ଗାନ୍ଧୀଙ୍କ ୧୫୦ତମ ଓ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ : ଅନ୍ୟକୁ ଦେବାର ପରମ୍ପରାକୁ ଉଜ୍ଜୀବିତ କରିଥିଲେ ବିନୋବା

ଭୁବନେଶ୍ବର : ଗାନ୍ଧୀଜୀଙ୍କ ପଟ୍ଟଶିଷ୍ୟ ଥିଲେ ବିନୋବା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ରାଷ୍ଟ୍ରବାଦ ଚରମ ସୀମାରେ ରହିଥିବା ବେଳେ ବିନେବା ‘ଜୟ ଜଗତ୍‌’ର ସ୍ଲୋଗାନ୍ ଦେଇଥିଲେ। ଆଜି ସମଗ୍ର ବିଶ୍ବକୁ ଏକ ଗ୍ରାମ ବୋଲି ବିବେଚନା କରାଯାଉଛି। ବୈଷୟିକ ଜ୍ଞାନକୌଶଳ ଏହି ସୁଯୋଗ ଦେଇଛି। ମାତ୍ର ଏହାର ଯଥେଷ୍ଟ ପୂର୍ବରୁ ବିନୋବା ଏକଥା ଚିନ୍ତା କରିଥିଲେ ଏବଂ ଅନ୍ୟକୁ ଦେବାର ପରମ୍ପରାକୁ ବିନୋବା ଉଜ୍ଜୀବିତ କରିଥିଲେ ବୋଲି କହିଛନ୍ତି ବିଧାୟକ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ଇଡକଲ ଅଡିଟୋରିୟମ୍‌ରେ ସୁରଭି ଚାରିଟେବୁଲ ଓ ଏଜୁକେସନାଲ ଟ୍ରଷ୍ଟ ଓ ଭୂଦାନ କର୍ମଚାରୀ ସଂଘର ମିଳିତ ଉଦ୍ୟମରେ ଗାନ୍ଧୀଙ୍କ ୧୫୦ତମ ଓ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ସମାଜସେବୀ ଅନିଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ସମାନତା ସମାଜର ମୂଳମନ୍ତ୍ର ନୁହେଁ। ବିଷମତା ଭିତରେ ସମାନତା ରକ୍ଷା କରିବା ହିଁ ମୂଳ ଲକ୍ଷ୍ୟ ହେବା ଉଚିତ। ଗୀତା ପଢ଼ିବା ଓ ଭୂଦାନ ସଂପର୍କରେ ଚିନ୍ତା କରିବାକୁ ବିନୋବା ଗୁରୁତ୍ବ ଦେଉଥିଲେ।

ଗାନ୍ଧୀଜୀଙ୍କ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଆଜିର ବିଜ୍ଞାନ ଯୁ‌ଗରେ ଆଖି ପିଛୁଳାକେ ସବୁକିଛି ଲୋକଙ୍କ ନିକଟରେ ପହଞ୍ଚିପାରୁଛି। ସାମାଜିକ ଗଣମାଧ୍ୟମ ଜରିଆରେ ଲୋକମାନେ ଯୋଡ଼ି ହୋଇପାରୁଛନ୍ତି। ମାତ୍ର ୧୯୧୮ ମସିହାରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗାନ୍ଧୀଜୀଙ୍କ ନିକଟରେ ଏଭଳି କୌଣସି ସୁଯୋଗ ନ ଥିଲା। ବିନା କୌଣସି ଯୋଗାଯୋଗ ବ୍ୟବସ୍ଥା ବିନା ସମଗ୍ର ‌ଭାରତବର୍ଷକୁ ସେ ଯୋଡ଼ି ପାରିଥିଲେ। ତାଙ୍କର ଡାକରାରେ ପୂରା ଭାରତ ଆଗେଇ ଆସୁଥିଲା। ସମସ୍ତଙ୍କୁ ଗୋଟିଏ ସୂତ୍ରରେ ସେ ବାନ୍ଧି ରଖିଥିଲେ। ଓଡ଼ିଶା ପ୍ରତି ତାଙ୍କର ଦରଦ ଥିଲା। ଓଡ଼ିଶାର ଦାରିଦ୍ର୍ୟ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। କୁଟୀର ଶିଳ୍ପର ବିକାଶ ଓ ଆତ୍ମ ନିର୍ଭରଶୀଳ‌ ହେବା କଥା ଗାନ୍ଧୀଜୀ ମଧୁବାବୁଙ୍କଠାରୁ ଶିଖିଥିଲେ। ଓଡ଼ିଶାର ଦାରିଦ୍ର୍ୟ ଦୂର କରିବା ପାଇଁ ତାଙ୍କୁ ଗୋପବନ୍ଧୁଙ୍କ ଭଳି ଆହୁରି ୯୯ଜଣ ଗୋପବନ୍ଧୁ ଦରକାର ବୋଲି ଗାନ୍ଧୀଜୀ କହିଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଲେ, ଭୂଦାନ ଜମିକୁ ଚଞ୍ଚକତା କରି ଅନ୍ୟକୁ ଦିଆଯାଉଛି। ସାରା ଦେଶରେ ଏଭଳି କାମ ଚାଲିଛି। ଓଡ଼ିଶାରେ ଭୂଦାନ ଆନ୍ଦୋଳନ ସମୟରେ ୬ଲକ୍ଷରୁ ଅଧିକ ଏକର ଜମି ସଂଗ୍ରହ ହୋଇଥିଲା। ମାତ୍ର ଏବେ ବି ୫୮ହଜାର ଏକର ଜମି ବଣ୍ଟନ ହୋଇପାରି ନାହିଁ। ଏହାକୁ କିଭଳି ଭୂମିହୀନଙ୍କୁ ପ୍ରଦାନ କରାଯିବ ସେଥିପାଇଁ ଉପଯୁକ୍ତ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇନାହିଁ। ରାଜ୍ୟରେ କିଛି ସ୍ଥାନରେ ଭୂଦାନ ଜମି ଅନ୍ୟକୁ ଦିଆଯାଇଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ୫୦ଦଶକରେ ଆରମ୍ଭ ହୋଇଥିବା ଏହି ଭୂଦାନ ଆନ୍ଦୋଳନକୁ ନିର୍ଣ୍ଣାୟକ ରୂପ ଦେବାକୁ ହେବ। ଭୂଦାନ ଆନ୍ଦୋଳନ ସହିତ ଜଡ଼ିତ କର୍ମଚାରୀଙ୍କୁ ପାରିଶ୍ରମିକ ବୃଦ୍ଧି କରାଯିବା ଜରୁରୀ ବୋଲି ଶ୍ରୀ ସାହୁ କହିଥିଲେ।

ଉଦ୍‌ଘାଟକ ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଲେ, ଅର୍ଥନୈତିକ ସ୍ବାଧୀନତା ଦିଗରେ ବିନୋବାଙ୍କ ଭୂଦାନ ଆନ୍ଦୋଳନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭୂଦାନ ଜରିଆରେ ସଂପତ୍ତିର ବଣ୍ଟନ, ଗ୍ରାମଦାନ, ଗ୍ରାମ ସ୍ବରାଜ ଓ ବିଶ୍ବଶାନ୍ତି ସଂପର୍କରେ ବିନୋବାଙ୍କ ଭୂମିକାକୁ ସେ ସ୍ମରଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କୈଳାସ ଆଚାର୍ଯ୍ୟ, ଯୁବ ସଂଗଠକ କାଳୀ ଚରଣ ସିଂ ଓ ସ୍ତମ୍ଭକାର ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ଭୂଦାନ କର୍ମଚାରୀ ସଂଘ ପକ୍ଷରୁ ଭୂଦାନ କ୍ଷେତ୍ର କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି ନେଇ ଦାବି କରାଯାଇଥିଲା। ୨୦୧୦ ମସିହାରେ ରାଜ୍ୟ ସରକାର କର୍ମଚାରୀଙ୍କୁ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହାକି କର୍ମଚାରୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। କର୍ମଚାରୀ ନେତା ଗୌରାଙ୍ଗ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର