ଭିମସାର ପରିଚାଳନା ବୋର୍ଡ ବୈଠକ : ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିକୁ ମଞ୍ଜୁରି

ପ୍ର. ବ୍ରଜ ମିଶ୍ର ହେଲେ ନୂଆ ଅଧୢକ୍ଷ, ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶିତ, ଛୁଟି ପରେ ଦିଆ ହେବ ନିଯୁକ୍ତିପତ୍ର

ସମ୍ବଲପୁର : ଦୀର୍ଘ ୮ ମାସର ପ୍ରତୀକ୍ଷା ପରେ ଭିମ୍‌ସାର‌୍‌ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିକୁ ସବୁଜ ସ˚କେତ ମିଳିଛି। ଭିମସାର ପରିଚାଳନା ବୋର୍ଡ ଏହାକୁ ମଞ୍ଜୁର କରିଛି। ସୋମବାର ଅନୁଷ୍ଠିତ ବୋର୍ଡର ପଞ୍ଚମ ବୈଠକରେ ନିଯୁକ୍ତି ତାଲିକା ମଞ୍ଜୁର ହେବା ପରେ ସ˚ଧୢାରେ ଫଳାଫଳ ପ୍ରକାଶିତ ହୋଇଛି। ଏବେ ଯୋଗ୍ୟ ବିବେଚିତ ୭୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ନବନିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରମାନେ କାର୍ଯ୍ୟରେ ଯୋଗ ଦେଲେ ବହୁ ବର୍ଷ ଧରି ଲାଗି ରହିଥିବା ଭିମ୍‌ସାର‌୍‌ର ଡାକ୍ତର ସମସ୍ୟା ଅନେକା˚ଶରେ ଦୂର ହେବ ବୋଲି ଆଶା କରାଯାଉଛି।

ସୋମବାର ଅନୁଷ୍ଠିତ ବୋର୍ଡ ବୈଠକରେ ୧୫ ସଦସ୍ୟଙ୍କ ମଧୢରୁ ୧୦ ଜଣ ଉପସ୍ଥିତ ଥିଲେ। ଏଥିରେ ଅଧୢକ୍ଷତା କରି ପ୍ର. ଅଶ୍ବିନୀ ପୂଜାହାରୀ ବୋର୍ଡ ସମ୍ମୁଖରେ ନିଯୁକ୍ତି ତାଲିକା ଉପସ୍ଥାପନ କରିବା ସହ ଏହା ଉପରେ ଚାଲିଥିବା ମାମଲା ଗୁଡ଼ିକ ସ˚ପର୍କରେ ନିଆ ଯାଇଥିବା ଆଇନ୍‌ଗତ ମତାମତ (ଲିଗାଲ ଓପିନିୟନ) ରଖିଥିଲେ। ବୈଠକରେ ଅନୁଷ୍ଠିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ମଧୢରେ ଶଲ୍ୟ ବିଭାଗର ମୁଖ୍ୟ ତଥା ଭିମସାର‌୍‌ର ପୂର୍ବତନ ଅଧୀକ୍ଷକ ପ୍ର. ବ୍ରଜ ମୋହନ ମିଶ୍ରଙ୍କୁ ଅଧୢକ୍ଷ ତଥା ଡିନ୍‌ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଅଧୢକ୍ଷ ତଥା ଡିନ୍‌ ଥିବା ଭେଷଜ ବିଭାଗର ପ୍ର. ମନୋଜ ମହାପାତ୍ର ଇସ୍ତଫା ଦେଇଥିବାରୁ ତାଙ୍କ ସ୍ଥାନରେ ପ୍ର. ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ସ୍ଥାୟୀ ଅଧୢକ୍ଷ ତଥା ଡିନ୍‌ ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଅପରପକ୍ଷରେ ଭିମସାର‌୍‌ର ସ୍ଥାୟୀ ଅଧୢକ୍ଷ, ଅଧୀକ୍ଷକ ଓ କୁଳସଚିବ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଭିମସାର‌୍‌ର ଯୋଗ୍ୟ ପ୍ରଫେସରମାନେ ହିଁ ଆବେଦନ କରିପାରିବେ। ଯଦି ଅନୁଷ୍ଠାନର କେହି ପ୍ରଫେସର ଏଥି ପାଇଁ ଆଗ୍ରହ ପ୍ରକାଶ ନକଲେ ତା’ହେଲେ ପୁଣିଥରେ ଖୋଲା ବିଜ୍ଞାପନ ପ୍ରକାଶ ଜରିଆରେ ଏଥି ପାଇଁ ବାହାରୁ ପ୍ରାର୍ଥୀ ଆହ୍ବାନ କରାଯିବ।

ସମ୍ବନ୍ଧିତ ଖବର