ଭିମସାର୍‌ରେ ସଂକ୍ରମଣକୁ ଆମନ୍ତ୍ରଣ : କରୋନା ଆଇସୋଲେସନ୍‌ ୱାର୍ଡ ଲିଫ୍ଟ ଅଚଳ, ସନ୍ଦିଗ୍ଧଙ୍କୁ ତିନିମହଲାକୁ ଷ୍ଟ୍ରେଚରରେ ବୁହା

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର (ଭିମ୍‌ସାର) କରୋନା ଆଇସୋଲେସନ୍‌ ଓ୍ବାର୍ଡ ଲିଫ୍ଟ ଅଚଳ ହୋଇ ପଡ଼ିଛି। ଏଥିଯୋଗୁଁ ସ୍ଥିତି ଏଭଳି ହୋଇଛି ଯେ କରୋନା ସନ୍ଦିଗ୍ଧଙ୍କୁ ଷ୍ଟ୍ରେଚରରେ ବୋହି ନେବାକୁ ବାଧ୍ୟ ହେଉଛନ୍ତି ସମ୍ପର୍କୀୟ ଓ ଆଟେଣ୍ଡାଣ୍ଟ। ଏହାଫଳରେ ଏଠାରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

କରୋନା ମୁକାବିଲା ପାଇଁ ଭିମସାରର ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ରହିଛି ୩୧ ଶଯ୍ୟା ବିଶିଷ୍ଟ ଆଇସୋଲେସନ ଓ୍ବାର୍ଡ। ଏଠାରେ ରହିଛି ୯ଟି ଭେଣ୍ଟିଲେଟରର ସୁବିଧା। ପଶ୍ଚିମ ଓଡ଼ିଶାରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ଏଠାରେ ଭର୍ତ୍ତି କରାଯାଏ। କୌଣସି ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ ଓ୍ବାର୍ଡରେ ଭର୍ତ୍ତି କରାଗଲେ, ନମୁନା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଏଠାରେ ରଖାଯାଏ। ସ୍ବତନ୍ତ୍ର ଉପକରଣ ଏବଂ ପୋଷାକ ପିନ୍ଧି ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀମାନେ ଓ୍ବାର୍ଡ ମଧ୍ୟକୁ ପ୍ରବେଶ କରନ୍ତି। ରୋଗୀ ସମ୍ପର୍କୀୟଙ୍କୁ ଓ୍ବାର୍ଡ ମଧ୍ୟକୁ ପ୍ରବେଶରେ ନିଷେଧାଦେଶ ରହିଛି। ଅକସ୍ମାତ କୌଣସି ବ୍ୟକ୍ତିଙ୍କଠାରେ କରୋନା ଚିହ୍ନଟ ହେଲେ, ସଂକ୍ରମଣରୁ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଏ।

ମାତ୍ର ମୂଳରୁ ସନ୍ଦିଗ୍ଧ ଓ୍ବାର୍ଡ ମଧ୍ୟକୁ ପ୍ରବେଶ କରିବା ବେଳୁ ହିଁ ସଂକ୍ରମଣରୁ ସୁରକ୍ଷା ଦିଗରେ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ସ୍ଥିତି ଏଭଳି ହୋଅଛି ଯେ ସନ୍ଦିଗ୍ଧଙ୍କୁ ଷ୍ଟ୍ରେଚରରେ ବୋହି ସିଡିରେ ନିଆଯାଉଛି। ୨ ଦିନ ପୂର୍ବରୁ ଜଣେ ସନ୍ଦିଗ୍ଧଙ୍କୁ ଏହି ୱାର୍ଡକୁ ନେବା ପାଇଁ କନିଷ୍ଠ ଡାକ୍ତରଙ୍କୁ ମଧ୍ୟ ଷ୍ଟ୍ରେଚର ବୋହିବାକୁ ପଡ଼ିଥିବା ଦେଖିବାକୁ ମିଳିଛି। ତୃତୀୟ ମହଲାରେ ଥିବା ଏହି ୱାର୍ଡକୁ ଅକ୍ସିଜେନ ସିଲିଣ୍ଡରକୁ ନେବା ମଧ୍ୟ କର୍ମଚାରୀମାନଙ୍କ ପାଇଁ ଏବେ କଷ୍ଟକର ହୋଇ ପଡ଼ିଛି। ଏଥିପ୍ରତି କାହିଁକି ଭିମ୍‌ସାର କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି, ଭିମ୍‌ସାର ପକ୍ଷରୁ ଏହି ଓ୍ବାର୍ଡ ରକ୍ଷଣାବେକ୍ଷଣ ପାଇଁ ଗୋଟିଏ କମ୍ପାନି ସହିତ ବାର୍ଷିକ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। ଲିଫ୍ଟରେ ସାମାନ୍ୟ ତ୍ରୁଟି ରହିଛି। କମ୍ପାନିକୁ ଭିମ୍‌ସାର ପକ୍ଷରୁ ଏ ସମ୍ପର୍କରେ ଅବଗତ କରାଗଲେ, ଲିଫ୍ଟ ମରାମତି ହୋଇ ପାରିବ। ଭିମ୍‌ସାର ପକ୍ଷରୁ କୁହାଯାଇଛି, କିଛି ଦିନ ହେଲା ଲିଫ୍ଟ୍‌ ଅଚଳ ହୋଇଛି। ଏହାର ମରାମତି ପାଇଁ କମ୍ପାନିକୁ ଅବଗତ କରାଯାଇଛି। ମାତ୍ର ଲକ୍‌ଡାଉନ୍‌ ଯୋଗୁଁ କମ୍ପାନି କର୍ମଚାରୀ କର୍ମଚାରୀ ଆସିପାରୁ ନାହାନ୍ତି। ଏହାକୁ ନେଇ ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ହସ୍ତକ୍ଷେପ କରିଛନ୍ତି। ଖୁବ ଶୀଘ୍ର ଲିଫ୍ଟ୍‌ ମରାମତି ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର