ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭିନିଲ୍‌କ୍ରିଷ୍ଣାଙ୍କୁ ନିଯୁକ୍ତି, କୋଭିଡ଼୍ ପରିଚାଳନା କଥା ବୁଝିବେ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ କାର୍ଯ୍ୟାଳୟ(ସିଏମଓ)ରେ ୩ଜଣ ବରିଷ୍ଠ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ୨୦୦୫ ବ୍ୟାଚ୍ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କୋଭିଡ ପରିଚାଳନା ଓଏସଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ଓଏମସି ପରିଚାଳନା ନିର୍ଦ୍ଦେଶକ, କ୍ରୀଡ଼ା ନିର୍ଦ୍ଦେଶକ ଓ ଓଏମଇସିଏଲ ପରିଚାଳନା ନିର୍ଦ୍ଦେଶକ ଭାବେ ପୂର୍ବଭଳି ଦାୟିତ୍ୱ ତୁଲାଇବେ। ସେହିଭଳି ଜଳସମ୍ପଦ ବିଭାଗର ଯୁଗ୍ମସଚିବ ଓଏଏସ୍ ଲାଲା ମନୋଜ କୁମାର ରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ, କଟକ ଉପଜିଲ୍ଲାପାଳ ଓଏଏସ୍ ଅଫିସର ଶୁଭ୍ରାଂଶୁ ମିଶ୍ରଙ୍କୁ ଉପସଚିବ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଲ୍ୟାଣ୍ଡ ଅଫିସର ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତିଙ୍କ ପୁନଃନିଯୁକ୍ତି ଅବଧିକୁ ବୃଦ୍ଧି କରାଯାଇନଥିଲା। ସେହିଭଳି ଜୁନ୍ ୩୦ରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର