ରୋଗୀଙ୍କ ସୁବିଧା ପାଇଁ ଭିମ୍‌ସାର୍‌ରେ ଲାଗିବ ୪ଟି ଲିଫ୍ଟ

ବୁର୍ଲା : ରୋଗୀମାନଙ୍କ ଯିବାଆସିବା ସୁବିଧା ପାଇଁ ଭିମ୍‌ସାର୍‌ର ବିଭିନ୍ନ ବିଭାଗରେ ଲିଫ୍ଟ ଲଗାଇବାର ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି  ଭିମ୍‌ସାର୍ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ ସୂଚନା ଦେଇଛନ୍ତି।

ପ୍ରତିଦିନ ପ୍ରାୟ ଦୁଇ ହଜାର ରୋଗୀ ପଶ୍ଚିମ ଓଡ଼ିଶାର ବିଭନ୍ନ ଜିଲ୍ଲା ସହିତ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଉତ୍ତମ ସ୍ବାସ୍ଥ୍ୟ ସେବା ଆସିଥାନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ନେଇ ଘରକୁ ଯାଉଥିବା ବେଳେ ଅନେକ ବିଭିନ୍ନ ବିଭାଗରେ ଭର୍ତ୍ତି ହୋଇଥାନ୍ତି। ଭିମ୍‌ସାର୍‌ରେ ଥିବା ୧୯ଟି ବହିର୍ବିଭାଗ ମଧ୍ୟରୁ ଉପର ମହଲାରେ ଏସ୍‌ପିଏମ୍, ଶିଶୁ ବିଭାଗ, ଯକ୍ଷ୍ମା ଓ ଛାତି ବିଭାଗ, ଚର୍ମରୋଗ ବିଭାଗ, ମେଡ଼ିସିନ୍ ବିଭାଗ, ଚକ୍ଷୁ ବିଭାଗ, ଇଏନ୍‌ଟି ବିଭାଗ, ଦନ୍ତ ବିଭାଗ ସହିତ ବହିର୍ବିଭାଗୀୟ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ନିରାମୟ ସମେତ ମୋଟ୍ ୯ଟି ବିଭାଗ ରହିଛି। ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ବହିର୍ବିଭାଗ ରହିଥିଲେ ମଧ୍ୟ ବୃଦ୍ଧ ବୃଦ୍ଧା ତଥା ଶାରୀରିକ ବିକଳାଙ୍ଗ ଶ୍ରେଣୀର ରୋଗୀ ମାନଙ୍କ ପାଇଁ ରାମ୍ପ ସୁବିଧା ନ ଥିବାରୁ ସେମାନେ ନାହିଁ ନ ଥିବାର ଅସୁବିଧା ଭୋଗ କରି ନିଜ ରୋଗୀଙ୍କୁ ହାତରେ ବୋହି ଉପର ମହଲାକୁ ନେବାକୁ ବାଧ୍ୟ ହେଉଛନ୍ତି। ଏହି ଅସୁବିଧାକୁ ଏଡ଼ାଇବାକୁ ବହିର୍ବିଭାଗର ମେଡ଼ିସିନ୍ ବିଭାଗର ଶେଷ ପାଶ୍ୱର୍ରେ ଥିବା ସିଡି ନିକଟରେ ଏକ ଲିଫ୍ଟ ଲଗାଇବା ପାଇଁ ଯୋଜନା ହୋଇଛି।

ସେହିପରି ରକ୍ତଭଣ୍ଡାରକୁ ଆସୁଥିବା ଥାଲେସେମିଆ ରୋଗୀଙ୍କ ବିଭାଗ ମଧ୍ୟ ଉପର ମହଲାରେ ଥିବା ଯୋଗୁଁ ସିଡିରେ ଚଢ଼ି ଯିବା ଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି। ତେଣୁ, ପ୍ରଥମ ପର୍ଯ୍ୟାୟରେ ଏହି ଦୁଇଟି ବିଭାଗରେ ଗୋଟିଏ ଗୋଟିଏ ଲିଫ୍ଟ ଲଗାଯିବ ବୋଲି ପ୍ରଫେସର ନାୟକ ସୂଚନା ଦେଇଛନ୍ତି । ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଅନ୍ତର୍ବିଭାଗ ରୋଗୀମାନଙ୍କ ପାଇଁ ମଧ୍ୟ ଆଉ ଦୁଇଟି ଲିଫ୍ଟ ଲଗାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ପ୍ରଫେସର ନାୟକ ସୂଚନା ଦେଇଛନ୍ତି। ଏହା ଦ୍ବାରା ଭିମ୍‌ସାର୍ ଉପରେ ନିର୍ଭର କରୁଥିବା ରୋଗୀମାନେ ମୁଖ୍ୟତଃ ବୃଦ୍ଧବୃଦ୍ଧା ତଥା ଶାରୀରିକ ଭିନ୍ନକ୍ଷମ ରୋଗୀମାନେ ଉପକୃତ ହୋଇପାରିବେ ବୋଲି ପ୍ରଫେସର ନାୟକ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର