ଭିମ୍‌ସାର୍‌ରେ ଡାଏଲିସିସ୍‌ ବନ୍ଦ, ସମସ୍ତ ୬ଟି ‌ମେସିନ୍‌ ଅଚଳ

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଡାକ୍ତରଖାନାରେ ଡାଏଲିସିସ୍‌ ବନ୍ଦ ହୋଇଯାଇଛି। ଏଠାରେ ଥିବା ସମସ୍ତ ୬ଟି ଯାକ ଡାଏଲିସିସ୍‌ ମେସିନ ଅଚଳ ହୋଇପଡ଼ିଥିବାରୁ ଦୂର-ଦୂରାନ୍ତରୁ ଆସିଥିବା ରୋଗୀମାନଙ୍କୁ ନିରାଶ ହେବାକୁ ପଡ଼ିଛି। ୧୫ ଦିନ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ଡାଏଲିସିସ ମେସିନ ୭ ଦିନ ପାଇଁ ଅଚଳ ହୋଇ ପଡ଼ିଥିଲା। ବାରମ୍ବାର ଏଭଳି ଅଚଳ ହେଉଥିବାରୁ ରୋଗୀ ବାଧ୍ୟ ହୋଇ ନର୍ସିଂହୋମ୍‌ମୁହାଁ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି କାରଣରୁ ମେସିନ ଅଚଳ ହେବାପଛରେ ଆଉ କୌଣସି କାରଣ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ହୁତମା ଗାଁର ଡୁଲା ଉର୍ମା (୪୦)ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମେଡିସିନ ବିଭାଗରେ ଚିକିତ୍ସା ଚାଲୁଥିବାବେଳେ ତୁରନ୍ତ ଡାଏଲିସିସ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଠିକ୍‌ ବେଳକୁ ମେସିନ୍‌ ଖରାପ ହୋଇଥିବା ସୂଚନା ପାଇବା ପରେ ଗରିବ ଚାଷୀ ପରିବାର ନିରାଶ ହୋଇଯାଇଥିଲେ। ତୁରନ୍ତ ତାଙ୍କ ସ୍ବାମୀ ଡାଏଲିସିସ୍‌ ପାଇଁ ନିକଟସ୍ଥ ନର୍ସିଂହୋମ ଯାଇଥିଲେ। ମାତ୍ର ଥରେ ଡାଏଲିସିସ୍‌ ପାଇଁ ଅନ୍ୟୂନ ୩୫୦୦ରୁ ୪ ହଜାର ଆବଶ୍ୟକ ବୋଲି ଜାଣିବା ପରେ ରୋଗୀଙ୍କ ଚିକିତ୍ସା ଅଧାରେ ରହିଯାଇଥିଲା। ଡୁଲାଙ୍କ ସ୍ବାମୀ ଟଙ୍କା ଯୋଗାଡ଼ ପାଇଁ ଗାଁକୁ ଯାଇଥିବା ପରିବାର କହିଛନ୍ତି। କେବଳ ଏହି ଜଣେ ନୁହଁନ୍ତି; ଆଜି ଡାଏଲିସିସ ପାଇଁ ଆସିଥିବା ୫ ଜଣ ରୋଗୀ ସମାନ ଭାବେ ନିରାଶ ହୋଇଯାଇଥିଲେ।

ବୁର୍ଲା ବଡ଼ଡାକ୍ତରଖାନାରେ ବାରମ୍ବାର ଡାଏଲିସିସ୍ ମେସିନ ଖରାପ ହୋଇଯାଉଥିବା ଅଭିଯୋଗ କରି ରୋଗୀମାନେ ଏବଂ ସେମାନଙ୍କ ପରିବାର ମେଡିକାଲ ଅଧୀକ୍ଷକଙ୍କୁ ଭେଟିବା ପାଇଁ ଯାଇଥିଲେ। ମାତ୍ର ସେ ମଧ୍ୟ ନଥିବାରୁ ସମସ୍ତେ ନିରାଶ ହୋଇ ‌ଫେରିଥିଲେ।

ସ୍ଥାନୀୟ ଜଣେ ଅଧିବାସୀଙ୍କ କହିବାନୁସାରେ, ଅଧିକାଂଶ ସମୟରେ ଡାଇଲାଇଜର ଫ୍ଲୁଏଟ ସରିଯାଉଥିବାରୁ ମେସିନ ଅଚଳ ହୋଇ ପଡ଼ୁଛି। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ସମସ୍ୟାର ସମାଧାନ ହୋଇ ପାରିବ। ଏ ସଂପର୍କରେ ଭିମ୍‌ସାର୍‌ ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚରାଯିବାରୁ ସେ କହିଲେ, ଡାଏଲିସିସ ମେସିନ୍‌ କାର୍ଯ୍ୟକ୍ଷମ କରିବା ପାଇଁ ଡାଇଲାଇଜର ଫ୍ଲୁଏଟ୍‌ ଆବଶ୍ୟକ ହୁଏ। ତାହା ସରିଯିବାରୁ ମେସିନ୍‌ ଅଚଳ ହୋଇ ପଡ଼ିଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇଯିବ।

ସମ୍ବନ୍ଧିତ ଖବର