ଭିମ୍‌ସାର ନିର୍ଦ୍ଦେଶକଙ୍କୁ ହତ୍ୟା ଧମକ

ସମ୍ବଲପୁର: ଭିମ୍‌ସାର୍‌ ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀଙ୍କୁ ଜଣେ ରୋଗୀଙ୍କ ସଂପର୍କୀୟ ଟେଲିଫୋନରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଛି। ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଛି। ବରଗଡ଼ର ଜଣେ ଯୁବକ ମସ୍ତିଷ୍କରେ ଆଘାତ ପାଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ସେଠାରୁ ଆଣି ବୁର୍ଲାରେ ଭର୍ତ୍ତି କରା ଯାଇଥିଲା। ରୋଗୀଙ୍କର ଡାକ୍ତରଖାନାରେ ରହିବାର ଆଉ ବିଶେଷ ଆବଶ୍ୟକତା ନଥିବାରୁ ତାଙ୍କୁ ଘରକୁ ନେବାକୁ ଡାକ୍ତରଖାନା ପକ୍ଷରୁ ପରାମର୍ଶ ଦିଆ ଯାଇଥିଲା। ତେବେ ପରିବାର ଲୋକ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ନହେବା ପାଇଁ ଅଡ଼ି ବସିଥିଲେ। ନିଜେ ଭିମ୍‌ସାର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀ ମଧ୍ୟ ରୋଗୀଙ୍କ ପରିବାରଜନଙ୍କୁ ବୁଝାଇଥିଲେ। କିନ୍ତୁ ସେମାନେ ଡାକ୍ତରଖାନା ଛାଡ଼ିବାକୁ ନାରାଜ ହୋଇଥିଲେ। ଅପର ପକ୍ଷରେ ରୋଗୀଙ୍କ ଜଣେ ସଂପର୍କୀୟ ଗତ ୧୩ ତାରିଖ ଦିନ ଭିମ୍‌ସାର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୂଜାହାରୀଙ୍କୁ ୨ଟି ଅଲଗା ନମ୍ବରରୁ ଏକାଧିକବାର ଫୋନ୍‌ କରି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା। ଧମକ ଦେଇଥିବା ବ୍ୟକ୍ତି ଜଣକ ରୋଗୀଙ୍କ ପରିବାରର ଜ୍ୱାଇଁ ଓ ବମ୍ବେରେ କାର୍ଯ୍ୟରତ ବୋଲି ସୂଚନା ମିଳିଛି। ଏନେଇ ନିର୍ଦ୍ଦେଶକଙ୍କ ପକ୍ଷରୁ ବୁର୍ଲା ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବୁର୍ଲା ଥାନା ଅଧିକାରୀ ମାନସ ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର