୭୦ ବର୍ଷୀୟା ବୃଦ୍ଧାଙ୍କୁ ଗୋଇଠା ମାଡ଼

ଭିମ୍‌ସାର୍‌ ପିଜି ଡାକ୍ତରଙ୍କ ଉତ୍ପାତ

କ୍ଷମା ମାଗିବା ପରେ ଅଭିଯୋଗ ପ୍ରତ୍ୟାହାର

ବୁର୍ଲା/ସମ୍ବଲପୁର : ଭିମ୍‌ସାର୍‌ ବୁର୍ଲାରେ ପୁଣି ଜଣେ ପିଜି ଡାକ୍ତରଙ୍କ ଉଦ୍ଧତ ଆଚରଣ ଦେଖିବାକୁ ମିଳିଛି। ଏଥର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା। ଭିମ୍‍ସାର୍‍ ପ୍ରସୂତି ଓ ସ୍ତ୍ରୀ’ରୋଗ ଓ୍ଵାର୍ଡରେ ଭର୍ତ୍ତିି ଜଣେ ଆସନ୍ନ ପ୍ରସବାଙ୍କ ୭୦ ବର୍ଷୀୟା ସଂପର୍କୀୟାଙ୍କୁ ସଂପୃକ୍ତ ବିଭାଗର ଜଣେ ପିଜି ଡାକ୍ତର ମାଡ଼ ମାରିଛନ୍ତି। ପ୍ରଥମେ ସେ ବୃଦ୍ଧାଙ୍କୁ ଗୋଟିଏ ଗୋଇଠା ପକାଇ ଥିବାବେଳେ ଦ୍ୱିତୀୟଥର ଆସି ଧରିଥିବା ରେଜିଷ୍ଟର୍‌ (ପଟାବନ୍ଧା ଖାତା) ତାଙ୍କ ମୁହଁକୁ ମାରି ଆହତ କରିଛନ୍ତି। ଫାଇଲ୍‌ ମାଡ଼ରେ ବୃଦ୍ଧାଙ୍କ ଓଠ ଓ ଦାନ୍ତ ମାଢ଼ି ଫାଠି ଯିବାରୁ ସେ ରକ୍ତାକ୍ତ ହୋଇଥିଲେ। ଏନେଇ ବୃଦ୍ଧା ଜଣକ ବୁଧବାର ବୁର୍ଲା ଥାନାରେ ଲିଖିତ ଏତଲା ଦେଇଥିଲା ବେଳେ ପରେ ପୁଲିସ୍‌ ଉପସ୍ଥିତିରେ ଦୋଷୀ ଡାକ୍ତର କ୍ଷମା ମାଗିବାରୁ ଘଟଣାର ଆପୋଷ ସମାଧାନ ହୋଇଥିବା ଜଣା ପଡ଼ିଛି। ତେବେ ବୁର୍ଲାର ହାତଗଣତି ଡାକ୍ତରଙ୍କ ଏଭଳି ଆଚରଣକୁ ସବୁ ମହଲରୁ ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ତାଲବ ହାଟପଦାର ଜଣେ ପ୍ରସୂତି ପୁଷ୍ପା ଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ପୁଷ୍ପାଙ୍କ ସହ ତାଙ୍କ ଶାଶୂ ପାନ ଦୀପ(୭୦) ମଧ୍ୟ ବୁର୍ଲା ଆସିଥିଲେ। ମଙ୍ଗଳବାର ରାତି ୧୦ଟାରେ ପାନ ସେହି ବିଭାଗରେ ତଳେ ବସି ନିଜ ନାତିକୁ କ୍ଷୀର ପିଆଉ ଥିବା ବେଳେ ସଂପୃକ୍ତ ଡାକ୍ତର ଜଣକ ଆସି କ୍ରୋଧରେ ତାଙ୍କୁ ଗୋଟିଏ ଗୋଇଠା ପକାଇ ଏଠାରେ କାହିଁକି ବସିଛୁ ବୋଲି କହିଥିଲେ। ଦୁର୍ବ୍ୟବହାର କରି ତାଙ୍କୁ ସେଠାରୁ ତଡ଼ି ଦେଇଥିଲେ। କିଛି ସମୟ ପରେ ତାଙ୍କ ନାତି ଭୋକରେ ପୁଣି କାନ୍ଦିବାରୁ ପାନ ପୁଣି ଆସି ତାକୁ କ୍ଷୀର ପିଆଉ ଥିଲେ। ସେତିକି ବେଳେ ସେହି ଡାକ୍ତର ଜଣକ ପୁନର୍ବାର ପାନଙ୍କୁ ସେଠାରେ ଦେଖି କ୍ରୋଧ ସମ୍ଭାଳି ନପାରି ଧରିଥିବା ପଟାବନ୍ଧା ଖାତାରେ ଜୋର୍‌ରେ ତାଙ୍କ ମୁହଁକୁ ମାରିଥିଲେ।

ଫଳରେ ବୃଦ୍ଧାଙ୍କ ମାଢ଼ି ଫାଟି ପାଟିରୁ ରକ୍ତ ବାହାରିବା ସହ ଓଠ ଫୁଲି ଯାଇଥିଲା। ଡାକ୍ତରଙ୍କ ଏଭଳି କାମକୁ ସେଠାରେ ଉପସ୍ଥିତ ଅନ୍ୟ ରୋଗୀ ଓ ପରିଜନ ମଧ୍ୟ ନିନ୍ଦା କରିଥିଲେ। ବୃଦ୍ଧା ଜଣକ ତାଙ୍କ ପୁଅକୁ ଘଟଣା ସଂପର୍କରେ ଜଣାଇବା ସହ ବିଭାଗରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଓ ପରେ ମେଡିକାଲ୍‍ ପୁଲିସ୍‍ ଫାଣ୍ଡିରେ ଅଭିଯୋଗ କରିଥିଲେ। ଏଏସ୍‍ଆଇ ଡିଏନ୍‍ ବିଶ୍ୱାଲ ଜଣେ ମହିଳା କନଷ୍ଟବଲଙ୍କୁ ନେଇ ବିଭାଗରେ ପହଞ୍ଚିଥିଲେ। ତଦନ୍ତ ପରେ ଘଟଣାରେ ସତ୍ୟତା ଥିବା ଜଣା ପଡ଼ିଥିଲା। ବୃଦ୍ଧା ଜଣକ ସଂପୃକ୍ତ ପିଜି ଡାକ୍ତରଙ୍କୁ ଚିହ୍ନଟ କରିଥିଲେ। ବୁଧବାର ଘଟଣାଟି ପ୍ରଘଟ ହେବା ପରେ ରୋଗୀ ଓ ପରିଜନ ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବୃଦ୍ଧାଙ୍କୁ ନେଇ କିଛି ସାମାଜିକ କର୍ମୀ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ୍‌ ଏସ୍‌ଡିପିଓ ଅବକାଶ ରାଉତରାୟ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବୁର୍ଲା ମେଡିକାଲ ଫାଣ୍ଡିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ଦୋଷୀ ଡାକ୍ତର ଏବଂ ପିଜି ଡାକ୍ତର ସଂଘ ସଂପୃକ୍ତ ବୃଦ୍ଧାଙ୍କୁ କ୍ଷମା ମାଗିଥିଲେ। ଏହାପରେ ବୃଦ୍ଧା ଜଣକ ଅଭିଯୋଗ କରିବେ ନାହିଁ ବୋଲି ଲିଖିତଭାବେ ପୁଲିସ୍‌କୁ ଜଣାଇଥିବା ଏସ୍‌ଡିପିଓ ଅବକାଶ ରାଉତରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର