ଭିମ୍ସାରରେ ପୁଣି ଜୀବନ ସହ ଖେଳ : ସାଧାରଣ ୱାର୍ଡରେ ଡେଙ୍ଗୁ ରୋଗୀ, ବାହାର ଡାକ୍ତରଖାନା ରକ୍ତ ପରୀକ୍ଷା ରିପୋର୍ଟକୁ ହେୟଜ୍ଞାନ
ସମ୍ବଲପୁର : ୧୫ ଦିନ ତଳେ ବୁର୍ଲା ବଡ଼ ଡାକ୍ତରଖାନାରେ ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ପୁଣି ଥରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଅନ୍ୟ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୫ ଘଣ୍ଟା ଧରି ଜଣେ ଡେଙ୍ଗୁ ରୋଗୀଙ୍କୁ ମେଡିସିନ୍ ୱାର୍ଡ ଭିତରେ ବିନା ମଶାରିରେ ରଖାଯାଇଥିବା ଘଟଣା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ମୁରିବାହାଲର ଜଣେ ଯୁବକ ପ୍ରାୟ ୧ ମାସ ତଳେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ସ୍ଥାନୀୟ ଡାକ୍ତରଖାନାରୁ ଔଷଧ ଖାଇ ଜ୍ବର ନକମିବା ପରେ ଗତ ଶୁକ୍ରବାର ସେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ବିଭିନ୍ନ ରକ୍ତ ପରୀକ୍ଷା କରାଯିବା ସହ କିଟ୍ ଯୋଗେ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଉକ୍ତ ଯୁବକଙ୍କୁ ଟିଟିଲାଗଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବଲାଙ୍ଗୀରରେ ମଧ୍ୟ ଡାକ୍ତର ଉକ୍ତ ରିପୋର୍ଟ ଦେଖିବା ସହ ପରୀକ୍ଷା କରାଇବା ପରେ ରବିବାର ଦିନବେଳା ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସୋମବାର ଭୋର ୪ଟାରୁ ସେ ବୁର୍ଲା ଡାକ୍ତରଖାନା ମେଡିସିନ୍ ୱାର୍ଡ-୩ରେ ଭର୍ତ୍ତି ହୋଇଥିଲେ। ବେଡ୍ ନଥିବାରୁ ତାଙ୍କୁ ତଳେ ଶୁଆଇ ଦିଆଯାଇଥିଲା। ପରେ ସକାଳୁ ରାଉଣ୍ଡରେ ଆସିଥିବା ଡାକ୍ତର ପୁଣି ଥରେ ତାଙ୍କର ରକ୍ତ ପରୀକ୍ଷା ପାଇଁ ପଠାଇଥିଲେ। ଡାକ୍ତରଖାନାର ରେଜିଷ୍ଟରରେ ସେ ଜଣେ ଡେଙ୍ଗୁ ପଜିଟିଭ୍ ରୋଗୀ ବୋଲି ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହାପରେ ମଧ୍ୟ ରିପୋର୍ଟ ଆସିନଥିବାରୁ ଉକ୍ତ ରୋଗୀଙ୍କୁ ବିନା ମଶାରିରେ ଅନ୍ୟ ରୋଗୀଙ୍କ ସହ ତଳେ ଶୁଆଇଦିଆଯାଇଥିଲା।
ଏସମ୍ପର୍କରେ ଡେଙ୍ଗୁ ବିଭାଗ ଦାୟିତ୍ବରେ ଥିବା ଡାକ୍ତର କ୍ଷେତ୍ରମୋହନ ଟୁଡୁଙ୍କୁ ପଚାରିବାରୁ ଉକ୍ତ ରୋଗୀଙ୍କୁ ତୁରନ୍ତ ଡେଙ୍ଗୁ ୱାର୍ଡକୁ ଅଣାଯିବ ବୋଲି କହିଥିଲେ। ଅନେକ ସମୟରେ ବାହାରୁ ଆସୁଥିବା ରୋଗୀଙ୍କ ରିପୋର୍ଟରେ ଡେଙ୍ଗୁ ପଜିଟିଭ୍ ଥିଲେ ସୁଦ୍ଧା ପୁନଶ୍ଚ ପରୀକ୍ଷା ପରେ ନେଗେଟିଭ୍ ବାହାରିଥାଏ। ତେଣୁ ଏଠାକାର ରକ୍ତ ପରୀକ୍ଷା ରିପୋର୍ଟ ନଆସିବା ଯାଏଁ ପ୍ରାୟ ରୋଗୀଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଏନାହିଁ ବୋଲି ଡା.ଟୁଡୁ କହିଥିଲେ।