ଭିମ୍‌ସାରରେ ଏଚ୍‌ଆଇଭି ରୋଗୀଙ୍କ ଅସ୍ତ୍ରୋପଚାର ଘଟଣା : ରିପୋର୍ଟ ଦାଖଲ କଲା ତଦନ୍ତକାରୀ କମିଟି

ସମ୍ବଲପୁର : ଗତ ୨୮ ତାରିଖରେ ବୁର୍ଲା ବଡ଼ ଡାକ୍ତରଖାନାର ଦନ୍ତ ଚିକିତ୍ସା ବିଭାଗରେ ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପରେ ଅନ୍ୟ କେତେଜଣ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ଘଟଣା ଘଟିଥିଲା। ଏହାର ୧୨ ଦିନ ପରେ ତଦନ୍ତକାରୀ କମିଟି ଡାକ୍ତରଖାନା ଅଧୀକ୍ଷକଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଘଟଣା ଦିନ ପ୍ରକୃତରେ କ’ଣ ଘଟିଥିଲା, କେଉଁ ପରିସ୍ଥିତିରେ ସହକାରୀ ପ୍ରଫେସର ଡା.ପ୍ରଶାନ୍ତ ସ୍ବାଇଁ ଏଭଳି ଅସ୍ତ୍ରୋପଚାର କରିଥିଲେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ କେତେ ଦୂର ଠିକ୍‌ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ କମିଟି ରିପୋର୍ଟ ଦାଖଲ କରିଛନ୍ତି।

ସଂକ୍ରମଣ ବିଭାଗର ମୁଖ୍ୟ ଡା. ପ୍ରଭାତୀ ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‌ ମୋଟ ୧୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିବ‌ା ଜଣାପଡ଼ିଛି। ଡା.ଦତ୍ତଙ୍କ ନେତୃତ୍ବରେ ଗଠିତ ଏହି ଟିମ୍‌ରେ ରହିଥିବା ପ୍ରାଶାସନିକ ଅଧିକାରୀ ସୁବ୍ରତ ନାୟକ, ମାଇକ୍ରୋ ବାୟୋଲୋଜି ବିଭାଗର ଡା. ଦୀପଙ୍କର ପଟ୍ଟନାୟକ, ମେଡିସିନ ବିଭାଗର ସହକାରୀ ପ୍ରଫେସର ଡା. ପ୍ରଫୁଲ୍ଲ ବେରିହା, ଡା. ମଳୟ ରଞ୍ଜନ ନାୟକ , ଏଫଏମଟି ବିଭାଗର ଡା. ସତ୍ୟସାଈ ପଣ୍ଡା ଘଟଣା ସହ ଜଡ଼ିତ ଥିବା ସମସ୍ତ ପ୍ରମାଣ ମଧ୍ୟ ସଂଗ୍ରହ କରି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଅସ୍ତ୍ରୋପଚାର କରିଥିବା ଡା. ସ୍ବାଇଁ, ବିଭାଗୀୟ ମୁଖ୍ୟ ଡା. ଅନୁପ ଶତପଥୀ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଉକ୍ତ ରୋଗୀଙ୍କ ବାପା, ଅସ୍ତ୍ରୋପଚାର ସମୟରେ ଥିବା ଆଟେଣ୍ଡାଣ୍ଡ, ନର୍ସଙ୍କ ସମେତ ମୋଟ ୧୪ ଜଣଙ୍କର ବୟାନ୍‌ ସଂଗ୍ରହ କରାଯାଇଛି। ସୋମବାର ଏହି ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଯିବ।

ଯଦିଓ ରିପୋର୍ଟରେ କଣ ରହିଛି ସେ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ନିରବତା ରକ୍ଷା କରିଛନ୍ତି, ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅସ୍ତ୍ରୋପଚାର କରିଥିବା ଡା.ପ୍ରଶାନ୍ତ ସ୍ବାଇଁଙ୍କ ସେଭଳି କିଛି ତ୍ରୁଟି ପରିଲକ୍ଷିତ ହୋଇ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡା. ସ୍ବାଇଁ ଅସ୍ତ୍ରୋପଚାର ସମୟରେ ଯଥାସମ୍ଭବ ସତର୍କତା ଅବଲମ୍ବନ କରିଥିବା ବେଳେ ସଂକ୍ରମିତ ଯନ୍ତ୍ରପାତି ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାରରେ ବ୍ୟବହାର କରିନଥିବା ରିପୋର୍ଟରେ କୁହାଯାଇଛି।

ସ୍ମରଣଯୋଗ୍ୟ, ଗତ ୨୮ ତାରିଖରେ ଡାକ୍ତରଖାନାର ସର୍ଜରି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କର ମୁହଁର ହାଡ଼ ଭାଙ୍ଗି ଯାଇଥିବାରୁ ଦନ୍ତ ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଅସ୍ତ୍ରୋପଚାର ପରେ ଉକ୍ତ ରୋଗୀ ଏଚ୍‌ଆଇଭି ସଂକ୍ରମିତ ଥିବା ଜଣାପଡ଼ିବା ପରେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଅସ୍ତ୍ରୋପଚାର କରିଥିବା ସହକାରୀ ପ୍ରଫେସର ଡା.ପ୍ରଶାନ୍ତ ସ୍ବାଇଁ ଏହା ପରେ ମଧ୍ୟ ଅନ୍ୟ ରୋଗୀଙ୍କ ଅସ୍ତ୍ରୋପଚାର କରିଥିବା ଖୋଦ୍‌ ବିଭାଗୀୟ ମୁଖ୍ୟ ଡା.ଅନୁପ ଶତପଥୀ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର