ସମ୍ବଲପୁର/ବୁର୍ଲା : ବହୁ ବର୍ଷ ପରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର)ର ପରିଚାଳନା ସମିତି (ଗଭର୍ଣ୍ଣିଂ ବଡି ) ବୈଠକ ଆସନ୍ତାକାଲି ଭୁବନେଶ୍ବରରେ ଅନୁଷ୍ଠିତ ହେବ। ୭ ତାରିଖ ମଂଗଳବାର ସନ୍ଧ୍ୟା ୫ଟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ହେବାକୁ ଥିବା ପରିଚାଳନା ସମିତିର ଏହି ତୃତୀୟ ବୈଠକର କାର୍ଯ୍ୟସୂଚୀ(ଏଜେଣ୍ଡା)କୁ ନେଇ କିନ୍ତୁ ସଦସ୍ୟମାନଙ୍କୁ ଅନ୍ଧାର ରଖାଯାଇଛି। ଭିମ୍‌ସାରର ସ୍ବୟଂଶାସନ କ୍ଷମତା ସଂକୁଚିତ କରିବା ନେଇ ମସୁଧା ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଡାକ୍ତର ଅଶ୍ବିନୀ ପୂଜାରୀ ନିର୍ଦ୍ଦେଶକ ଥିବା ସମୟରେ ଶେଷଥର ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ଭିମ୍‌ସାର ପରିଚାଳନା ସମିତିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୧୯ ଫେବ୍ରୁଆରିରେ ଡାକ୍ତର ପୂଜାରୀ ଇସ୍ତଫା ‌ଦେବାର ବହୁ ଦିନ ପରେ ଡାକ୍ତର ଲଳିତ ମେହେର ଭିମ୍‌ସାର ନିର୍ଦ୍ଦେଶକ ଦାୟିତ୍ବ ନେଇଥିଲେ। ଗତ ୨୦୨୩ ଫେବ୍ରୁଆରିରେ ଡାକ୍ତର ମେହେରଙ୍କ କାର୍ଯ୍ୟକାଳ ସରିଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଦୁଇ ଥର ବିଜ୍ଞାପନ ପ୍ରକାଶିତ ହୋଇଥିଲେ ବି ନିର୍ଦ୍ଦେଶକ ନିଯୁକ୍ତି ‌ହୋଇପାରିନାହିଁ। କାମଚଳା(ଭାରପ୍ରାପ୍ତ) ନିର୍ଦ୍ଦେଶକରେ ଭିମ୍‌ସାରର କାମ ଚାଲିଛି। ପରିଚାଳନା ସମିତି ବୈଠକ ନିମନ୍ତେ ଗତ ୨୪ ତାରିଖ ଦିନ ଏହାର ସଦସ୍ୟ-ଆବାହକ ଥିବା ଭାରପ୍ରାପ୍ତ ନିର୍ଦ୍ଦେଶକ ଅନ୍ୟ ସଦସ୍ୟମାନଙ୍କୁ ପତ୍ର ଯୋଗେ ଅବଗତ କରିଛନ୍ତି। ଠିକ୍ ସମୟରେ କାର୍ଯ୍ୟସୂଚୀ ସଂପର୍କରେ ଜଣାଇ ଦିଆଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ରହିଥିଲେ ବି ଆଜି ପର୍ଯ୍ୟନ୍ତ ଅବଗତ କରାଯାଇନଥିବା କେତେକ ସଦସ୍ୟ ଅଭ‌ିଯୋଗ ଆଣିଛନ୍ତି। କାର୍ଯ୍ୟସୂଚୀ ଗୋପନ ରଖାଯିବାକୁ ସେମାନେ ନାପସନ୍ଦ କରିଛନ୍ତି। କାର୍ଯ୍ୟସୂଚୀ ଆଗୁଆ ଅବଗତ କରାଗଲେ ‌ସେମାନେ ପୂର୍ଣ୍ଣ ପ୍ରସ୍ତୁତ ହୋଇ ବୈଠକକୁ ଯାଇପାରିଥାନ୍ତେ। ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବୈଠକରେ ଭିମ୍‌ସାର ଷ୍ଟେଚ୍ୟୁଟ୍‌ରେ ଅନେକ ସଂଶୋଧନ କରାଯିବାର ଯୋଜନା ରହିଛି। ଭିମ୍‌ସାର ଡାକ୍ତର ନିଯୁକ୍ତି କ୍ଷମତା ଓପିଏସ୍‌ସି ହାତକୁ ଟେକି ଦିଆଯିବ। ଏଭଳି ହେଲେ ଭିମ୍‌ସାର ନିଯୁକ୍ତି ସ୍ବୟଂଶାସନ କ୍ଷମତା ହରାଇବ।

କେବଳ ସେତିକି ନୁହେଁ, ଓପିଏସ୍‌ସି ଯେହେତୁ ଅନେକ ପରୀକ୍ଷା ଆୟୋଜନ କରିଥାଏ, ତେଣୁ ଡାକ୍ତର ନିଯୁକ୍ତି ପରୀକ୍ଷା ଆୟୋଜନରେ ବିଳମ୍ବ ହେବ। ଅର୍ଥାତ, ଠିକ୍ ସମୟରେ ଡାକ୍ତର ନିଯୁକ୍ତି ହୋଇପାରିବ ନାହିଁ। ସେହିପରି ବର୍ତ୍ତମାନ ରାଜ୍ୟ ମୁଖ୍ୟ ଶାସନ ସଚିବ ଭିମ୍‌ସାର ପରିଚାଳନା ସଂସ୍ଥାର ସଭାପତି ରହିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସ୍ଥାନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏହାର ସଭାପତି କରାଯିବାର ଯୋଜନା ଚାଲିଛି। ସେହିପରି ନିର୍ଦ୍ଦେଶକ ପଦ ନିମନ୍ତେ ଆବେଦନ କରିବାର ସର୍ବାଧିକ ବୟସ ସୀମା ୬୨ ବର୍ଷ ରହିଛି। ଏହାକୁ ପରିବର୍ତ୍ତନ କରି ୭୦ ବର୍ଷ ବୟସ ରଖାଯିବ ବୋଲି ଜଣାପଡ଼ିଛି। ୭୦ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ରଖାଗଲେ ଭଲ ଭଲ ଡାକ୍ତର ନିର୍ଦ୍ଦେଶକ ପଦକୁ ଆସିପାରିବେ ବୋଲି କୁହାଯାଉଛି। ଆଗରୁ ମେଡିକାଲ କଲେଜରେ ଅଧ୍ୟାପନା ଅଭିଜ୍ଞତା ଥିବା ପ୍ରଫେସରମାନେ ଏହି ପଦ ପାଇଁ ଆବେଦନ କରୁଥିଲେ। ବର୍ତ୍ତମାନ ଯେ କୌଣସି ବରିଷ୍ଠ ଡାକ୍ତର (କନ୍‌ସଲଟାଣ୍ଟ ଫିଜିସିଆନ)ଙ୍କୁ ମଧ୍ୟ ଏହି ପଦରେ ରଖାଯିବାକୁ ନିୟମ ଅଣାଯିବ ବୋଲି କହାଯାଉଛି। ଅଧ୍ୟାପନା ଅଭିଜ୍ଞତା ଆଦୌ ନଥିବା ଜଣେ ଡାକ୍ତର କେମିତି ଶହ ଶହ ଡାକ୍ତରୀ ପିଲା ପଢ଼ୁଥିବା ଶିକ୍ଷାନୁଷ୍ଠାନ ପରିଚାଳନାର ଦାୟିତ୍ବ ସମ୍ଭାଳିପାରିବେ ବୋଲି କହାଯାଉଛି। ସେହିପରି କାର୍ଯ୍ୟନିର୍ବାହୀ କମିଟିରେ ଆର୍‌ଡିସିଙ୍କୁ ସଭାପତି ରଖାଯିବା ସହିତ ଜିଲ୍ଲାପାଳ, ଭିମ୍‌ସାରର ଅଧୀକ୍ଷକ ପ୍ରମୁ୍‌ଖଙ୍କୁ ସଦସ୍ୟ ରଖାଯିବାର ବି ଯୋଜନା ରହିଥିବା କହାଯାଉଛି। ଏ ସଂକ୍ରାନ୍ତରେ ଭିମ୍‌ସାରର କୁଳସଚିବ ଡାକ୍ତର ପ୍ରଦୀପ ମହାନ୍ତିଙ୍କୁ ପଚାରିବାରୁ ସରକାରୀ ସ୍ତରରେ କାର୍ଯ୍ୟସୂଚୀ ତିଆରି ଚାଲିଛି, ବୈଠକରେ ସଦସ୍ୟମାନଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି।