ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ଦୁଇ ଗୋଷ୍ଠୀ ଭିତରେ ବର୍ଷ ବର୍ଷ ଧରି ଲାଗି ରହିଥିବା ପୂର୍ବ ଶତ୍ରୁତା ଏବଂ ରାଜନୈତିକ ବିବାଦକୁ କେନ୍ଦ୍ର କରି ପୁଣି ପରିସ୍ଥିତି ଅଶାନ୍ତ ହୋଇଛି। ପ୍ରତିପକ୍ଷ ଗୋଷ୍ଠୀର ୨ ଜଣ ଯୁବକଙ୍କୁ ଅନ୍ୟମାନେ ଆଜି ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରିବା ସହ ଗାଁରେ ଆତଙ୍କ ଖେଳାଇବାକୁ ବୋମା ଓ ପଥରମାଡ଼ କରିଛନ୍ତି। ଆକ୍ରମଣରେ ଗୁରୁତର କେ.ଲୋକନାଥ ଓ କେ.ରାବଣାଙ୍କୁ ଚିକିଟି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ସେମାନଙ୍କ ବାଇକ୍କୁ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ମିଳିବା ସୁଦ୍ଧା ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।
ଆଜି ସନ୍ଧ୍ୟାରେ ଲୋକନାଥ ଓ ରାବଣା ଚିକିଟିରୁ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀର ୨୦ରୁ ଅଧିକ ସମର୍ଥକ ସେମାନଙ୍କୁ ଘେରି ଯାଇଥିଲେ। ଖଣ୍ଡା ଓ କାତି ସମେତ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିବା ସହ ବୋମା ପକାଇଥିଲେ। ଏହାସହ ବାଇକ୍କୁ ବି ଭଙ୍ଗାରୁଜା ସହ ପଥରମାଡ଼ କରି ଗାଁ ମଝିରେ ଆତଙ୍କ ଖେଳାଇଥିଲେ। ସଂପର୍କୀୟମାନେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିଟି ଡାକ୍ତରଖାନାକୁ ଆଣିଥିଲେ। ଖବର ମିଳିବା ସୁଦ୍ଧା, ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।
ସୂଚନା ଥାଉକି, ଗତ ପ୍ରାୟ ଏକମାସ ହେଲା ଗାଁରେ ଦୁଇଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି। ପୂର୍ବରୁ ଉଭୟ ଗୋଷ୍ଠୀର ଏତଲା କ୍ରମେ ଗୋଳନ୍ଥରା ଥାନାରେ ୪ଟି ମାମଲା ରୁଜୁ ହୋଇସାରିଛି। ସେହିପରି ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ସୁଦ୍ଧା ୩ ଜଣ ଗିରଫ ହୋଇଛନ୍ତି। ଗତ ରବିବାର ଦିନ ପ୍ରତିପକ୍ଷ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ କେ.ପୋଲେୟା ଆହତ ହୋଇଥିଲେ।