ଭିମ୍‌ସାର୍‌ ଡାକ୍ତରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ : ମାନବାଧିକାର କମିସନଙ୍କୁ ଭେଟିଲେ ପୀଡ଼ିତଙ୍କ ପରିବାର

ଭୁବନେଶ୍ୱର : ଭିମସାର୍‌ର ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ରୋଗୀଙ୍କ ପରିଜନଙ୍କୁ ସର୍ବସମ୍ମୁଖରେ ଉଠବସ୍‌ କରାଇବା ସହ ମୁଣ୍ଡିଆ ମାରି କ୍ଷମା ପ୍ରାର୍ଥନା ପାଇଁ ବାଧ୍ୟ କରିବା ଘଟଣା ନୂଆ ମୋଡ଼ ନେଇଛି। ଏହି ଘଟଣାରେ ସମ୍ପୃକ୍ତ ରୋଗୀଙ୍କ ପରିଜନଙ୍କ ମାନବାଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଜି ପୀଡ଼ିତଙ୍କ ବାପା ଠଣସୁନ୍ଦର ବେହେରା ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି, ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ତାଙ୍କ ପୁଅ ମୁକେଶକୁ କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ସର୍ବସମ୍ମୁଖରେ ତାକୁ ଉଠବସ୍‌ କରାଇବା ସହ ମାନସିକ ଯନ୍ତ୍ରଣା ଦେଇଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ନ୍ୟାୟ ନ ମିଳିଲେ ପରିବାରବର୍ଗ ଆତ୍ମହତ୍ୟା କରିବେ ବୋଲି ସେ କମିସନ୍‌ଙ୍କୁ ଅବଗତ କରାଇଛନ୍ତି। କମିସନ୍‌ ଆବେଦନକୁ ଗ୍ରହଣ କରିଛନ୍ତି।

ଅଭିଯୋଗ ମୁତାବକ, ଗତ ୨୦ ତାରିଖ‌ରେ ଝାରସୁଗୁଡ଼ା ରେଫାଲବେଡ଼ାର ଠଣସୁନ୍ଦର ସମଲେଶ୍ବରୀ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଥିଲେ। ବୁର୍ଲା ଭିମ୍‌ସାରର ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ତାଙ୍କର ଚିକିତ୍ସା କରୁଥିଲେ। ‘ବାପା କେବେ ଭଲ ହେବେ’ ବୋଲି ମୁକେଶ ପଚାରିବାରୁ ଡାକ୍ତର ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ପରେ ସେ ସରକାରୀ ଡାକ୍ତରଖାନାକୁ ଚାଲି ଯାଇଥିଲେ। ବାପାଙ୍କର ଚିକିତ୍ସା କଥା ବୁଝିବା ପାଇଁ ମୁକେଶ ଓ ତା’ ସାଙ୍ଗ ଝସକେତନ ରାଉତ ବୁର୍ଲା ଭିମ୍‌ସାରରେ ପହଞ୍ଚିଥିଲେ। ସେଠାରେ ଡା. ପାଟ୍ଟଯୋଶୀ ଉଭୟଙ୍କୁ ଦେଖିବା ପରେ ଆକ୍ରମଣ କରିବାକୁ ଆସିଥିବା ଭାବି ହୋ-ହଲ୍ଲା କରିଥିଲେ। ଦୁହିଁଙ୍କୁ ମାଡ଼ ମାରିବା ପାଇଁ ଅନ୍ୟ ଡାକ୍ତରମାନଙ୍କୁ ଇଙ୍ଗିତ କରିଥିଲେ। ପ୍ରାୟ ଦେଢ଼ ଶହରୁ ୨ଶହ ଡାକ୍ତର ଘେରି ଯାଇ ମୁକେଶଙ୍କୁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ପାଇଁ ବାଧ୍ୟ କରିବା ସହ ଉଠବସ୍‌ କରାଇଥିଲେ। ସେଠାରେ ପୁଲିସ ମଧ୍ୟ ଉପସ୍ଥିତ ଥିଲା। ଏହାର ଏକ ଭିଡିଓ ଭାଇରାଲ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଛି। ଏହି ଘଟଣାକୁ ନେଇ ମୁକେଶଙ୍କ ପୂରା ପରିବାର ମାନସିକ ଦୁଶ୍ଚିନ୍ତାରେ ଥିବା ବାପା ଠଣସୁନ୍ଦର କମିସନ୍‌ଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର