ଦୁର୍ଘଟଣା ପରେ ତୁମୁଳକାଣ୍ଡ, ପୁଲିସ ଗାଡ଼ି ଭଙ୍ଗାରୁଜା

କାର୍‌ ଧକ୍କାରେ ୨ ମୃତ, ଢେଲାମାଡ଼ରେ ୩ ପୁଲିସ ଆହତ

ରାଉରକେଲା : ରିଙ୍ଗ୍‌ ରୋଡ୍‌ ସ’ ମିଲ୍‌ ଛକରେ ଗତକାଲି ସନ୍ଧ୍ୟାରେ ମାରୁତି କାର୍‌ (ଓଡି-୧୬-୬୩୬୫) ଧକ୍କାରେ ଇସ୍ପାତ କଲେଜ ଛାତ୍ର ମନୀଷ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ବାସନ୍ତୀ କଲୋନିର ପୀତବାସ ପାଢ଼ୀ (୬୦) ଆଜି ଭୋର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମନୀଷ ପଢ଼ୁଥିବା ଇସ୍ପାତ କଲେଜର ଶତାଧିକ ଛାତ୍ର ଓ ନୟାବଜାର ଓ ସ’ ମିଲ ଛକ ବସ୍ତି ଅଞ୍ଚଳର ଲୋକେ ଆଜି ସକାଳ ୧୦ଟାରେ ଉପଯୁକ୍ତ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ଲାଣ୍ଟସାଇଟ୍‌ ଥାନା ଘେରାଉ କରିଥିଲେ। ଏହା ପରେ ସେମାନେ ସ’ ମିଲ୍‌ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ ରିଙ୍ଗ୍‌ ରୋଡ୍‌ର ଉଭୟ ପଟେ ଶହଶହ ଗାଡ଼ି ମାଟର ଅଟକି ରହିଥିଲା।

ଖବର ପାଇ ପ୍ଲାଣ୍ଟସାଇଟ୍‌ ଥାନା ଓ ଗୋପବନ୍ଧୁପାଲୀ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲେ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲାଠି ଚାଳନା କରିବାରୁ ଉତ୍ତ୍ୟକ୍ତ ଲୋକେ ପାଲଟା ଜବାବ ସ୍ୱରୂପ ଢେଲା ମାଡ଼ କରିବା ସହ ୨ଟି ପୁଲିସ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ପିସିଆର୍‌ ଭ୍ୟାନ୍‌ରେ ଥିବା ୨ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହା ପରେ ଭିଡ଼ ଭିତରେ ଅଟକି ଯାଇଥିବା ଗୋପବନ୍ଧୁପାଲୀ ଫାଣ୍ଡି ଅଧିକାରୀ ଦିଗ୍‌ବିଜୟ ପ୍ରସାଦ ବିଶ୍ୱାଳଙ୍କୁ ଲୋକେ ପଥର ମାଡ଼ କରିବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ସାଥୀ ପୁଲିସ ତାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଇସ୍ପାତ ଜେନେରାଲ୍‌ ହସ୍ପିଟାଲ (ଆଇଜିଏଚ୍‌) ନେଇଥିଲେ। ଏପଟେ ପୁଲିସ ଅଧିକାରୀ ତଳେ ପଡ଼ିଯିବା ପରେ ଲୋକେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ୍‌-ଜନତା ଖଣ୍ଡଯୁଦ୍ଧର ଖବର ପାଇ ଏସ୍‌ପି ଡ. ଉମାଶଙ୍କର ଦାଶ, ଡିଏସ୍‌ପି ପି.କେ. ମିଶ୍ର ଓ ଅନ୍ୟ ପୁଲିସ ଅଧିକାରୀ ୫ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର