ଡିସେମ୍ବର ପ୍ରଥମ ସପ୍ତାହରେ ସରିବ ଭିମ୍‌ସାର ଦ୍ବିତୀୟ କୋଭିଡ୍‌ ଲ୍ୟାବ୍‌ କାମ

୩ ପ୍ରତିଶତକୁ ଖସିଲାଣି ଆକ୍ରାନ୍ତଙ୍କ ସଂଖ୍ୟା!

ସମ୍ବଲପୁର : ଡିସେମ୍ବର ପ୍ରଥମ ସପ୍ତାହରେ ଶେଷ ହେବ ବହୁ ପ୍ରତିକ୍ଷୀତ ଭିମ୍‌ସାର ଦ୍ବିତୀୟ କୋଭିଡ୍‌ ଲ୍ୟାବ୍‌ ନିର୍ମାଣ କାମ। ଡିସେମ୍ବର ୭ ତାରିଖ ସୁଦ୍ଧା କାମ ଶେଷ ହେବ ଓ ସଙ୍ଗେସଙ୍ଗେ ଏହା କାର୍ଯ୍ୟକ୍ଷମ ହୋଇପାରିବ ବୋଲି ନିର୍ମାଣକାରୀ ସଂସ୍ଥା ବିଏସ୍‌ଏଲ୍‌ର ସାଇଟ୍‌ ଇନ୍‌ଚାର୍ଜ ରବି ନାରାୟଣ ସାହୁ ସୂଚନା ଦେଇଛନ୍ତି। କରୋନାର ଦ୍ବିତୀୟ ଲହରି ଆସିବା ନେଇ ବିଭିନ୍ନ ଗବେଷକମାନେ ମତବ୍ୟକ୍ତ କରୁଥିବା ସମୟରେ ଡିସେମ୍ବର ସୁଦ୍ଧା ଏହି ଲ୍ୟାବ୍‌ କାର୍ଯ୍ୟକ୍ଷମ ହେଲେ ସମ‌୍ବଲପୁର ସମେତ ମୋଟ ପଶ୍ଚିମ ଓଡ଼ିଶା ପାଇଁ ଏହା ବେଶ୍‌ ଲାଭପ୍ରଦ ହୋଇପାରିବ।

ଫାର୍ମାକୋଲୋଜି ବିଭାଗର ଏମ୍‌ଆର୍‌ୟୁ ପରିସରରେ ଚାଲିଥିବା ଏହି କୋଭିଡ୍‌ ଲ୍ୟାବ୍‌ ନିର୍ମାଣର ସିଭିଲ୍‌ କନ୍‌ଷ୍ଟ୍ରକସନ ପ୍ରାୟ ଶେଷ ହେବା ଉପରେ ରହିଛି। ଆସନ୍ତା ୨୧ ତାରିଖ ସୁଦ୍ଧା ପୂର୍ତ୍ତ ବିଭାଗ ସିଭିଲ୍‌ କନ୍‌ଷ୍ଟ୍ରକ୍‌ସନ କାମ ଶେଷ କରି ବିଏସ୍‌ଏଲ୍‌କୁ ହସ୍ତାନ୍ତର କରିବ। ତେବେ କାମ ହାତକୁ ନେବାର ୧୫ ଦିନ ମଧ୍ୟରେ ଲ୍ୟାବ୍‌ ତିଆରି ଶେଷ ହେବ ବୋଲି ବିଏସ୍‌ଏଲ୍‌ ପକ୍ଷରୁ କୁହାଯାଇଛି। ଲ୍ୟାବ୍‌ ପାଇଁ ଉଦ୍ଦିଷ୍ଟ ଡକିଂ ମାଟେରିଆଲ୍‌, ଇଲେକ୍ଟ୍ରିକାଲ ସାମଗ୍ରୀ, ଏଏଚ୍‌ୟୁ, ଲେନ୍ସ, କ୍ୟାବିନେଟ୍‌ ପାଇଁ ୱାଲ ପ୍ୟାନେଲ ଦିଲ୍ଲୀରୁ ଆସୁଥିବା ସମୟରେ ଗୁରୁବାର ସକାଳୁ ଭିମ୍‌ସାରରେ ପହଞ୍ଚିବ। ଲ୍ୟାବ୍‌ ପାଇଁ ଆବଶ୍ୟକ ଥିବା ଆର୍‌ଟିପିସିଆର୍‌ ଓ ଟ୍ରୁନେଟ୍‌ ମେସିନ୍‌ ପୂର୍ବରୁ ଆସି ଭିମ୍‌ସାରରେ ପହଞ୍ଚି ସାରିଥିବା ସମୟରେ ଏହି ଲ୍ୟାବ୍‌ ପାଇଁ କର୍ମଚାରୀ ନିଯୁକ୍ତି ମଧ୍ୟ ଶେଷ ହୋଇଛି। କେବଳ ନିର୍ମାଣ କାମ ଶେଷ ହେଲେ ଲ୍ୟାବ୍‌ କାର୍ଯ୍ୟକ୍ଷମ ହେବ। ଗତ ଜୁଲାଇ ମାସରୁ ଆଇସିଏମ୍‌ଆର୍‌ ଭିମ୍‌ସାରରେ ଦ୍ବିତୀୟ କୋଭିଡ୍‌ ଲ୍ୟାବ୍‌ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରିଥିଲେ ହେଁ ବିଭିନ୍ନ କାରଣରୁ ଲ୍ୟାବ୍‌ ନିର୍ମାଣ କାର୍ଯ୍ୟ ଘୁଞ୍ଚିଘୁଞ୍ଚି ଚାଲିଥିଲା।

ସେପଟେ, ବିଗତ କିଛି ଦିନ ହେବ ଭିମ୍‌ସାର କୋଭିଡ୍‌ ଲ୍ୟାବ୍‌ରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏବେ ମଧ୍ୟ ଦିନକୁ ପ୍ରାୟ ୨୦୦ ସ୍ବାବ୍‌ ସଂଗୃହୀତ ହୋଇ ଆର୍‌ଟିପିସିଆର୍‌ ଟେଷ୍ଟ ପାଇଁ ଭିମ୍‌ସାର କୋଭିଡ୍‌ ଲ୍ୟାବ୍‌କୁ ଆସୁଛି। କିନ୍ତୁ ଆଗଭଳି ଆଉ ପଜିଟିଭ୍‌ ଚିହ୍ନଟ ହେଉନାହାନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩-୫ ପ୍ରତିଶତକୁ ଖସି ଆସିଥିବା ନେଇ କୋଭିଡ୍‌ ଲ୍ୟାବ୍‌ ନୋଡାଲ ଅଧିକାରୀ ଡା.ବେଣୁଧର ପାଣ୍ଡେ କହିଛନ୍ତି। ବର୍ତ୍ତମାନ ପ୍ରାୟ ୫୦-୬୦ ପ୍ରତିଶତ ଲୋକେ କ‌ରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଥିବାରୁ ନୂଆ ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଡା.ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର