ସମ୍ବଲପୁର: ପଶ୍ଚିମ ଓଡ଼ିଶା ସ୍ବାସ୍ଥ୍ୟସେବାର ଜୀବନରେଖା ଭିମ୍‌ସାର‌ରେ ସୃଷ୍ଟି ହୋଇଥିବା ବିଚିତ୍ର ସ୍ଥିତି ନେଇ ପରିଶେଷରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭିମ୍‌ସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁଙ୍କ ମନମୁଖି କାର୍ଯ୍ୟ ଏବେ ତାଙ୍କ ଅଡ଼ୁଆ ବଢ଼ାଇଛି। ଲମ୍ବା ଚାକିରି ଜୀବନରୁ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ସରକାରଙ୍କୁ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କେବଳ ସେତିକି ନୁହେଁ, ୨୪ ଘଣ୍ଟା ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ଦୃ‌ଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି। ଭିମ୍‌ସାରର ଆଇନ ୨୦୧୪ ଅନୁଯାୟୀ ପ୍ରଫେସର ବର୍ଷା ଟୁଡୁଙ୍କୁ ଭିଜିଟର(ରାଜ୍ୟପାଳ)ଙ୍କ ଦ୍ବାରା ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ସଂଖ୍ୟା ୫୫୬୮/୧୦.୩.୨୦୨୩ରେ ଜରିଆରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର, ସେ ନିଶ୍ଚେତକ ବିଭାଗର ପ୍ରଫେସର ବିମଳକୃଷ୍ଣ ପଣ୍ଡାଙ୍କୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ନନେଇ ନିର୍ଦ୍ଦେଶକ ଦାୟିତ୍ବ ହସ୍ତାନ୍ତର କରି ଗତ ୨୦ ଡିସେମ୍ବର ୨୦୨୩ରୁ ୧୫ ଜାନୁଆରି ୨୦୨୪ ପର୍ଯ୍ୟନ୍ତ ଛୁଟିରେ ଚାଲି ଯାଇଥିଲେ। ଛୁଟିରୁ ଫେରିବା ପରେ ବି ସେ ଆଉ ନିର୍ଦ୍ଦେଶକ ଦାୟିତ୍ବ ନେଇନଥିଲେ। ଗତ ୩୦ ତାରିଖ ଦିନ ରାଜ୍ୟ ସରକାରଙ୍କ କମିସନର ତଥା ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ପ୍ରଫେସର ଟୁଡୁଙ୍କୁ ଦେଇଥିବା କାରଣ ଦର୍ଶାଅ ନୋଟିସ୍‌ରେ ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ ଉଲ୍ଳେଖ କରିବା ସହିତ ଏହାକୁ ବିଶୃଙ୍ଖଳା ଆଚରଣ ଏବଂ ସରକାରଙ୍କ ଆଦେଶର ଅବମାନନା ଭାବେ ବର୍ଣ୍ଣନା କରିଛନ୍ତି। କମିସନର ତଥା ସ୍ବାସ୍ଥ୍ୟ ସଚିବ ଆହୁରି ଲେଖିଛନ୍ତି ଯେ ମେଲ୍‌ ପାଇବାର ୨୪ ଘଣ୍ଟା ମଧ୍ୟରେ ‌କେଉଁ କ୍ଷମତା ବଳରେ ସେ ପ୍ରଫେସର ବିମଳକୃଷ୍ଣ ପଣ୍ଡାଙ୍କୁ ନିର୍ଦ୍ଦେଶକ ଦାୟିତ୍ବ ଦେଇଥିଲେ ଏବଂ ଛୁଟିରେ ଫେରିବା ପରେ ବି କାହିଁକି ପୁଣି ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତ‌ୁଲାଇଲେ ନାହିଁ ସେ ସମ୍ପର୍କରେ ଜଣାଇବେ। ଯଦି, ନିର୍ଦ୍ଧାରିତ ଅବଧି ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଫେସର ବର୍ଷା ଟୁଡୁଙ୍କୁ ଦିଆଯାଇଥିବା ମେଲ୍‌ରେ ସ୍ପଷ୍ଟ ଭାବେ ଉ​ଲ୍ଲେଖ କରିଛନ୍ତି।

Advertisment

ଏ ସଂକ୍ରାନ୍ତରେ ପ୍ରଫେସର ଟୁଡୁଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲା, ମାତ୍ର ସେ କଲ୍‌ ରିସିଭ୍‌ ନକରିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇପାରି ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଭିମ୍‌ସାରରେ ପ୍ରଫେସର ପଣ୍ଡାଙ୍କ ଠାରୁ ପ୍ରାୟ ୧୫ ଜଣ ବରିଷ୍ଠ ପ୍ରଫେସର ରହିଛନ୍ତି। କିନ୍ତୁ, ପ୍ରଫେସର ଟୁଡୁ ସେମାନଙ୍କ(ବରିଷ୍ଠ ପ୍ରଫେସର) ମଧ୍ୟରୁ କାହାରିକୁ ଦାୟିତ୍ବ ନଦେଇ ପ୍ରଫେସର ପଣ୍ଡାଙ୍କୁ ନିଜ ଇଚ୍ଛା ଅନୁସାରେ ପ୍ରଫେସର ପଣ୍ଡାଙ୍କୁ ଭିମ୍‌ସାର ନିର୍ଦ୍ଦେଶକ ଦାୟିତ୍ବ ଦେଇଥିଲେ। ଏପଟେ ପ୍ରଫେସର ଟୁଡୁ ଆଜି ଚାକିରରୁ ଅବସର ନେଇଛନ୍ତି। ଏହି ପ୍ରସଂଗରେ ‘ସମ୍ବାଦ’ରେ ଏକାଧିକ ଖବର ପ୍ରକାଶ ପାଇବା ପରେ ସରକାର ସ୍ତରରେ ତତ୍ପରତା ପ୍ରକାଶ ପାଇଛି।