ଭିମ୍‌ସାରରେ ଅକ୍ସିଜେନ୍ ଅଭାବ! ୪୬ ଘଣ୍ଟାରେ ଚାଲିଗଲାଣି ୨୮ ରୋଗୀଙ୍କ ଜୀବନ

ରାତି ୧୦ଟା ମଧ୍ୟରେ ୨୮ ଜଣଙ୍କ ଜୀବନ ଚାଲିଯାଇଛି

ସମ୍ବଲପୁର : ଭିମ୍‌ସାରରେ ଅକ୍ସିଜେନ୍ ଅଭାବ!  ଅକ୍ସିଜେନ ଅଭାବରୁ ୪୬ ଘଣ୍ଟାରେ ଚାଲିଗଲାଣି ୨୮ ରୋଗୀଙ୍କ ଜୀବନ।

ପ୍ରାପ୍ତ ସୂଚନା ଅନୁସାରେ, ଭିମ୍‌ସାର ଆଶୁଚିକିତ୍ସା ବିଭାଗରେ ୧୫ଟି ଶଯ୍ୟା ସାଧାରଣ ଶଯ୍ୟା ରହିଥିବା ବେଳେ ଅସ୍ତ୍ରୋପଚାର କକ୍ଷରେ ୩ଟି ଶଯ୍ୟା ରହିଛି। ଭିମ୍‌ସାରକୁ ଆସୁଥିବା ରୋଗୀମାନେ ପ୍ରଥମେ ଆଶୁଚିକିତ୍ସା ବିଭାଗରେ ଭର୍ତ୍ତି ହେଉଛନ୍ତି। କୋଭିଡ୍ ସହେନ୍ଦ ରୋଗୀମାନଙ୍କୁ ଆଶୁଚିକିତ୍ସା ବିଭାଗରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯାଉଛି। ସ୍ବାବ୍‌ ଟେଷ୍ଟରୁ ରୋଗୀ ଆକ୍ରାନ୍ତ ଥିବା ଜଣାପଡ଼ିଲେ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି। ରିପୋର୍ଟ ନେଗେଟିଭ୍ ଆସି‌ଲେ ସେମାନଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନ୍ତାନ୍ତର କରାଯାଉଛି। ଆଶୁଚିକିତ୍ସା ବିଭାଗରେ ଶଯ୍ୟା ଅଭାବ ଯୋଗୁଁ ରୋଗୀମାନେ ଚଟାଣ ଉପରେ ଶୋଇ ଚିକିତ୍ସିତ ହେଉଛନ୍ତି।

ଶଯ୍ୟା ସାଂଗକୁ ଅକ୍ସିଜେନ୍‌ର ବି ଘୋର ଅଭାବ ପରିଲକ୍ଷିତ ହେଉଛି। ସ୍ଥିତି ଏମିତି ହୋଇଛି ଯେ, ଗୋଟିଏ ସିଲିଣ୍ଡରରୁ ୨/ ୩ ଜଣ ‌ଲେଖାଏଁ‌ ରୋଗୀଙ୍କୁ ଅକ୍ସିଜେନ୍‌‌ ଯୋଗାଇ ଦିଆଯାଉଛି। ଗତ ୯ ତାରିଖରୁ ୧୦ ତାରିଖ ସକାଳ ୮ଟା ମଧ୍ୟରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଅନ୍ୟ ୬ ଜଣ ରୋଗୀ ଆସିବା ବାଟରେ କିମ୍ବା ଆଶୁଚିକିତ୍ସା ବିଭାଗରେ ପହଞ୍ଚିବାର ୫/୧୦ ମିନିଟରେ ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ୧୦ ତାରିଖ ସକାଳ ୮ଟାରୁ ରାତି ୧୦ଟା ମଧ୍ୟରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଥିରୁ ୮ ଜଣ ଏଠାରେ ଚିକିତ୍ସାଧୀନ ଥିଲେ। ଅନ୍ୟ ୩ ଜଣ ରୋଗୀଙ୍କ ଡାକ୍ତରଖାନାକୁ ପହଞ୍ଚିବାର କିଛି ସମୟ ଭିତରେ ପ୍ରାଣବାୟୁ ଉଡ଼ିଯାଇଛି। ଏସବୁ ରୋଗୀଙ୍କ ସ୍ବାବ୍ ରିପୋର୍ଟ ଆସିନଥିବାରୁ ସେମାନେ କରୋନା ଆକ୍ରାନ୍ତ ଥିଲେ କି ନାହିଁ, ତାହା ଜଣାପଡ଼ିନାହିଁ।

