ସମ୍ବଲପୁର : ଭିମସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ୧୦ ଦିନ ପୂରିଛି। ଗୋଟିଏ ପଟେ କନିଷ୍ଠ ଡାକ୍ତର ସଂଘ ଆନ୍ଦୋଳନ ପ୍ରତ୍ୟାହାର ନକରିବାକୁ ଜିଦ୍ ଧରି ବସିଥିବାବେଳେ ଆଉ ଗୋଟିଏ ପଟେ, ରୋଗୀସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ମେଡିକାଲରେ ୩୫୦ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି। ଏବେ ଶହେରୁ କମ୍ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଓ ପ୍ରଫେସର ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି। ହସ୍ପିଟାଲରେ ଲାଗି ରହିଥିବା ଏପରି ଅଚଳାବସ୍ଥା ଯୋଗୁଁ ରୋଗୀ ସଂଖ୍ୟା ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗୁଥିବା ଜଣାପଡ଼ିଛି। ଅପରପକ୍ଷେ, କାର୍ଯ୍ୟରତ ଡାକ୍ତରଙ୍କ ଉପରେ ମଧ୍ୟ ଅତ୍ୟଧିକ ଚାପ ପଡ଼ୁଥିବାରୁ ସେମାନେ ମଧ୍ୟ ଗଭୀର କ୍ଷୋଭ ପ୍ରକାଶ କରୁଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ରେସିଡେଣ୍ଟ ଡାକ୍ତର କହିଛନ୍ତି ଯେ, ରୋଗୀ ଚିକିତ୍ସା ସେମାନଙ୍କର ଧର୍ମ ହୋଇଥିବାରୁ ବାଧ୍ୟ ହୋଇ ସେମାନେ ଏତେ ଚାପ ସହୁଛନ୍ତି। ବିଗତ ୧୦ ଦିନ ମଧ୍ୟରେ ସେମାନେ ଦିନକ ପାଇଁ ମଧ୍ୟ ଛୁଟିରେ ଯାଇପାରିନଥିବା ବେଳେ ଦିନକୁ ୧୫-୧୭ରୁ ଘଣ୍ଟା କାମ କରିବାକୁ ପଡ଼ୁଥିବା କହିଛନ୍ତି। ଅସ୍ତ୍ରୋପଚାର ପାଇଁ ଆନାସ୍ଥେସିଆର ଆବଶ୍ୟକତା ରହୁଥିବାବେଳେ ଏଥିପାଇଁ ଆବଶ୍ୟକୀୟ ଡାକ୍ତର ନାହାନ୍ତି। ଅସ୍ଥିଶଲ୍ୟ, ଲେବର ରୁମ, ସର୍ଜରୀ, ଇଏନଟି ଆଦି ସମସ୍ତ ବିଭାଗ ପାଇଁ ମାତ୍ର ୨ ଜଣ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ଆନାସ୍ଥେିସିଆ ଦେଉଥିବା ଜଣାପଡ଼ିଛି। ଫଳରେ ସେମାନେ ସପ୍ତାହକୁ ୩ ଦିନ ଲେଖାଏଁ ୨୪ ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ଅନ୍ୟସମସ୍ତ ବିଭାଗରେ ମଧ୍ୟ ସ୍ଥିତି ଅନୁରୂପ ରହିଥିବା ଦେଖିବାକୁ ମିଳୁଛି। ଏନେଇ ମେଡିକାଲ ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ସେ କହିଥିଲେ ଯେ, ଲୋକବଳ ନିହାତି ଆବଶ୍ୟକ କିନ୍ତୁ ଆମେ ବିଜ୍ଞପ୍ତି ପ୍ରକାଶ କଲେବି କେହି ଆବେଦନ କରୁନାହାନ୍ତି। ଯେତିକି ବି ଆବେଦନ କରୁଛନ୍ତି, ଚୟନ ପପରେ ସେମାନଙ୍କ ମଧ୍ୟରୁ ବି ଅର୍ଦ୍ଧାଧିକ ଛାଡ଼ି ପଳାଉଛନ୍ତି।
ଅନ୍ୟପକ୍ଷରେ, ଭିମସାରରେ ଲାଗି ରହିଥିବା ଏଭଳି ଅଚଳାବସ୍ଥା ଯୋଗୁଁ ରୋଗୀ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି। ବୁଧବାର କାଜୁଆଲଟିରେ ଅପକ୍ଷୋକୃତ କମ୍ ରୋଗୀ ଭର୍ତ୍ତି ହୋଇଥିଲେ। ସେପଟେ, ସମସ୍ତ ବିଭାଗର ଓପିଡି ବା ବହିର୍ବିଭାଗରେ ପ୍ରାୟ ୨୨ଶହ ରୋଗୀଙ୍କ ଚିକିତ୍ସା ହୋଇଥିବା ବେଳେ ଆଇପିଡି ବା ଆନ୍ତଃ ବିଭାଗରେ ୧୮୬ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ପ୍ରକୃତରେ ଏତେ ସଂଖ୍ୟକ ରୋଗୀ ଭର୍ତ୍ତି ହେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଯଦିଓ ପରିସ୍ଥିତି ସ୍ବାଭାବିକ କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି, ତଥାପି ମଧ୍ୟ ରୋଗୀସେବା ବାଧାପ୍ରାପ୍ତ ହେଉଛି।