ଭିମ୍‌ସାରର ଷଷ୍ଠ ଇବି ବୈଠକରେ ନିଷ୍ପତ୍ତିକୁ ୧୫ ମାସ ବିତିଲାଣି : ସ୍ଥାୟୀ ଡିନ୍‌, ଅଧୀକ୍ଷକ ଓ କୁଳସଚିବ ନିଯୁକ୍ତି ହେଲାନି

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ଦୀର୍ଘବର୍ଷ ହେବ ଡିନ୍, ଅଧୀକ୍ଷକ ଓ କୁଳସଚିବ ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି। ନିୟମାନୁସାରେ ଏହି ପଦବିରେ ରହୁଥିବା ଅଧିକାରୀମାନେ କୌଣସି ବିଭାଗ ମୁଖ୍ୟ ହୋବା କଥା ନୁହେଁ। ମାତ୍ର ଭିମ୍‌ସାର ଡିନ୍ ପ୍ରଫେସର ବି. ଏମ୍. ମିଶ୍ର ସର୍ଜରି ବିଭାଗ ମୁଖ୍ୟ ଓ ଅଧୀକ୍ଷକ ଡା. ଜୟଶ୍ରୀ ଦୋରା ଚକ୍ଷୁ ବିଭାଗ ମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି। ଯାହା ଏହି ନିୟମର ବିରୋଧାଚରଣ କରୁଛି। ଭିମ୍‌ସାରର ସ୍ଥାୟୀ ନିର୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଅସ୍ଥାୟୀ ନିର୍ଦେଶକ ଭାବେ ଦାୟିତ୍ବ ତୁଲାଉଥିବା ପ୍ରଫେସର ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୨୦୧୯ ମସିହା ମାର୍ଚ୍ଚ ମାସରେ ଭିମ୍‌ସାରର ଷଷ୍ଠ ଏକ୍ସଜୁକ୍ୟୁଟିଭ୍ ବଡି ମିଟିଂ ହୋଇଥିଲା। ଉକ୍ତ ବୈଠକରେ ଭିମ୍‌ସାରର ଆକ୍ଟ ଆଣ୍ଡ ଷ୍ଟାଚ୍ୟୁଟ୍ ହେବା ପରଠାରୁ ଖାଲି ପଡ଼ିଥିବା ଏହି ଡିନ୍, ଅଧୀକ୍ଷକ ଓ କୁଳସଚିବଙ୍କ ସ୍ଥାୟୀ ପଦ ତୁରନ୍ତ ପୂରଣ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହି ନିଷ୍ପତ୍ତିକୁ ଇତିମଧ୍ୟରେ ୧୫ ମାସ ବିତି ଯାଇଥିଲେ ସୁଦ୍ଧା ଏହି ପଦ ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଏ ସମ୍ପର୍କରେ ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଳିତ ମେହେରଙ୍କୁ ଯୋଗାଯୋଗ କରାଯିବାରେ ଭିମ୍‌ସାରରେ ଅଧିକ ପ୍ରଫେସର ନଥିବାରୁ ଡିନ୍‌, ଅଧୀକ୍ଷକ ପଦରେ ରହିଥିବା ଅଧିକାରୀମାନେ ବିଭାଗୀୟ ମୁଖ୍ୟ ଦାୟିତ୍ବ ତୁଲାଉଛନ୍ତି। ଶୁକ୍ରବାର ଏ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା ମଧ୍ୟ ହୋଇଛି। କେବଳ ଏହି ୩ଟି ପଦବି ନୁହେଁ ବରଂ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପଦବି ପୂରଣ ପାଇଁ ଏକ ପ୍ରସ୍ତାବ ତିଆରି କରି ତାକୁ ପରିଚାଳନା ବୋର୍ଡ ବୈଠକରେ ଗୃହୀତ କରିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ପ୍ରଫେସର ମେହେର କହିଛନ୍ତି।

ସମ୍ବନ୍ଧିତ ଖବର