ଲାପ୍ରୋସ୍କୋପିରେ ଇତିହାସ ରଚିଲା ଭିମ୍‌ସାର : ପ୍ରଥମଥର ପାଇଁ ବିନା ଓପନ ସର୍ଜରିରେ ହେଲା ଅଥାନ ଗର୍ଭ ଅସ୍ତ୍ରୋପଚାର

ସମ୍ବଲପୁର : ଲାପ୍ରୋସ୍କୋପି ଅସ୍ତ୍ରୋପଚାରରେ ଇତିହାସ ସୃଷ୍ଟି କରିଛି ବୁର୍ଲା ବଡ଼ ଡାକ୍ତରଖାନା। ରାଜ୍ୟରେ ପ୍ରଥମଥର ପାଇଁ ବିନା ଓପନ ସର୍ଜରିରେ ଲାପ୍ରୋସ୍କାପିର ବ୍ୟବହାର କରି ଭିମ୍‌ସାର ପ୍ରସୂତି ଓ ସ୍ତ୍ରୀ ‌ରୋଗ ବିଭାଗର ଡାକ୍ତରମାନେ ଅତ୍ୟନ୍ତ ଜଟିଳ ଅଥାନ ଗର୍ଭ(ଆକ୍ଟୋପିକ୍‌ ପ୍ରେଗନାନ୍ସି) ଅସ୍ତ୍ରୋପଚାର କରିବାରେ ସଫଳ‌ ହୋଇଛନ୍ତି। ଏହାସହିତ ଭିମ୍‌ସାର ଡାକ୍ତରୀ ଦଳ ଏହି ବିରଳ ଅସ୍ତ୍ରୋପଚାର କରି ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି।

କରୋନା ସଂକ୍ରମଣ ପାଇଁ ରୁଟିନ୍‌ ଅସ୍ତ୍ରୋପଚାର ବାତିଲ କରାଯାଇଥିଲେ ହେଁ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ଭିମ୍‌ସାର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ସହକାରୀ ପ୍ରଫେସର ତଥା ସୂଚନା ଲୋକ ସମ୍ପର୍କ ଅଧିକାରୀ ଡା.ବେଣୁଧର ପାଣ୍ଡେ କହିଛନ୍ତି।

ବଲାଙ୍ଗୀର ଜିଲ୍ଲା ଆଠଗାଁ ସିଲେଟପଡ଼ାର ପାଞ୍ଚାଳି ପାଣ୍ଡେ(୩୧) ଦ୍ବିତୀୟ ଥର ପାଇଁ ଗର୍ଭବତୀ ଥିଲେ। ମାତ୍ର ଭ୍ରୂଣଟି ଗର୍ଭାଶୟରେ ନରହି ଗର୍ଭନଳୀରେ ବୃଦ୍ଧି ପାଇଥିଲା। ପ୍ରାୟ ୧୦,୦୦୦ ଜଣ ଗର୍ଭବତୀଙ୍କ ମଧ୍ୟରୁ ଜଣଙ୍କଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। ଗର୍ଭନଳୀରେ ଭ୍ରୂଣ ବୃଦ୍ଧି ହେଉଥିଲା। ତେଣୁ କୌଣସି ବି ପରିସ୍ଥିତିରେ ଉକ୍ତ ବର୍ଦ୍ଧିତ ଭ୍ରୂଣ ଫାଟି ଯାଇଥିଲେ ଅତ୍ୟନ୍ତ ରକ୍ତସ୍ରାବ ହୋଇ ମହିଳାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିଲା। ଗତ ସପ୍ତାହରେ ମହିଳାଙ୍କର ଅଲଟ୍ରାସାଉଣ୍ଡ ପରେ ସ୍ଥିତି ଜଣାପଡ଼ିଥିଲା। କିନ୍ତୁ ତାଙ୍କର ପ୍ରଥମ ପ୍ରସବ ସିଜରିଆନ୍‌ ଅସ୍ତ୍ରୋପଚାରରେ ହୋଇଥିବାରୁ ପୁନଶ୍ଚ ଉକ୍ତସ୍ଥାନରେ ଓପନ ସର୍ଜରି କରିବା ମଧ୍ୟ କଷ୍ଟସାଧ୍ୟ ଥିଲା। ଏଭଳି ସ୍ଥିତି‌ରେ ଲାପ୍ରୋସ୍କୋପି ମାଧ୍ୟମରେ ମହିଳାଙ୍କ ଅସ୍ତ୍ରୋପଚାର କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରସୂତି ଓ ସ୍ତ୍ରୀ ରୋଗ ସର୍ଜନ ଡା.ବେଣୁଧର ପାଣ୍ଡେ, ଡା.ରଶ୍ମିରଞ୍ଜନ ରାଉତ, ଡା.ସୁଶ୍ରୀ ସ୍ମୃତିରେଖା, ନିଶ୍ଚେତକ ଡା.ବିମଳ ପଣ୍ଡା, ଡା.ଗିରିଜା ପାତ୍ର, ଡା.ସୁମନ୍ତ କାଣ୍ଡି, ଡା.ପଙ୍କଜ ବର୍ମା, ଡା.ପ୍ରେମାଞ୍ଜଳି ଜେନା , ଡା.ପ୍ରୀତି ଜେନା, ଡା.ଶ୍ରୀମୟୀ ମହାପାତ୍ର, ଡା.ସାଗରିକା ରାଉତ, ତାପସ ଉପାଧ୍ୟାୟ, ମାନସ ରଞ୍ଜନ ପଣ୍ଡା ଓ ସେବିକ‌ା ବୃନ୍ଦାବତୀ ଦେହୁରୀଙ୍କ ଟିମ୍‌ ୬ ଘଣ୍ଟାରେ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ପ‌ାଞ୍ଚାଳିଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଭଲ ରହିଛି। ଭିମ୍‌ସାର ଡାକ୍ତରୀ ଟିମ୍‌ର ଏହି ସଫଳତାକୁ ନେଇ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର