ଭିମ୍‌ସାର ନିର୍ଦେଶକ ନିଯୁକ୍ତି ପାଇଁ ସାକ୍ଷାତକାର ୮ରେ , ଦୌଡ଼ରେ ୫ ବରିଷ୍ଠ ଡାକ୍ତର

ସମ୍ବଲପୁର : ଦୁଇ ଦିନ ପରେ ଅର୍ଥାତ ମେ ମାସ ୮ ତାରିଖରେ ହେବ ଭିମ୍‌ସାର ନିର୍ଦେଶକ ପଦ ପାଇଁ ସାକ୍ଷାତକାର ପରୀକ୍ଷା। ବର୍ତ୍ତମାନ କରୋନା ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ସ୍କାଇପ୍‌ ଜରିଆରେ ଏହି ସାକ୍ଷାତକାର ହେବ। ଏହାପରେ ଖୁବ ଶୀଘ୍ର ନିର୍ଦେଶକଙ୍କ ନିଯୁକ୍ତି ମଧ୍ୟ ହୋଇଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ନିଯୁକ୍ତିକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଭିମସାରର ଏହି ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ସମୁଦାୟ ୫ ଜଣ ବରିଷ୍ଠ ଡାକ୍ତର ଆବେଦନ କରିଛନ୍ତି। ସେମାନେ ହେଲେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପ୍ରିନ୍ସପାଲ ଡ.ଲଲିତ ମେହେର, ଭିମ୍‌ସାର ମେଡିସିନ ବିଭାଗ ପ୍ରଫେସର ମନୋଜ ମହାପାତ୍ର, କୋରାପୁଟ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର କିଶୋର ବେହେରା, ହାଇଟେକ୍‌ ମେଡିକାଲ କଲେଜ ହୃଦରୋଗ ବିଭାଗ ମୁଖ୍ୟ ଡ.ଅକ୍ଷୟ କୁମାର, ମହାରାଷ୍ଟ୍ର ସ୍ଥିତ ଏମ୍‌ଜିଏନ୍‌ଏସ୍‌ ସେବାଗ୍ରାମର ଡାକ୍ତର କ୍ଷୀରୋଦ ଚନ୍ଦ୍ର ମିଶ୍ର। ଷ୍ଟାଚୁଟାରି ବଡି ନିର୍ଦେଶକଙ୍କ ନିଯୁକ୍ତି ଦାୟିତ୍ବରେ ଥାଏ। ମୁଖ୍ୟ ଶାସନ ସଚିବ ଏହାର ଆବାହକ ଥାଆନ୍ତି।

ଭିମ୍‌ସାରରେ ନିର୍ଦ୍ଦେଶକ ନିଯୁକ୍ତି ନେଇ ୨୦୧୯ ମସିହା ଜୁଲାଇରୁ ଏଯାଏ ଦୁଇଥର ବିଜ୍ଞପ୍ତି ପ୍ରକାଶ ପାଇଛି। ବିବାଦୀୟ ପରିସ୍ଥିତିରେ ଭିମ୍‌ସାର ନିର୍ଦେଶକ ପଦରୁ ଡା. ଅଶ୍ବିନୀ ପୂଜାହାରୀ ଇସ୍ତଫା ଦେବା ପରେ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ନିର୍ଦେଶକ ନିଯୁକ୍ତି ହୋଇନାହିଁ। ଡା.ପୂଜାରୀଙ୍କ ପରେ ଅସ୍ଥାୟୀ ଭାବରେ ଡା. ପ୍ରକାଶ ମହାପାତ୍ର, ପ୍ରଫେସର ଧୀରେନ୍ଦ୍ର ମହାରଣାଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଉଭୟ ଭିମ୍‌ସାରକୁ ଆସୁନଥିଲେ। ବରିଷ୍ଠ ପ୍ରଫେସର ବିକେ ଦତ୍ତଙ୍କୁ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ତାଙ୍କର କୌଣସି କ୍ଷମତା ନଥିଲା। ତାଙ୍କ ଅବସର ପରେ ପ୍ରଫେସର ପ୍ରଭାତୀ ଦତ୍ତଙ୍କୁ ନିର୍ଦେଶକ ପଦ ପାଇଁ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହାକୁ ଗ୍ରହଣ କରିନଥିଲେ। ବର୍ତ୍ତମାନ ପ୍ରଫେସର ବର୍ଷା ଟୁଡୁଙ୍କୁ ମୌଖିକ ଭାବରେ ନିର୍ଦେଶକ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର