ଭିମ୍‌ସାର ନିଯୁକ୍ତି ଦୁର୍ନୀତି : ଗେଟ୍‌ କିପର୍‌ ନିଯୁକ୍ତିରେ ଚଞ୍ଚକତା, ଶ୍ରମ ଅଦାଲତଙ୍କ ନିର୍ଦେଶକୁ ବି ମାନିଲେନି

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ କର୍ମଚାରୀ ନିଯୁକ୍ତିରେ ଦୁର୍ନୀତି ପଦାକୁ ଆସିଛି। କେତେବେଳେ ଚଞ୍ଚକତା କରି ଅଧିକ ବୟସର ଲୋକଙ୍କୁ ନିଯୁକ୍ତି ତ ଆଉ କେତେବେଳେ ବିଜ୍ଞପ୍ତି ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରି ନିଯୁକ୍ତି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏନେଇ ଲଗାତାର ଭାବେ ୪ ଦିନ ଧରି ‘ସମ୍ବାଦ’ରେ ଖବର ପ୍ରକାଶ ପାଇ ଆସୁଛି। ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ଏହି ତଥ୍ୟ ଅନୁସାରେ ୨୦୦୫ ମସିହାରେ ବୁର୍ଲା ବଡ଼ ଡାକ୍ତରଖାନାର ପ୍ରଶାସନିକ କାର୍ଯ୍ୟ ପାଇଁ ହୋଇଥିବା ନିଯୁକ୍ତିରେ ଏଭଳି ବିଭ୍ରାଟ ଦେଖାଦେଇଛି। ଏବେ ଗେଟ୍‌ କିପର୍‌ ନିଯୁକ୍ତିରେ ଚଞ୍ଚକତା କରି ପୁରୁଖା କର୍ମଚାରୀଙ୍କୁ ବିନା କାରଣରେ ବିତାଡ଼ିତ କରିବା ପରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ପୁରୁଖା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ମାମଲାରେ ଶ୍ରମ ଅଦାଲତ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରିବା ସହ ଉକ୍ତ କର୍ମଚାରୀଙ୍କ ବହିଷ୍କାର ନିର୍ଦେଶ ବାତିଲ୍‌ କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର କର୍ତ୍ତୃପକ୍ଷ ଅଦାଲତଙ୍କ ଆଦେଶକୁ ମଧ୍ୟ ମାନିନଥିଲେ।

୧୯୯୯ ମସିହାରୁ ଭିମ୍‌ସାର ମହିଳା ଛାତ୍ରାବାସରେ କାର୍ଯ୍ୟରତ ଗେଟ୍‌ କିପର୍‌ ନାରାୟଣ ବାଗଙ୍କୁ ୨୦୦୭ ମେ ୩୧ ତାରିଖରେ ବିନା ସୂଚନାରେ ଚାକିରିରୁ କାଢ଼ି ଦିଆଯାଇଥିଲା। କିନ୍ତୁ ପୂର୍ବରୁ କାର୍ଯ୍ୟରତ ନାରାୟଣଙ୍କ ସମେତ ୩ ଗେଟ୍‌ କିପରଙ୍କୁ ସ୍ଥାୟୀ କରାନଯାଇ ନୂଆ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଭିମ୍‌ସାରରେ ଗେଟ୍‌ କିପର୍‌ ନିଯୁକ୍ତି ପାଇଁ ସପ୍ତମ ଶ୍ରେଣୀ ପାସ୍‌ ଶିକ୍ଷାଗତ ଯୋଗ୍ୟତା ରହିଛି। କିନ୍ତୁ ସେତେବେଳେ ଏହି ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ସପ୍ତମ ପାସ୍‌ ନିର୍ଦ୍ଧାରିତ ହୋଇଥିବାବେଳେ ଦୁଇଥର ବିଜ୍ଞପ୍ତି ସଂଶୋଧନ କରାଯାଇଥିଲା। ପ୍ରଥ‌ମେ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ୍‌ ଓ ପ‌ରେ ସଂଶୋଧନ କରାଯାଇ ଦଶମ ପାସ୍‌ ବୋଲି କରାଯାଇଥିଲା। ଏହାପରେ ଆବଶ୍ୟକ ମାନଦଣ୍ଡଠାରୁ ଅଧିକ ଯୋଗ୍ୟତା ଥିବା ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ଏହି ପଦ‌ରେ ନିଯୁକ୍ତି ଦିଆଯାଇ ସେମାନଙ୍କୁ ପରବର୍ତ୍ତୀ ସମୟରେ ସ୍ଥାୟୀ କରିଦିଆଯାଇଥିଲା। ଏନେଇ ଗେଟ୍‌ କିପର୍‌ ନାରାୟଣ ବାଗ ସମ୍ବଲପର ଶ୍ରମ ଅଦାଲତରେ ଅଭିଯୋଗ କରିଥି‌ଲେ। ଉଭୟ ଶ୍ରୀ ବାଗ ଓ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଦସ୍ତାବିଜ୍‌ ଆଧାରରେ ଶ୍ରମ ଅଦାଲତ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ଭର୍ତ୍ସନା କରିଥିଲେ। ଶ୍ରୀ ବାଗଙ୍କୁ ଚାକିରିରୁ ବହିଷ୍କାର କରାଯିବା ନିର୍ଦେଶ ବାତିଲ୍‌ କରି ତାଙ୍କୁ ପୁନଃ ଥଇଥାନ କରିବା ସହ ବକେୟା ଦରମା ପ୍ରଦାନ କରିବାକୁ ୨୦୧୬ ସେପ୍ଟେମ୍ବର ୨୮ ତାରିଖରେ ନିର୍ଦେଶ ଦେଇଥିଲେ। ଭିମ୍‌ସାର କର୍ତ୍ତୃପକ୍ଷ ଶ୍ରମ ଅଦାଲତଙ୍କ ଉକ୍ତ ନିର୍ଦେଶକୁ ମଧ୍ୟ ମାନିନଥିଲେ କି ଶ୍ରୀ ବାଗଙ୍କୁ ପୁନଃନିଯୁକ୍ତି ଦେଇନଥିଲେ। କେବଳ ଏତିକି ନୁହେଁ ବରଂ କେଉଁ ଆଧାରରେ ଗେଟ୍‌ କିପର୍‌ ପଦବି ପୂରଣ କରାଗଲା ସେନେଇ ସ୍ବାସ୍ଥ୍ୟ ବିଭାଗ ମାଗିଥିବା ତଥ୍ୟ ମଧ୍ୟ ଭିମ୍‌ସାର କର୍ତ୍ତୃପକ୍ଷ ପ୍ରଦାନ କରିନଥିବା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର