ଭିମସାର ରୋଗୀ ପରିଜନ ମାଡ଼ପିଟ ମାମଲା: ନର୍ସିଂହୋମ ସିସିଟିଭି ଫୁଟେଜରୁ ମିଳିଛି ପ୍ରମାଣ-ଗିରଫ ହେବେ କି ଡାକ୍ତର ଏବଂ ଡାକ୍ତରୀ ଛାତ୍ର?

ସମ୍ବଲପୁର: ଭିମସାରରେ ରୋଗୀ ପରିଜନ ମାଡ଼ପିଟ ମାମଲାରେ ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ। ସମଲେଶ୍ବରୀ ନର୍ସିଂହୋମ ସିସିଟିଭି ଫୁଟେଜ ଯାଞ୍ଚ ବେଳେ ପୁଲିସକୁ ଏହା ହସ୍ତଗତ ହୋଇଛି। ଏଭଳି ସ୍ଥିତିରେ ଡାକ୍ତର ଗିରଫଦାରୀ ନେଇ ପୁଲିସ ପଦକ୍ଷେପକୁ ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଅନ୍ୟଦିଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ଘଟଣାସ୍ଥଳରେ ପୁଲିସକୁ ଗୋଟିଏ ମଧ୍ୟ ସିସିଟିଭି ନାହିଁ। ଏଠାରେ ଯଥାଶିଘ୍ର ସିସିଟିଭି ଲଗାଇବା ପାଇଁ ପୁଲିସ ପକ୍ଷରୁ ମେଡିକାଲ ଅଧୀକ୍ଷକଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର। ଭିମସାର କମିଟି ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଭାବରେ ତଦନ୍ତ ଆରମ୍ଭ ହୋଇଛି। ୨ ଜଣ ପ୍ରଫେସର ଏବଂ ଭିମସାର ପ୍ରଶାସନିକ ଅଧିକାରୀ ଏଥିସଂକ୍ରାନ୍ତରେ ଡ.ସୂର୍ଯ୍ୟକାନ୍ତ ପାଟ୍ଟଜୋଷୀ, ଜେଡିଏ ସଭାପତି ସଞ୍ଜୀବ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଡାକ୍ତର ଏବଂ ଡାକ୍ତରୀ ଛାତ୍ରଙ୍କ ସହିତ ପଚରାଉଚୁରା କରିଥିଲେ। ଆସନ୍ତାକାଲି ସୁଦ୍ଧା ଏହି କମିଟି ରିପୋର୍ଟ ଦାଖଲ କରିବ ବୋଲି କହିଛନ୍ତି ଭିମସାର ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରା।

ଭିମସାର ଡାକ୍ତର ଦୁର୍ବ୍ୟବହାର ମାମଲାରେ ୨ ଯୁବକ ବର୍ତ୍ତମାନବି ଜେଲରେ ଅଛନ୍ତି। ରୋଗୀ ପରିଜନ ମାଡ଼ପିଟ ମାମଲା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି। ସର୍ବସମ୍ମୁଖରେ ପୁଲିସ ଉପସ୍ଥିତିରେ ୧୫୦-୨୦୦ ଡାକ୍ତରୀ ଛାତ୍ର ରୋଗୀଙ୍କ ପରିଜନଙ୍କୁ ସାମୁହିକ ମାଡ଼ ଦେଇଥିଲେ। ଏପରିକି ପୁଲିସ ପହଞ୍ଚିନଥିଲେ ସମଲେଶ୍ବରୀ ନର୍ସିଂହୋମ ରୋଗୀ ଠଣସୁନ୍ଦର ବେହେରାଙ୍କ ପୁଅ ମୁକେଶ ବେହେରା ଏବଂ ସମ୍ପର୍କୀୟ ଝସକେତନ ରାଉତଙ୍କ ଅବସ୍ଥା କଣ ହୋଇଥାଆନ୍ତା କୁହାଯାଇ ପାରିବ ନାହିଁ ବୋଲି ପୁଲିସର ପ୍ରାଥମିକ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏହା ସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇ ନାହିଁ। ଏପରିକି ପଚରାଉଚୁରା ପାଇଁ ମଧ୍ୟ କୌଣସି ଡାକ୍ତରୀ ଛାତ୍ରଙ୍କୁ ଥାନାକୁ ଡକାଯାଇ ନାହିଁ। ନିର୍ଦିଷ୍ଟ ଭାବରେ ଡାକ୍ତରୀ ଛାତ୍ରଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇ ନାହିଁ। ପରିଜନ ମାଡ଼ପିଟ ମାମଲାରେ ପୁଲିସ ସମଲେଶ୍ବରୀ ନର୍ସିଂହୋମ ମାଲିକଙ୍କ ସହିତ ମଧ୍ୟ ପଚରାଉଚୁରା କରିଥିବା ଜଣାପଡ଼ିଛି। ନର୍ସିଂହୋମ ମାଲିକ କଣ ବୟାନ ଦେଇଛନ୍ତି ଏହା ସ୍ପଷ୍ଟ ହୋଇ ନାହିଁ। ସିସିଟିଭି ଫୁଟେଜର ହାର୍ଡଡିକ୍ସ ଏସପିଙ୍କୁ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ଛି। ଡିଆଇଜି ମଧ୍ୟ ଏହି ମାମଲାର ପ୍ରତ୍ୟକ୍ଷ ନିରୀକ୍ଷଣ କରୁଛନ୍ତି। ତାଙ୍କର ଭୂମିକା ମଧ୍ୟ ଏଠାରେ ଗୁରୁତ୍ବପୂର୍ଣ୍ଣ। ଘଟଣାଦିନ ଡ.ପାଟ୍ଟଜୋଷୀ ନର୍ସିଂହୋମ ଯାଇଥିବା ସ୍ପଷ୍ଟ ହୋଇଛି। ରୋଗୀଙ୍କୁ କାନଧରି ବସଉଠ କରାଇବାବେଳକୁ କିଛି ଡାକ୍ତର ଏବଂ ଡାକ୍ତରୀ ଛାତ୍ରଙ୍କ ଭିଜୁଆଲ ରହିଛି। ସେମାନଙ୍କ ଭୂମିକାକୁ ପୁଲିସ କେଉଁ ଦୃଷ୍ଟିରେ ନେଉଛି ଏହା ମଧ୍ୟ ତଦନ୍ତର ଗୁରୁତ୍ବପୂର୍ଣ୍ଣ ଦିଗ ଅଟେ।

ସମ୍ବନ୍ଧିତ ଖବର