ଆମ୍ବୁଲାନ୍ସରେ ରୋଗୀଙ୍କୁ ବନ୍ଧକ ଘଟଣା ନେଇ ବୁର୍ଲା ଅଶାନ୍ତ

ଭିମ୍‌ସାରରେ ଆମ୍ବୁଲାନ୍ସ ସେବା ବନ୍ଦ, ଅଟୋରେ ବୁହାହେଲେ ରୋଗୀ ଓ ଶବ

ଅଭିଯୁକ୍ତ ଆମ୍ବୁଲାନ୍ସ ଚାଳକ ଓ ମାଲିକଙ୍କ ସମର୍ଥନରେ ବାହାରିଲା ସଂଘ
ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ହଟ୍ଟଗୋଳ

ସମ୍ବଲପୁର : ଭଡ଼ା ଟଙ୍କା ପାଇଁ ବୁର୍ଲାରେ ନୂଆପଡ଼ା ଜିଲ୍ଲା ଖରିଆର୍‌ର ଜଣେ ରୋଗୀ, ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଶିଶୁ ପୁତ୍ରକୁ ବନ୍ଧକ ରଖିବା ଘଟଣାକୁ ନେଇ ବୁର୍ଲା ବଡ଼ ଡାକ୍ତରଖାନା ଅଶାନ୍ତ ହେବାରେ ଲାଗିଛି। ଘଟଣାର ୩ ଦିନ ପରେ ଗୁରୁବାର ପୁଲିସ୍‌ ଆଗୁଆ ଜାମିନ୍‌ ପାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ପ୍ରମୋଦ ପଟ୍ଟନାୟକ ଓ ମାଲିକ ଛୋଟେଲାଲ୍‌ ଗୁପ୍ତାକୁ ଗିରଫ କରିଥିଲା। ଫଳରେ ସେମାନେ ତୁରନ୍ତ ମୁକୁଳି ଯାଇଥିଲେ। ବାରମ୍ବାର ବୁର୍ଲା ଡାକ୍ତରଖାନାରେ ପୁଲିସ୍‌ ସମର୍ଥନରେ ଆମ୍ବୁଲାନ୍ସ ମାଲିକଙ୍କ ଏଭଳି ମନମାନି ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁନଥିବା ହଇରାଣ ହେଉଥିବା ନେଇ ଡାକ୍ତରମାନେ ‌କ୍ଷୋଭ ପ୍ରକାଶ କରିଥିଲେ। ସେପଟେ, ଗୁରୁବାର ଯାଏ ଏଭଳି ଘଟଣାକୁ ନିନ୍ଦା କରୁଥିବା ବୁର୍ଲା ଆମ୍ବୁଲାନ୍ସ ଚାଳକ ସଂଘ ଶୁକ୍ରବାର ହଠାତ୍ ନିଷ୍ପତ୍ତି ପରିବର୍ତ୍ତନ କରି ଅଭିଯୁକ୍ତ ଚାଳକ ଓ ମାଲିକଙ୍କ ସମର୍ଥନରେ ବାହାରିଛି। ପ୍ରତିବାଦ ସ୍ବରୂପ ଶୁକ୍ରବାର ସକାଳୁ ଆମ୍ବୁଲାନ୍ସ କି ଶବବାହକମାନେ ଡାକ୍ତରଖାନା ଭିତରକୁ ପ୍ରବେଶ କରିନଥିଲେ ଓ ରାତିରୁ ହିଁ ମୃତ୍ୟୁ ଘଟିଥିବା କିଛି ଲୋକଙ୍କ ଶବ ବାହାରି ପାରିନଥିଲା। ଏହାକୁ କେନ୍ଦ୍ର କରି ଡାକ୍ତରମା‌ନେ ଅଧୀକ୍ଷକଙ୍କ ନିକଟକୁ ଅଭିଯୋଗ ପାଇଁ ଯାଇଥିବା ସମୟରେ ଆମ୍ବୁଲାନ୍ସ ମାଲିକ ସଂଘ ମଧ୍ୟ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲା। ଫଳରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟରେ ହିଁ ଉଭୟ ପକ୍ଷ ମଧ୍ୟରେ ବେଶ୍‌ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଅପରପକ୍ଷେ କିଛି ଡାକ୍ତର ଓ ସମାଜସେବୀ ବୁର୍ଲାରୁ ଅଟୋ ଡକାଇ ରୋଗୀ ଓ ଶବଙ୍କୁ ବାହାରକୁ ପଠାଇଥିଲେ। ସେପଟେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ବିବାଦରେ ଫସିବାକୁ ଚାହୁଁନଥିବା ଓ ସମସ୍ତ ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ବୁର୍ଲା ବଡ଼ ଡାକ୍ତରଖାନାରୁ ଗତ ଶୁକ୍ରବାର ନୂଆପଡ଼ା ଜିଲ୍ଲା ଖରିଆର୍‌ର ଜଣେ ରୋଗୀ ଡିସଚାର୍ଜ ହୋଇଥିଲେ। ଆମ୍ବୁଲାନ୍ସ ୫୨୦୦ ଟଙ୍କା ଦର ସ୍ଥିର କରିଥିବା ସମୟରେ ରୋଗୀଙ୍କ ନିକଟରେ ୧୬୦୦ ଟଙ୍କା ଥିବାରୁ ବଳକା ଟଙ୍କା ଘରେ ପହଞ୍ଚିଲେ ଦେବା ନେଇ ସ୍ଥିର ହୋଇଥିଲା। ମାତ୍ର ଖରିଆର୍‌ରେ ପହଞ୍ଚିବା ପରେ ରୋଗୀ ଟଙ୍କା ଦେବାରେ ବିଳମ୍ବ କରିବାରୁ ଆମ୍ବୁଲାନ୍ସ ଡ୍ରାଇଭର ପ୍ରମୋଦ ପଟ୍ଟନାୟକ ରୋଗୀ, ତାଙ୍କ ସ୍ତ୍ରୀ ଓ ୫ ବର୍ଷର ପୁଅକୁ ଉକ୍ତ ଆମ୍ବୁଲାନ୍ସ ଭିତରକୁ ଟାଣି ଆଣି ବନ୍ଧକ ଭାବେ ରଖିବା ପରେ ବୁର୍ଲାକୁ ନେଇ ଯାଇଥିଲା। ବୁର୍ଲାରେ ପହଞ୍ଚିବା ପରେ ଆହୁରି ୬ ଘଣ୍ଟା ସେମାନେ ଉକ୍ତ ଆମ୍ବୁଲାନ୍ସରେ ଅଖିଆଅପିଆ ପଡ଼ି ରହିଥିଲେ। ଦୁଇ ଦିନ ପରେ ଏହି ଘଟଣା ଜଣାପଡ଼ିବା ପରେ କିଛି ଡାକ୍ତର ସେମାନଙ୍କୁ ଉଦ୍ଧାର କରିଥିଲେ। ଏନେଇ ରୋଗୀ ‌ଖୋଦ୍‌ ପୁଲିସରେ ଅଭିଯୋଗ କରିବାର ୩ ଦିନ ପରେ ଅଭିଯୁକ୍ତ ଡ୍ରାଇଭର ଓ ଚାଳକଙ୍କୁ ଗିରଫ କରାଯାଇଥିଲା। ମାତ୍ର ପୁଲିସ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଥିବା ଅଭିଯୋଗ ଉଠିଥିଲା। ଅଭିଯୋଗ ଅନୁସାରେ ଦଫା ଲଗାଇ ନଥିଲା। ଏମିତିକି ଆଗୁଆ ଜାମିନ ଯୋଗାଡ଼ ପରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବୋଲି ଅଭିଯୋଗ ଉଠିଥିଲା। ଫଳରେ ଗିରଫ ହେବା ପରେ ଅଭିଯୁକ୍ତ ତୁରନ୍ତ ଜାମିନ୍‌ରେ ମୁକୁଳି ଯାଇଥିଲେ। ଏବେ ସମଗ୍ର ଘଟଣା ନୂଆ ମୋଡ଼ ନେଇଛି। ବୁର୍ଲା ଅଶାନ୍ତ ହେବାରେ ଲାଗିଛି। ପ୍ରଶାସନ ଓ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର