ସମ୍ବଲପୁର : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବୁର୍ଲା ବଡ଼ ଡାକ୍ତରଖାନାରେ ସାଧାରଣ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ଏହା ସତ୍ତ୍ବେ ଏହାରି ଭିତରେ ଡାକ୍ତରୀଦଳ ଦୁଇ ଦୁଇଟି ବିରଳ ଅସ୍ତ୍ରୋପଚାର କରି ରେକର୍ଡ ସୃଷ୍ଟି କରିଛନ୍ତି। କିଛି ଦିନ ତଳେ ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଡାକ୍ତରୀ ଟିମ୍‌ ରାଜ୍ୟରେ ପ୍ରଥମ ଥର ପାଇଁ ଲାପ୍ରୋସ୍କୋପିରେ ଅଥାନ୍‌ ଗର୍ଭ ଅସ୍ତ୍ରୋପଚାର କରିଥିଲେ। ଏବେ ଡାକ୍ତରଖାନାର ମୂତ୍ରଶଲ୍ୟ(ୟୁରୋଲୋଜି) ବିଭାଗରେ ଡାକ୍ତରମାନେ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି ଯାହା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ତଳିପେଟରେ ଯନ୍ତ୍ରଣା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କେନ୍ଦୁଝରର ଜଣେ ଯୁବକଙ୍କ ପେଟରୁ ଗର୍ଭାଶୟ ଓ ଫେଲୋପିଆନ୍‌ ଟ୍ୟୁବ୍‌ କଢ଼ାଯାଇଛି। ଜଣେ ପୁରୁଷଙ୍କ ଶରୀରରେ ଅଣ୍ଡକୋଷ ସାଙ୍ଗକୁ ଗର୍ଭାଶୟ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣଙ୍କଠାରେ ଦେଖାଯାଏ ବୋଲି ଭିମ୍‌ସାରର ଡାକ୍ତରମାନେ ସୂଚନା ଦେଇଛନ୍ତି।

Advertisment

publive-image

କେନ୍ଦୁଝରର ଜ‌ଣେ ଯୁବକ (୨ଟି ସନ୍ତାନର ବାପା) ସମ୍ବଲପୁରରେ ରହି କାମ କରୁଥିଲେ। ଗତ କିଛି ମାସ ହେବ ତାଙ୍କ ତଳିପେଟରେ ଯନ୍ତ୍ରଣା ଦେଖାଦେବାରୁ ସେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭିମ୍‌ସାରରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଖାନାରେ ତାଙ୍କର ଟେଷ୍ଟିକ୍ୟୁଲାର ଟ୍ୟୁମର ମାର୍କର, ଅଲଟ୍ରାସାଉଣ୍ଡ, ସିଟିସ୍କାନ୍‌ ଆବ୍‌ଡୋମେନ୍‌, କେୟୁବି ପରୀକ୍ଷା କରାଯିବା ପରେ ତାଙ୍କର ଟ୍ୟୁମର ମାର୍କର ଆଲ୍‌ଫା ଫିଟୋ ପ୍ରୋଟିନ୍‌ ୪୦୦ ଆଇୟୁରୁ ଅଧିକ ଓ ବିଟା ଏଚ୍‌ସିଜି ୧୭୮୦ ଆଇୟୁରୁ ଅଧିକ ରହିଥିବା ଜଣାପଡ଼ିଥିଲା। ଫଳରେ ତାଙ୍କ ବାମ ପଟ ଅଣ୍ଡକୋଷ ବୃଦ୍ଧି ହୋଇ ଏକ ଟେଷ୍ଟିକ୍ୟୁଲାର ଟ୍ୟୁମର କ୍ୟାନସରରେ ପରିଣତ ହୋଇଯାଇଥିବା‌ ସ୍ପଷ୍ଟ ହୋଇଥିଲା। ଏନେଇ ଡାକ୍ତରଖାନାର ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡା.ସଞ୍ଜୟ ମହାପାତ୍ର, ବରିଷ୍ଠ ଆବାସିକ ଡାକ୍ତର ଡା.ବିଶ୍ବଜିତ ସାହୁ, କନିଷ୍ଠ ଡାକ୍ତର ଡା.ସଲମାନ ରାଘୀବ ଏବଂ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ସହକାରୀ ପ୍ରଫେସର ଡା.ସନ୍ତୋଷ ଦୋରାଙ୍କ ଏକ ଟିମ୍‌ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ତେବେ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ବର୍ଦ୍ଧିତ ଟେଷ୍ଟିକ୍ୟୁଲାର କ୍ୟାନ୍‌ସର ଟ୍ୟୁମର କଢ଼ାଯାଇ ସେଥିରୁ ମାଂସ ପିଣ୍ଡୁଳା, ଗର୍ଭାଶୟ, ଓଭାରିରୁ ଗର୍ଭାଶୟକୁ ସଂଯୋଗ କରୁଥିବା ଫେଲୋପିଆନ୍‌ ଟ୍ୟୁବ୍‌ ବ‌ାହାର କରାଯାଇଥିଲା। ଜଣେ ପୁରୁଷ ଶରୀରରେ ଉଭୟ ଅଣ୍ଡକୋଷ ସାଙ୍ଗରେ ଗର୍ଭାଶୟ ରହିବା ବିରଳ ଘଟଣା ହୋଇଥିବା ବେଳେ ଯୁବକଜଣକ ବିବାହିତ ଏବଂ ତାଙ୍କର ଅଣ୍ଡକୋଷ ମଧ୍ୟ ସକ୍ରିୟ ଥିବା ଆଶ୍ଚର୍ଯ୍ୟର ବିଷୟ। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏବଂ ତାଙ୍କର ହିଷ୍ଟୋପାଥୋଲୋଜି ରିପୋର୍ଟ ଆସିବା ପରେ ଏଭଳି ବ୍ୟତିକ୍ରମ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।