ଭିମସାର୍‌ରେ ୫ ନୂଆ ‌ସୁପର୍‌ ସ୍ପେସାଲିଟି ବିଭାଗକୁ ମଞ୍ଜୁରି

ଖୋଲିବ ଏଣ୍ଡ୍ରୋକ୍ରାଇନୋଲଜି, ପ୍ଲାଷ୍ଟିକ୍ ସର୍ଜରି, ପେଡିଆଟ୍ରିକ୍ ସର୍ଜରି, ଗାଷ୍ଟ୍ରୋଏଣ୍ଟ୍ରୋଲଜି ଓ କ୍ଲିନିକାଲ୍ ହିମାଟୋଲଜି

ସମ୍ବଲପୁର : ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ଅଞ୍ଚଳବାସୀଙ୍କ ବହୁ ପୁରୁଣା ଦାବିକୁ ଶେଷରେ ସରକାର ମାନି ନେଇଛନ୍ତି। ରାଜ୍ୟର ଦ୍ବିତୀୟ ପୁରାତନ ତଥା ଏକମାତ୍ର ସ୍ବୟଂଶାସିତ ମେଡିକାଲ୍ କଲେଜ୍ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର୍‌)ରେ ୫ଟି ନୂଆ ସୁପର୍‌ସ୍ପେସାଲିଟି ବିଭାଗ ଖୋଲିବା ପାଇଁ ସରକାରଙ୍କ ମଞ୍ଜୁରି ମିଳିଛି। ସେଗୁଡ଼ିକ ହେଲା ଏଣ୍ଡ୍ରୋକ୍ରାଇନୋଲଜି, ପ୍ଲାଷ୍ଟିକ୍ ସର୍ଜରି, ପେଡିଆଟ୍ରିକ୍ ସର୍ଜରି, ଗାଷ୍ଟ୍ରୋଏଣ୍ଟ୍ରୋଲଜି ଓ କ୍ଲିନିକାଲ୍ ହିମାଟୋଲଜି। ଏଥିପାଇଁ ୨୦ଟି ଡାକ୍ତର ପଦବି ସୃଷ୍ଟି କରାଯାଇଛି। ପ୍ରତି ବିଭାଗରେ ଜଣେ ଲେଖାଏଁ ପ୍ରଫେସର୍‌, ଆସୋସିଏଟ୍ ପ୍ରଫେସର୍‌, ଆସିଷ୍ଟାଣ୍ଟ ପ୍ରଫେସର୍‌ ଓ ସିନିଅର୍ ରେସିଡେଣ୍ଟ ଡାକ୍ତର ନିଯୁକ୍ତି ପାଇବେ। ଭିମସାର୍‌ର ନୂଆ ସୁପର୍‌ସ୍ପେସାଲିଟି କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ଏହା ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ଆଶା କରାଯାଉଛି। ଆଗାମୀ ଜାନୁଆରିରୁ ଏହି ବିଭାଗଗୁଡ଼ିକ କାର୍ଯ୍ୟ ଆରମ୍ଭ କରିବ ବୋଲି ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେର ଆଶାବ୍ୟକ୍ତ କରିଛନ୍ତି। ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ବି ଆରମ୍ଭ ହେବ ବୋଲି ପ୍ର. ମେହେର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭିମସାର୍‌ରେ ମାତ୍ର ୫ଟି ସୁପର୍‌ସ୍ପେସାଲଟି ବିଭାଗ ନେଫ୍ରୋଲଜି, କାର୍ଡିଓଲଜି, ୟୁରୋଲଜି, ନ୍ୟୁରୋଲଜି ଓ ନ୍ୟୁରୋସର୍ଜରି ରହିଥିଲା। ତିନି ପୁରାତନ ମେଡିକାଲ୍ କଲେଜ୍ ମଧ୍ୟରେ ଏହା ସବୁଠୁ କମ୍‌ ଥିଲା। ନୂଆ ବିଭାଗଗୁଡ଼ିକ ଖୋଲିବା ପରେ ଏହି ସଂଖ୍ୟା ୧୦ରେ ପହଞ୍ଚିଛି। ନୂଆ ୫ଟି ବିଭାଗ ଖୋଲିବା ପାଇଁ ଭିମସାର୍‌ ପରିଚାଳନା ବୋର୍ଡ ଓ କର୍ତ୍ତୃପକ୍ଷ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ତେବେ ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରି ବିଚାର କରା ଯାଉଥିବା କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର୍‌ ସର୍ଜରି (ଏକ୍‌ମୋ ପରିଚାଳନା କରୁଥିବା ବିଭାଗ) ସମେତ ରୁୢମାଟୋଲଜି, ହେପାଟୋଲଜି, ଏଣ୍ଡ୍ରୋକ୍ରାଇନ୍ ସର୍ଜରି, ସର୍ଜିକାଲ୍ ଗାଷ୍ଟ୍ରୋଆଣ୍ଡ୍ରୋଲଜି ଭଳି ସୁପର୍‌ସ୍ପେସାଲିଟି ବିଭାଗ ନେଇ ଦାବି ହେଉଥିଲେ ବି ସରକାର ଭିମସାର୍‌ରେ ‌ସେଗୁଡ଼ିକ ଖୋଲିବା ପାଇଁ ବର୍ତ୍ତମାନ ବିଚାର କରି ନାହାନ୍ତି। କ୍ୟାନ୍‌ସର ବିଭାଗ ନାମକୁ ମାତ୍ର ଥିଲା ବେଳେ ନୂଆ କ୍ୟାନ୍‌ସର ହସ୍‌ପିଟାଲ୍ ନିର୍ମାଣ ଆରମ୍ଭ ହୋଇଛି। ପୁରୁଣା କ୍ୟାନ୍‌ସର ବିଭାଗ ତଥା ପୂର୍ବରୁ ଥିବା ୫ଟି ଯାକ ସୁପର୍‌ସ୍ପେସାଲିଟି ବିଭାଗର ଉନ୍ନତି ପାଇଁ ବି ଯୋଜନା ରହିଛି। ଡା. ଅଶ୍ବିନୀ ପୂଜାହାରୀ ନିର୍ଦ୍ଦେଶକ ଥିବା ସମୟରେ ଭିମସାର୍‌ରେ ନୂଆ ସୁପର୍‌ସ୍ପେସାଲଟି ବିଭାଗ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ପ୍ର. ଲଳିତ ମେହେର ଦାୟିତ୍ବ ନେବା ପରେ ଏହାର ଆବଶ୍ୟକତାକୁ ଅନୁଭବ କରି ବିଭାଗ ଗୁଡ଼ିକର ମଞ୍ଜୁରି ପାଇଁ ପ୍ରୟାସ କରିଥିଲେ। ଏଥିରେ ସରକାରୀ ମୋହର ଲାଗିଥିବାରୁ ପ୍ର. ମେହେର ଖୁସି ବ୍ୟକ୍ତ କରିବା ସହ ଭବିଷ୍ୟତରେ ଭିମସାର୍‌ରେ ଡିଏମ୍‌ ପାଠ୍ୟକ୍ରମ ଖୋଲିବା ପାଇଁ ରାସ୍ତା ପରିଷ୍କାର ହୋଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର