ଭିମସାର କର୍କଟ ବିଭାଗରେ ସଙ୍କଟ : ବାହାରୁ କେମୋ ଔଷଧ କିଣୁଛନ୍ତି ରୋଗୀ

ରୋଗୀ ସଂଖ୍ୟା ସହ ଔଷଧ ଚାହିଦା ବୃଦ୍ଧି
ଗରିବ ରୋଗୀ ମାଗଣା ଚିକିତ୍ସାରୁ ବଞ୍ଚିତ

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଭିମସାର)ର କର୍କଟ ରୋଗ ବିଭାଗକୁ ଆସୁଥିବା ରୋଗୀ ସଂଖ୍ୟା ଲକ୍‌ଡାଉନ୍‌ ସମୟରେ ୨ ଗୁଣ ବୃଦ୍ଧି ପାଇଛି। ଏଥିସହ ସମସ୍ୟା ମଧ୍ୟ ବହୁଗୁଣିତ ହୋଇଛି। ବିଶେଷଜ୍ଞ ଡାକ୍ତର, କର୍ମଚାରୀ, ବେଡ୍‌ ଓ ଭିତ୍ତିଭୂମିର ଏଠାରେ ଅଭାବ ରହିଥିବା ବେଳେ କେମୋ ଔଷଧର ମଧ୍ୟ ଅଭାବ ଦେଖାଦେଇଛି। ସେଥିଲାଗି କେମୋ ଚିକିତ୍ସା ପାଇଁ ଆସୁଥିବା କିଛି ରୋଗୀଙ୍କୁ ଫେରାଇ ଦିଆଯାଉଥିବା ମଧ୍ୟ ଅଭିଯୋଗ ଉଠୁଛି। ‌ଅନ୍ୟ କିଛି ରୋଗୀ ବାହାରୁ ଏହି ଔଷଧ କିଣି କେମୋ ନେଉଥିବା ଜଣାପଡ଼ିଛି।

healthline.com

ଭିମସାରରେ ସମସ୍ତ ରୋଗୀଙ୍କୁ ନିଃଶୁଳ୍କ ଔଷଧ ପ୍ରଦାନ ବ୍ୟବସ୍ଥା ରହିଛି। ମାତ୍ର ଆଜି ଜଣେ ରୋଗୀଙ୍କ ସଂପର୍କୀୟ ୪୬୦୦ ଟଙ୍କା ଦେଇ ବାହାରୁ କେମୋ ଇଞ୍ଜେକ୍‌ସନ କିଣିଥିବାର ତଥ୍ୟ ସମ୍ବାଦର ହସ୍ତଗତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ହୁତମାର ଏହି ରୋଗୀ ଜଣକ ୧୫ ଦିନ ତଳେ ବୁର୍ଲା କର୍କଟ ରୋଗ ବିଭାଗକୁ ଆସି ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ହୋଇ ୪ ୟୁନିଟ ରକ୍ତ ମଧ୍ୟ ଦିଆଯାଇଥିଲା କିନ୍ତୁ କେମୋ ସରିଯାଇଥିବାରୁ ସେତେବେଳେ ଘରକୁ ଚାଲିଯିବାକୁ କୁହାଯାଇ ଥିଲା। ଅବସ୍ଥା ଗୁରୁତର ହେବାରୁ ଆଜି ପୁନର୍ବାର ସେ ଭିମସାର ଆସିଥିଲେ। ମାତ୍ର ଆଜି ମଧ୍ୟ କେମୋ ନଥିବାରୁ ବାଧ୍ୟ ହୋଇ ତାଙ୍କ ଭାଇ ବାହାରୁ ୨ଟି କେମୋ ଔଷଧ କିଣିଥିଲେ। ତାଙ୍କୁ ୬ଟି କେମୋ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ଦାରିଦ୍ର୍ୟ କାରଣରୁ ସେ ୨ଟି କେମୋ କିଣିବାକୁ ସମର୍ଥ ହୋଇଥିଲେ। ଏହିଭଳି ଅନେକ ରୋଗୀ ଏଠାରେ ସମାନ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି।

କର୍କଟ ରୋଗ ବିଭାଗ ବିଶେଷଜ୍ଞ ଡ.ବିଶ୍ବରଂଜନ ନାଏକ ରୋଗୀଙ୍କ ବାହାରୁ କେମୋ ଇଞ୍ଜେକସନ୍‌ କ୍ରୟକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ରେ ଅନେକ ଅଧିକ ରୋଗୀ ଆସୁଛନ୍ତି। କେତେ ସଂଖ୍ୟାରେ ରୋଗୀ ଆସିବେ ଗଣନା କରିବା ମଧ୍ୟ ଜଟିଳ ହୋଇ ପଡ଼ୁଛି। ଏଥିଯୋଗୁଁ କେତେବେଳେ ଗୋଟିଏ ମଲିକୁଲ ଆସିଲେ ଆଉ ଗୋଟିଏ ସରିଯାଉଛି। ୩ ଦିନ ପୂର୍ବରୁ ଗୋଟିଏ ପ୍ରକାର ମଲିକୁଲ ସରିଥିଲା। ତାହା ଆଜି ଆସିଲା। ୨ ଦିନ ହେଲା ଜେନସିଡାଇନ୍‌ ସରିଯାଇଛି। ସମସ୍ତ ରୋଗୀ ନୁହେଁ, ତେବେ କାଁ ଭାଁ ରୋଗୀଙ୍କୁ କେମୋ ପାଇବା ନେଇ ସମସ୍ୟା ସୃଷ୍ଟି ହୋଇଛି। ଭିମସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି, କେମୋର ଚାହିଦା ୨୦ ପ୍ରତିଶତ ବୃଦ୍ଧି ପାଇଛି। କର୍କଟ ରୋଗୀଙ୍କ କେମୋର ଯେଉଁ ମଲିକୁଲ ୫ରୁ୬ଟି ଆବଶ୍ୟକ ହେଉଥିଲା ବର୍ତ୍ତମାନ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଆବଶ୍ୟକ ହେଉଛି। ତାକୁ ଅନୁମାନ କରି ମଗାଇବାରେ ଅସୁବିଧା ହେଉଛି। ବିଭାଗ ପକ୍ଷରୁ ରିକ୍ୟୁଜିସନ ଆସିଲେ ଔଷଧ ଆସିବାକୁ ୧୫ ଦିନ ଲାଗିଥାଏ। ଓଏଚ୍‌ଏମ୍‌ସିଏଲ ପକ୍ଷରୁ ଗୋଟିଏ ଷ୍ଟକ୍‌ ଆସିଛି। ଏହା ବର୍ତ୍ତମାନ ପରୀକ୍ଷଣ ପାଇଁ ସଙ୍ଗରୋଧରେ ରହିଛି। ରାଉରକେଲା ସ୍ଥିତ ଠିକା ସଂସ୍ଥାରୁ ଔଷଧ ମଗାଯାଉଛି। ପଶ୍ଚିମ ଓଡ଼ିଶାରେ କର୍କଟ ରୋଗୀ ସଂଖ୍ୟା ବେଶ୍‌ ଅଧିକ ଥିବା ବେଳେ ଓ ଏବେ ଗାଡ଼ିମଟର ବନ୍ଦ ଯୋଗୁଁ କେହି ବାହାରକୁ ଯାଇପାରୁନଥିବାରୁ ଅନ୍ତତଃ କେମୋ ଭଳି ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ସୁନିଶ୍ଚିତ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର