଷ୍କ ସଂକ୍ରମଣ ହେବାରୁ ତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପ‌ରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ୩ଟା ସମୟ‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ଅକ୍ଷୟଙ୍କ ମା ଜଣେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ବୁର୍ଲାରୁ ଘରକୁ ଶବ ନେଇଯିବାକୁ ସେ ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରିଥିଲେ ସୁଦ୍ଧା ଗାଡ଼ି ମନା କରିଦେଇଥିଲା। ଅକ୍ଷୟଙ୍କ ମାଙ୍କ ନିକଟ‌ରେ ଟଙ୍କା ନଥିବାରୁ ସେ ଶବ ନେଇପାରିନଥିଲେ। ଏନେଇ ଅର୍ଚ୍ଚନା ନାମକ ଜଣେ ପାରା ଲିଗାଲ୍ ସ୍ବେଚ୍ଛାସେବୀ ପ୍ରଥମେ ସୁନ୍ଦରଗଡ଼ ‘ସମ୍ବାଦ ପ୍ରତିନିଧି ଡମ୍ବରୁଧର ନାୟକଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଶ୍ରୀ ନାୟକ ଏନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ। ଶେଷରେ ୫ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପଠାଇଥିବା ଆମ୍ବୁଲାନ୍ସ ଆସି ଅକ୍ଷୟଙ୍କ ଶବ ନେଇ ଯାଇଥିଲା।

ସମ୍ବନ୍ଧିତ ଖବର