ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ହେଲେ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ

ଭୁବନେଶ୍ବର : ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ବରିଷ୍ଠ  ଭାରତୀୟ ବିଦେଶ ସେବା(ଆଇଏଫଏସ୍) ଅଧିକାରୀ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି । ଏ ସମ୍ପର୍କରେ ଆଜି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ଶ୍ରୀ ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ଜିଏମ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଜେଏନୟୁରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
ସୂଚାନଯୋଗ୍ୟ, ଶ୍ରୀ ପ୍ରଧାନ ୨୦୧୯ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଅଛନ୍ତି । ସେ ଖୁବ ଶୀଘ୍ର ନୂଆ ପଦ ଗ୍ରହଣ କରିବେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୂଟନୀତିଜ୍ଞ ଭାବରେ ସେ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ମସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ । ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

ସମ୍ବନ୍ଧିତ ଖବର