ଆଶୁଚିକିତ୍ସା ବିଭାଗରେ ଶଯ୍ୟା ତୁଳନାରେ ରୋଗୀଙ୍କ ସଂଖ୍ୟା ଅଧିକ ହେଉଥିବାରୁ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନଙ୍କ ମଧ୍ୟରେ ଅଧିକ ଚାପ ରହୁଛି। ଏ ସଂକ୍ରାନ୍ତରେ ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଲିତ ମେହେରଙ୍କୁ ପଚାରିବାରୁ ସେ କହିଲେ, ଅକ୍ସିଜେନ୍‌ର ଅଭାବ ନାହିଁ। ତେବେ, ଶଯ୍ୟା ତୁଳନାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। କେତେକ ରୋଗୀ ଅତି ଗୁରୁତର ଅବସ୍ଥାରେ ଆସୁଛନ୍ତି, ସେମାନଙ୍କର ମୃତ୍ୟୁ ବି ହେଉଛି। ଯେହେତୁ, ଶଯ୍ୟା ସମସ୍ତଙ୍କୁ ଯୋଗାଇବା ସମ୍ଭବ ହେଉନାହିଁ, ତେଣୁ ଲୋକ‌େ ଅବହେଳା ହେଉଥିବା ଅଭିଯୋଗ କରିଥାଇପାରନ୍ତି। ସମସ୍ତ ରୋଗୀଙ୍କୁ ଅକ୍ସିଜେନ୍ ଆବଶ୍ୟକତା ନଥାଏ। ତଥାପି, ରୋଗୀ ଓ ସେମାନଙ୍କ ପରିଜନ ଅକ୍ସିଜେନ୍ ଲଗାଇବାକୁ ଦାବି କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୪ ତାରିଖ ଦିନ ବି ଅକ୍ସିଜେନ୍ ଅଭାବ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିଲା। ରାତି ୧୦ଟାରୁ ରାତି ୧୨ଟା ୩୦ ପର୍ଯ୍ୟନ୍ତ ଅକ୍ସିଜେନ୍ ସରିଯିବା କାରଣରୁ ୨୦ରୁ ଅଧିକ ରୋଗୀ ନାହିଁ ନଥିବା ଯନ୍ତ୍ରଣା ଭୋଗିଥିଲେ। ରାତିରେ ଯେତେବେଳେ ଅକ୍ସିଜେନ୍ ସିଲିଣ୍ଡର ଆସି ପହଞ୍ଚିଲା ସେତେବେଳେ ସେ ଗୁଡ଼ିକ ରୋଗୀଙ୍କୁ ଲଗାଇବା ପାଇଁ ଆବଶ୍ୟକ ଅକ୍ସିଜେନ୍ ମାସ୍କ ନଥିଲା। ଡାକ୍ତରଖାନାରେ ମାସ୍କ ନଥିଲାବେଳେ ଅନେକ ଗରିବ ରୋଗୀ ପରିଜନଙ୍କ ପାଖରେ ତାହା କିଣି ଆଣିବାର ସାମର୍ଥ୍ୟ ନଥିଲା। କିଛି ରୋଗୀଙ୍କ ନିକଟରେ କେହି ପରିଜନ ହିଁ ନଥିଲେ। ଫଳରେ ସେଠାରେ ଡ୍ୟୁଟିରେ ଥିବା ଜଣେ ଡାକ୍ତର ନିକଟସ୍ଥ ଔଷଧ ଦୋକାନରେ ଉପଲବ୍‌ଧ ୧୪ଟି ମାସ୍କ କିଣି ନେଇ ରୋଗୀଙ୍କୁ ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର