ସମ୍ବଲପୁର: ଭିମସାର୍ ବୁର୍ଲାରେ ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ। ବୁର୍ଲା ବଡ଼ ଡାକ୍ତରଖାନାର ଦନ୍ତ ଚିକିତ୍ସା ବିଭାଗରେ ଗତ ସୋମବାର ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଓ ପରେ ଅନେକ ନିୟମର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଡାକ୍ତର ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରିବା ପରେ ଅନ୍ୟ ୧୨ ଜଣ ରୋଗୀଙ୍କ ଅସ୍ତ୍ରୋପଚାର, ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା କରିଛନ୍ତି। ତାହା ପୁଣି କୌଣସି ସାବଧାନତା ଓ ସତର୍କତା ନିୟମ ପାଳନ ନ କରି। ଏହି ଘଟଣା ପରେ ମେଡିକାଲରେ ଉଭୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଘଟଣା ପ୍ରଘଟ ହେବା ପରେ ମଙ୍ଗଳବାର ସମ୍ପୂର୍ଣ୍ଣ ବିଭାଗରେ ତାଲା ଝୁଲାଇ ଷ୍ଟେରିଲାଇଜେସନ କରାଯାଇଛି। ସେପଟେ ଏହି ଘଟଣା ସମ୍ପର୍କରେ ଭିମ୍ସାରର ଡିନ୍ ଏବଂ ଅଧୀକ୍ଷକଙ୍କୁ ଚିଠି ଲେଖି ଅବଗତ କରାଇଥିବା ବିଭାଗୀୟ ମୁଖ୍ୟ ପ୍ର. ଅନୁପ ଶତପଥୀ କହିଛନ୍ତି। କିନ୍ତୁ ଖବର ଲେଖାହେବା ଯାଏଁ ମେଡିକାଲ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାନ୍ତି। ସବୁ ଘଟଣା ପରି ଏହି ଘଟଣାକୁ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଚପାଇବା ଉଦ୍ୟମ କରୁଥିବା ଅଭିଯୋଗ କରି ଅନେକ ଲୋକ ଟ୍ବିଟ୍ ଯୋଗେ ରାଜ୍ୟ ସରକାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଭିମସାର୍ ଅଧୀକ୍ଷକ ଡା.ଜୟଶ୍ରୀ ଦୋରା
ଏହି ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ୧୩ ତାରିଖରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀ ଦୁର୍ଘଟଣାର ଶିକାର ହେବା ପରେ ବୁର୍ଲା ମେଡିକାଲର ସର୍ଜରି ୱାର୍ଡରେ ଭର୍ତ୍ତି ହୋଇଥିଲେ। ଉକ୍ତ ରୋଗୀଙ୍କର ହନୁ ହାଡ଼ ଓ ମୁହଁର କିଛି ହାଡ଼ ଭାଙ୍ଗି ଯାଇଥିଲା। ଫଳରେ ଇଣ୍ଟର ମେକ୍ସିଲାରି ଫିକ୍ସେସନ (ତାର ଯୋଗେ ମୁହଁର ହାଡ଼ ଯୋଡ଼ିବା ପ୍ରକ୍ରିୟା) ପାଇଁ ଦନ୍ତ ବିଭାଗକୁ କଲ୍ ଆସିଥିଲା। ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ପ୍ରଶାନ୍ତ କୁମାର ସ୍ବାଇଁ ଉକ୍ତ କଲ୍ ଆଟେଣ୍ଡ କରି ୨୮ ତାରିଖ ଦିନ ୧୦ଟା ବେଳେ ବିଭାଗୀୟ ଓଟିକୁ ରୋଗୀଙ୍କୁ ଆଣିବାକୁ କହିଥିଲେ। ଉକ୍ତ ରୋଗୀ ମଧ୍ୟ ନିର୍ଧାରିତ ସମୟରେ ଆସିବା ପରେ ଦିନ ୧୦ଟାରୁ ୧୨ଟା ଯାଏଁ ବିଭାଗର ଆଉଟଡୋରକୁ ଲାଗି ରହିଥିବା ମାଇନର ଓଟିରେ ଅନ୍ୟ ସାଧାରଣ ରୋଗୀଙ୍କ ପରି ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଜଣେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ଯେଭଳି ଭାବେ ସ୍ବତନ୍ତ୍ର ପୋଷାକ, ସ୍ବତନ୍ତ୍ର ଉପକରଣ ଓ ନିଛାଟିଆ କୋଠରିରେ ରଖାଯିବା କଥା, ସେଭଳି କିଛି ହୋଇନଥିଲା। ଏହାପରେ ଡାକ୍ତର ସ୍ବାଇଁ ସେଦିନ ଆଉ ୧୨ ଜଣ ରୋଗୀଙ୍କର ମଧ୍ୟ ଉକ୍ତ ଓଟି ଟେବୁଲରେ ସେହି ଉପକରଣ ଓ ସରଞ୍ଜାମ ସହ ଚିକିତ୍ସା କରିଥିଲେ। ରୋଗୀଙ୍କ ମଧ୍ୟରେ ବୁର୍ଲା ସହରର ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ମଧ୍ୟ ଥିଲେ। ସନ୍ଧ୍ୟାରେ ବିଭାଗର କିଛି ଡାକ୍ତରଙ୍କର ସନ୍ଦେହ ହେବା ପରେ ସେମାନେ ସର୍ଜରି ୱାର୍ଡକୁ ଯାଇ ଉକ୍ତ ରୋଗୀଙ୍କ ରିପୋର୍ଟ ଯାଞ୍ଚ କରିଥିଲେ। ଗତ ୧୩ ତାରିଖରୁ ହିଁ ଉକ୍ତ ରୋଗୀଙ୍କର ଏଲିସା ପରୀକ୍ଷା ହୋଇ ସେ ଏଚ୍ଆଇଭି ସଂକ୍ରମିତ ଥିବା ରିପୋର୍ଟରୁ ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ଡାକ୍ତରମାନେ ମେଡିକାଲ ଡିନ୍ ଓ ଅଧୀକ୍ଷକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ମେଡିକାଲ ଅଧୀକ୍ଷକଙ୍କ ନିର୍ଦେଶ ପରେ ମଙ୍ଗଳବାର ବିଭାଗରେ ତାଲା ପକାଇ ଭିତରେ ଷ୍ଟେରିଲାଇଜେସନ କରା ଯାଇଥିଲା। ବିଭାଗକୁ ଆସୁଥିବା ରୋଗୀଙ୍କୁ ଇଏନ୍ଟି ବିଭାଗରେ ଚିକିତ୍ସା କରା ଯାଇଥିଲା।
‘ଷଡ଼ଯନ୍ତ୍ର କରି ଫସାଯାଉଛି’
ସୋମବାର ଦନ୍ତ ଚିକିତ୍ସା ବିଭାଗରେ ଏଚ୍ଆଇଭି ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପରେ ମଧ୍ୟ ଅନ୍ୟ ରୋଗୀଙ୍କ ଚିକିତ୍ସା କରା ଯିବାକୁ ଡାକ୍ତର ପ୍ରଶାନ୍ତ ସ୍ବାଇଁ ସ୍ବୀକାର କରିଛନ୍ତି। କିନ୍ତୁ ଡା. ସ୍ବାଇଁଙ୍କ କହିବା ମୁତାବକ କୌଣସି ବି ରୋଗୀ ବିଭାଗରେ ଭର୍ତ୍ତି ହେଲେ ତାଙ୍କ ୱାର୍ଡ ଟିକେଟ ଉପରେ ଏଚ୍ଆଇଭି ପିଜିଟିଭ୍ ବୋଲି ନାଲି ରଙ୍ଗରେ ଉଲ୍ଲେଖ ରହିବା କଥା। ମାତ୍ର ଉକ୍ତ ରୋଗୀଙ୍କ ଟିକେଟରେ ସେଭଳି କିଛି ଉଲ୍ଳେଖ ନଥିଲା କି ଏଲିସା ଟେଷ୍ଟ ରିପୋର୍ଟ ମଧ୍ୟ ନ ଥିଲା। ଫଳରେ ଉକ୍ତ ରୋଗୀଙ୍କୁ ଓଟି ଟେବୁଲରେ ଶୁଆଇ ରକ୍ତ ପରୀକ୍ଷା ପାଇଁ ସେ ପଠାଇଥିଲେ। ରିପୋର୍ଟ ଆସିବା ବେଳକୁ କିନ୍ତୁ ରୋଗୀଙ୍କର ଅସ୍ତ୍ରୋପଚାର ଶେଷ ହୋଇଥିଲା। ରିପୋର୍ଟ ଦେଖିବା ପରେ ଡା. ସ୍ବାଇଁ ନିଜେ ହିଁ ଉକ୍ତ ଟିକେଟ୍ ଉପରେ ଏଚଆଇଭି ପଜିଟିଭ୍ ବୋଲି ଉଲ୍ଲେଖ କରିବା ସହ ଦିନ ସାଢ଼େ ୧୨ଟା ସୁଦ୍ଧା ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏହି ଘଟଣା ପରଠାରୁ ସଂକ୍ରମଣ ଆଶଙ୍କାରେ ସେ ନିଜେ ମଧ୍ୟ ପୋଷ୍ଟ ଏକ୍ସପୋଜର ପ୍ରୋଫାଇଲ ଔଷଧ ଗ୍ରହଣ କରିଥିବା ଡା. ସ୍ବାଇଁ କହିଛନ୍ତି। ବିଭାଗର କିଛି ସହକର୍ମୀ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି। ମାନବିକତା ଦୃଷ୍ଟିକୋଣରୁ ଉକ୍ତ ରୋଗୀଙ୍କ ଚିକିତ୍ସା କରିବାକୁ ଯାଇ ନିଜେ ବିପଦକୁ ଡାକିବା ତାଙ୍କର ଭୁଲ ଥିଲା ବୋଲି ଡା. ସ୍ବାଇଁ କହିଛନ୍ତି।