ଭିମ୍‌ସାରରେ ଡାକ୍ତରଙ୍କ ଖାମଖିଆଲୀ ଚିକିତ୍ସାର ନଗ୍ନ ଚିତ୍ର : ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା ପରେ ନର୍ସିଂହୋମ୍‌ରେ ଜନ୍ମ ହେଲା ଝିଅ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନା (ଭିମ୍‌ସାର)ରେ ଡାକ୍ତରଙ୍କ ଖାମଖିଆଲୀ ଚିକିତ୍ସାର ଆଉ ଏକ ସାଂଘାତିକ ଦୃଷ୍ଟାନ୍ତ ଏବେ ସାମ୍ନାକୁ ଆସିଛି। ବୁର୍ଲା ବଡ଼ ଡାକ୍ତରଖାନାକୁ ରେଫର ହୋଇ ଆସିଥିବା ଜଣେ ମହିଳାଙ୍କ ଗର୍ଭସ୍ଥ ଶିଶୁ ମୃତ ବୋଲି ଏଠାରେ ଡାକ୍ତରମାନେ କହିବା ଓ ଚିକିତ୍ସା ଅବହେଳା କରିବାର କେଇଘଣ୍ଟା ପରେ ମହିଳାଜଣକ ଏକ ଘରୋଇ ନର୍ସିଂ ହୋମ୍‌ରେ ଏକ ଜୀବନ୍ତ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ଏବେ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭିମ୍‌ସାରରେ କିଛି ଦିନ ହେଲାଣି ବାରମ୍ବାର ଚିକିତ୍ସା ଅବହେଳାର ଅଭିଯୋଗ ହୋଇ ଆସୁଥିଲା। ମାତ୍ର ଏହି ଘଟଣା ସୀମା ଟପି ଯାଇଛି। ଯଦି ମହିଳାଜଣଙ୍କୁ ପରିବାର ଲୋକ ଘରୋଇ ନର୍ସିଂ ହୋମ୍‌ ନେଇ ନଥାନ୍ତେ ତେବେ ଚିକିତ୍ସା ଅବହେଳାରୁ ଶିଶୁଟିର ନିଶ୍ଚିତ ମୃତ୍ୟୁ ହୋଇଯାଇଥାନ୍ତା ବୋଲି ପରିବାର ଲୋକ‌େ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ତେଲଡିହିର ଜୟନ୍ତୀ ନାୟକ ୮ ମାସର ଗର୍ଭବତୀ ଥିଲେ। ଗୁରୁବାର ହଠାତ୍‌ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସମୟ ପୂର୍ବରୁ ପ୍ରସବ ବେଦନା ହୋଇଥିବାରୁ ଶିଶୁ ଜନ୍ମ ହେଲେ ବିପଦ ସୃ୍ଷ୍ଟି ହୋଇପାରେ ଓ ଶିଶୁକୁ ଭେଣ୍ଟିଲେଟର ଆବଶ୍ୟକ ପଡ଼ିପାରେ ବୋଲି ବିଚାର କରି ସେଠାକାର ଡାକ୍ତର ଜୟନ୍ତୀଙ୍କୁ ଭିମ୍‌ସାରକୁ ସ୍ଥାନାନ୍ତର କରିଥିଲେ। ଦିଅର କୃପାସିନ୍ଧୁ ତାଙ୍କୁ ନେଇ ଭିମ୍‌ସାରରେ ଶୁକ୍ରବାର ଦିନ ୧୨ଟାରେ ଭର୍ତ୍ତି କରିଥିଲେ। ତେବେ ଭିମ୍‌ସାରରେ ବିଭିନ୍ନ ପ୍ରକାର ପରୀକ୍ଷା ବାହାନାରେ ଡାକ୍ତର ସମୟ ଗଡ଼ାଇ ଚାଲିଥିଲେ ଓ ଜୟନ୍ତୀ ପ୍ରସବ ବେଦନାରେ ବାରଣ୍ଡାରେ ଗଡ଼ୁଥିଲେ। ସନ୍ଧ୍ୟା ପ୍ରାୟ ୫ଟା ସମୟ‌ରେ ଜଣେ ଡାକ୍ତର ଆସି ଦେଖିବା ପରେ କୃପାସିନ୍ଧୁଙ୍କୁ ଡାକି ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଯାଇଥିବା କହିଥିଲେ। କେବଳ ସେତିକି ନୁହେଁ ବରଂ ଅସ୍ତ୍ରୋପଚାର କରି ମୃତ ଶିଶୁକୁ କାଢ଼ିବାକୁ ହେବ ବୋଲି ଡାକ୍ତରଜଣକ ପରାମର୍ଶ ଦେଇଥିଲେ। ଏଥିସହ ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଅସ୍ତ୍ରୋପଚାର ହେବ ବୋଲି ତାଙ୍କୁ କୁହାଯାଇଥିଲା। କିନ୍ତୁ ସନ୍ଧ୍ୟା ୬ଟା ସମୟରୁ ଗର୍ଭସ୍ଥ ଶିଶୁ ଜୀବିତ ଥିବା ନେଇ ଜୟନ୍ତୀ ଅନୁଭବ କରିଥିଲେ। ଏନେଇ ସେ ବାରମ୍ବାର ଡାକ୍ତରଙ୍କୁ କହିଥି‌ଲେ ସୁଦ୍ଧା ଦେଖିବା, ପରୀକ୍ଷା କରିବା କହି ଡାକ୍ତର ସମୟ ଗଡ଼ାଇ ଚାଲିଥିଲେ। ଡାକ୍ତରଙ୍କ ଚିକିତ୍ସା ଅବହେଳା ଦେଖିବା ପରେ ରାତି ସାଢ଼େ ୧୦ଟାରେ ପରିବାର ଲୋକେ ଜୟନ୍ତୀଙ୍କୁ ସମ୍ବଲପୁରର ସଞ୍ଜିବନୀ ନର୍ସିଂହୋମ୍‌କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଗର୍ଭସ୍ଥ ଶିଶୁ ଜୀବିତ ଥିବା ଜଣାପଡ଼ିଥିଲା। ଶନିବାର ଦିନ ସାଢ଼େ ୧୧ଟାରେ ଜୟନ୍ତୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁଟିର ଓଜନ ମାତ୍ର ୧ କିଲୋଗ୍ରାମ ୩୦୯ ଗ୍ରାମ୍‌ ଥିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଛି। ‌ଖବର ଲେଖାହେବା ଯାଏ ଶିଶୁଟିର ଅବସ୍ଥା‌ ସ୍ଥିର ରହିଥିବା ଜଣାପଡ଼ିଛି।

ଏବେ ଭିମ୍‌ସାର କର୍ତ୍ତୃପକ୍ଷ ତଦନ୍ତ ନାଁରେ ଘଟଣାକୁ ଘୋଡ଼େଇ ପକାଇବାକୁ ଚେଷ୍ଟା କରୁଛନ୍ତି। ଚିକିତ୍ସାରେ ଅବହେଳା କରାଯାଇନଥିଲା ବୋଲି ସମ୍ବାଦକୁ କହିଛନ୍ତି। ଭିମ୍‌ସାର ମୁଖପାତ୍ର ଡାକ୍ତର ବେଣୁଧର ପାଣ୍ଡେ କହିଛନ୍ତି ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଥିଲା ଏବଂ ସେହି କଥା ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିଲା। ମାତ୍ର ଅଲ୍ଟ୍ରାସାଉଣ୍ଡ ଟେଷ୍ଟ କରାଯିବା ପରେ ପ୍ରକୃତ କଥା ଜଣାପଡ଼ିଥାନ୍ତା। ତେବେ ଭିମ୍‌ସାରରେ ଅଲ୍ଟ୍ରା ସାଉଣ୍ଡ କରିବାକୁ ଯେଉଁ ଲମ୍ବା ଲାଇନ୍‌ ଲାଗୁଛି ସେଥିରେ କେଉଁଦିନ ଯାଇ ଜୟନ୍ତୀଙ୍କର ନମ୍ବର ଆସିଥାନ୍ତା ତାହା କହିବା ମୁସ୍କିଲ ଥିବାରୁ ପରିବାର ଲୋକ ବିକଳରେ ତାଙ୍କୁ ଘରୋଇ ନର୍ସିଂ ହୋମ୍‌ ନେଇ ଆସିଥିଲେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର