କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ‘ଗରାପୁର ଦି ପ୍ୟାଲେସ୍’ ପଛପଟେ ଗୁଳିକାଣ୍ତ ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ଦୁର୍ବୃତ୍ତ ଦାନା ନେ କହି ଜଣେ ଯୁବ ଇଞ୍ଜିନିୟରଙ୍କୁ ଗୁଳିମାଡ଼ କରିଛି। ତେବେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହେଇଯିବାରୁ ବିଏସ୍ଏନ୍ଏଲ୍ରେ କାର୍ଯ୍ୟରତ ଏହି ଯୁବ ଇଞ୍ଜିନିୟର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳିମାଡ଼ କରିଥିବା ଯୁବକ ଜଣକ ଗରାପୁର ହନୁମାନ ମନ୍ଦିର ଛକ ଅଞ୍ଚଳର ଶିବପ୍ରସାଦ ସାହୁ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ କାବୁ କରିବାକୁ ଯାଇ ଇଞ୍ଜିନିୟର ଓ ତାଙ୍କ ମା’ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମା’ ଓ ପୁଅଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରିଛି। ଗୁଳିମାଡ଼ ପଛର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ବିବାଦରୁ ଏଭଳି ଘଟିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ଅଳ୍ପକେ ବର୍ତ୍ତିଲେ ଯୁବ ଇଞ୍ଜିନିୟର
ଡାକ୍ତରଖାନାରେ ଆହତ ମାଆପୁଅ
ସୂଚନା ଅନୁଯାୟୀ, ‘ଦି ପ୍ୟାଲେସ୍’ ପଛପଟେ ରହୁଥିବା ଶିକ୍ଷକ ମନୋଜ ରାଉତରାୟଙ୍କ ପୁଅ ଅସୀମ ରାଉତରାୟ ରବିବାର ସନ୍ଧ୍ୟାରେ କୁକୁରକୁ ବୁଲାଇବାକୁ ବାହାରକୁ ଆସିଥିଲେ। ତାଙ୍କ ଘର ପାଖରେ ଏକ ସରକାରୀ ସ୍ବୀକୃତିପ୍ରାପ୍ତ ମଦ କାଉଣ୍ଟର୍ ରହିଛି। ଗୁଳିମାଡ଼ କରିଥିବା ଯୁବକଙ୍କ ଭାଇର ସେହି ମଦ କାଉଣ୍ଟର୍ ପାଖରେ ଏକ ଚାଖଣା ଦୋକାନ ରହିଛି। ତେବେ ସନ୍ଧ୍ୟାରେ ଅସୀମ କୁକୁର ବୁଲାଉଥିବା ବେଳେ କୌଣସି କାରଣକୁ ନେଇ ଅଭିଯୁକ୍ତ ଶିବ ସହିତ ତାଙ୍କର ପାଟିତୁଣ୍ତ ହୋଇଥିଲା। ଏହାପରେ ଅସୀମ ସେଠାରୁ ଘରକୁ ଆସୁଥିବା ବେଳେ ଅଭିଯୁକ୍ତ ଶିବ ପଛପଟୁ ଆସି ଦାନା ନେ କହି ଗୁଳି ଫୁଟାଇଥିଲା। ଗୁଳିଟି ସୌଭାଗ୍ୟବଶତଃ ଅସୀମଙ୍କ ଦେହରେ ବାଜିନଥିଲା। ଗୁଳିଶବ୍ଦ ଶୁଣି ଅସୀମଙ୍କ ବାପା ମନୋଜ ଓ ମା’ ଅଞ୍ଜଳି ଘରୁ ପଦାକୁ ଚାଲି ଆସିଥିଲେ। ଅଭିଯୁକ୍ତ ହାତରୁ ବନ୍ଧୁକ ଛଡ଼ାଇ ଆଣିବା ଲାଗି ଅସୀମଙ୍କ ସମେତ ତାଙ୍କ ବାପା ଓ ମା’ ଉଦ୍ୟମ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧୢରେ ପ୍ରବଳ ଧସ୍ତାଧସ୍ତି ହେବାରୁ ଅସୀମ ଓ ତାଙ୍କ ମା’ ଆହତ ହୋଇଥିଲେ। ଅଭିଯୁକ୍ତ ଘଟଣାସ୍ଥଳରୁ ବନ୍ଧୁକ ନେଇ ପଳାଇବାରେ ସକ୍ଷମ ହୋଇଛି। ଖବର ପାଇ କେନ୍ଦ୍ରାପଡ଼ା ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ସଦର ଥାନାଧିକାରୀ ଶୁଭେନ୍ଦୁ ସାହୁ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି। ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି, ଗୁଳି କାହା ଦେହରେ ବାଜିନାହିଁ। ଅଭିଯୁକ୍ତଙ୍କ ସହିତ ଧସ୍ତାଧସ୍ତିରେ ମା’-ପୁଅ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/djjdggjdgdjjd-2025-11-24-01-37-58.jpg)