୨୦୨୨ ସୁଦ୍ଧା ଖୋଲିବ ଭିମ୍‌ସାର ଫାର୍ମାସି କଲେଜ

ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସୂଚନା

ସମ୍ବଲପୁର : କାୟା ମେଲାଉଛି ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ରିସର୍ଚ ସେଣ୍ଟର (ଭିମ୍‌ସାର)। ୨୦୨୧ରେ ଭିମ୍‌ସାରରେ ସୁପରସ୍ପେସାଲିଟି କୋଠା ଉଦ୍‌ଘାଟନ ହୋଇ ୬ଟି ନୂଆ ସୁପରସ୍ପେସାଲିଟି ବିଭାଗ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସମୟରେ ନୂଆ କ୍ୟାନ୍‌ସର ହସ୍ପିଟାଲ କାମ ମଧ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ୨୦୨୨ ସୁଦ୍ଧା ଭିମ୍‌ସାର ଅନ୍ତର୍ଗତ ଏକ ଫାର୍ମାସି କଲେଜ ଖୋଲିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯାହାକି ପଶ୍ଚିମ ଓଡ଼ିଶାର ପ୍ରଥମ ସମ୍ପୂର୍ଣ୍ଣ ସରକାରୀ ଫାର୍ମାସି କଲେଜ ହେବ। ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପରିଚାଳନା ବୋର୍ଡ ବୈଠକରେ ଏହି ନିଷ୍ପତ୍ତିରେ ମୋହର ବାଜିଲେ କଲେଜ ଖୋଲିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ଦେଶକ ପ୍ରଫେସର ଲଲିତ ମେହେର ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟର କେବଳ ଏସ୍‌ସିବି ମେଡିକାଲ କଲେଜର ନିଜସ୍ବ ଫାର୍ମାସି କଲେଜ ରହିଥିବା ସମୟରେ ଭିମ୍‌ସାର ଦ୍ବିତୀୟ ସ୍ଥାନରେ ରହିବାକୁ ଯାଉଛି। ପ୍ରାଥମିକ ଅବସ୍ଥାରେ ଭିମ୍‌ସାରରେ ହେବାକୁ ଥିବା ଏହି ଫାର୍ମାସି କଲେଜରେ ୬୦ଟି ଆସନ ରଖାଯିବ। ପ୍ରଥମ ବ୍ୟାଚ୍‌ର ସା‌ଢ଼େ ୪ ବର୍ଷର ପାଠ୍ୟକ୍ରମ ଶେଷ ହେବା ପୂର୍ବରୁ ଏଠାରେ ଏକ ଏମ୍‌.ଫାର୍ମା ତଥା ପିଏଚ୍‌ଡି ପାଠ୍ୟକ୍ରମ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ନିକଟରେ ବୁର୍ଲର ଏନ୍‌ଏସି କଲେଜ ନିକଟରେ ରହିଥିବା ୭୯ ଏକର ଜମି ଜଳସମ୍ପଦ ବିଭାଗଠାରୁ ରାଜସ୍ବ ବିଭାଗକୁ ଆସିଥିବାରୁ ଖୁବ୍‌ ଶୀଘ୍ର ଏହା ଭିମ୍‌ସାର ନାମରେ ହେବାକୁ ଯାଉଛି। ତେବେ ଜମିର ପଟ୍ଟା ଆସିବା ପରେ ଏହି ବିସ୍ତୃତ ଅଞ୍ଚଳରେ ଫାର୍ମାସି କଲେଜ, ଛାତ୍ରାବାସ ଓ କ୍ବାର୍ଟର ମଧ୍ୟ ନିର୍ମାଣ କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କଲେଜ ପାଇଁ ୧୭ଟି ଶିକ୍ଷକ ପଦ ପାଇଁ ଆକଳନ କରାଯାଇଥିବା ସମୟରେ ଅଣ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ତେବେ ପରିଚାଳନା ବୋର୍ଡ ବୈଠକରେ ମଞ୍ଜୁରି ମିଳିବା ପରେ ତୁରନ୍ତ କର୍ତ୍ତୃପକ୍ଷ ଏହି କଲେଜ ପ୍ରତିଷ୍ଠା ଦିଗରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ଭିମ୍‌ସାର ନିର୍ଦେଶକ ପ୍ରଫେସର ମେହେର କହିଛନ୍ତି। ଭିମ୍‌ସାର ସମେତ ପଶ୍ଚିମ ଓଡ଼ିଶାର ଅନ୍ୟ ଡାକ୍ତରଖାନାଗୁଡ଼ିକରେ ଫାର୍ମାସିଷ୍ଟଙ୍କର ଅଭାବ ପରିଲକ୍ଷିତ ‌ହେଉଛି। ବିଶେଷକରି ଗ୍ରାମାଞ୍ଚଳ ତଥା ପିଏଚ୍‌ସିଗୁଡ଼ିକରେ ଫାର୍ମାସିଷ୍ଟଙ୍କର ଭୂମିକା ଗୁରୁତ୍ବୂପୂର୍ଣ୍ଣ ରହୁଥିବା ସମୟରେ ପଶ୍ଚିମ ଓଡ଼ିଶାର ଏହି ପଦବିଗୁଡ଼ିକ ଖାଲି ପଡ଼ିଥିବା ଯୋଗୁ ରୋଗୀ ଉତ୍ତମ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ଏହି ଫାର୍ମାସି କଲେଜ ପ୍ରତିଷ୍ଠା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର