ରାଉରକେଲା: ସିଆଇଟିୟୁ ସର୍ବଭାରତୀୟ ମହିଳା କର୍ମଜୀବୀ ମହିଳା ସମନ୍ବୟ କମିଟି ବୈଠକ ହୋଟେଲ ରାଧିକା ରିଜେନ୍ସିରେ ଅନୁଷ୍ଠିତ ହୋଇଯାଇଛି। କମିଟିର ବରିଷ୍ଠ ସଦସ୍ୟା ମାର୍ଶିକୁଟ୍ଟି ଆମ୍ମା ସଭାପତିତ୍ବ କରିଥିଲେ। ସିଆଇଟିୟୁ ସର୍ବଭାରତୀୟ ସଭାନେତ୍ରୀ ଡ. କେ ହେମଲତା ବୈଠକକୁ ଉଦ୍ଘାଟନ କରିଥିଲେ। ସେ କହିଥିଲେ,୨୦୧୪ ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଲା ପରେ ମହିଳା ହିଂସା ବୃଦ୍ଧି ପାଇଛି। ସମଗ୍ର ଦେଶରେ ଦ୍ୱେଷ ଓ ଘୃଣାର ବାତାବରଣ ସୃଷ୍ଟି ହୋଇଛି। ଯେଉଁଥିରେ ମହିଳାମାନେ ଅଧିକ ଶିକାର ହେଉଛନ୍ତି। ମଣିପୁର ଘଟଣା ଏହାର ଜ୍ଜଳନ୍ତ ଉଦାହରଣ।
ଜାତୀୟ କ୍ରାଇମବ୍ୟୁରୋ ତଥ୍ୟ ଅନୁସାରେ ଆମ ଦେଶରେ ୮୭ ଲକ୍ଷ ୭୦ ହଜାର ମହିଳା ଓ ବାଳିକା ନିଖୋଜ ହୋଇଛନ୍ତି। ଦେଶର ସୁନାମ ଅର୍ଜନ କରିଥିବା ମହିଳା କୁସ୍ତିଯୋଧ୍ୟାମାନେ ମଧ୍ୟ ବାଦ ପଡ଼ିନାହାନ୍ତି। ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ଯୋଗୁ ମହିଳାମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ୧୫ ରୁ ୨୯ ବର୍ଷ ବୟସର ବେକାରମାନଙ୍କ ସଂଖ୍ୟା ୨୦୨୩ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ୧୭.୦୩ ପ୍ରତିଶତ ବୃଦ୍ଧି ପାଇଛି। ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ କୁ ଘରୋଇକରଣ କରିବା ଯୋଗୁ ଏହି ଅବସ୍ଥା ଆହୁରି ସଂକଟାପନ୍ନ ହୋଇଛି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ବଡ଼ ବଡ଼ କର୍ପୋରେଟମାନଙ୍କଠାରୁ ସଂପତ୍ତି କର ଆଦାୟ ନ କରି ମୋଦୀ ସରକାର ସାଧାରଣ ଲୋକଙ୍କ ଉପରେ ଟିକସର ବୋଝ ଲଦି ଦେଉଛନ୍ତି। ସ୍କିମ ଶ୍ରମିକ, ଠିକା ଶ୍ରମିକ ଓ ଆଉଟ୍ ସୋର୍ସିଂ ଶ୍ରମିକର ମାନ୍ୟତା ନ ଦେଇ ସ୍ଵଳ୍ପ ଦରମାରେ କାମ କରିବାକୁ ବାଧ୍ୟ କରାଯାଉଛି। କର୍ମଜୀବୀ ମହିଳାମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳରେ ଶାରୀରିକ ଶୋଷଣ ବିରୋଧୀ କମିଟି ଗଠନ କରାଯାଉ ନାହିଁ। ୮ ଘଣ୍ଟା ବଦଳରେ ୧୨ ଘଣ୍ଟାରୁ ଅଧିକ ଓ ରାତ୍ରୀକାଳୀନ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି।
ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ମୋଦୀ ସରକାରଙ୍କ ଶ୍ରମିକ, କୃଷକ ବିରୋଧୀନୀତି ବିରୋଧରେ ଆସନ୍ତା ୩ ଅକ୍ଟୋବରରେ ସମସ୍ତ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ସିଂହ ଟେନିଙ୍କୁ ବହିସ୍କାର ଦାବିରେ ବ୍ୟାପକ ଆନ୍ଦୋଳନ କରିବା ସହିତ ୨୬,୨୭ ୨୮ ନଭେମ୍ବର ଲଗାତର ଭାବେ ୭୨ ଘଣ୍ଟା ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ସମ୍ବିଧାନ, ଗଣତନ୍ତ୍ର ର ସୁରକ୍ଷା ପାଇଁ କର୍ପୋରେଟ ଓ ସାଂପ୍ରଦାୟିକ ଆର୍ଏସ୍ଏସ୍ ନେତୃତାଧୀନ ବିଜେପି ସରକାର ବିରୋଧରେ ବ୍ୟାପକ ଜନ ସମାବେଶ ଅନୁଷ୍ଠିତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜାତୀୟ ବୈଠକରେ ସିଆଇଟିୟୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ତପନ ସେନ୍, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଜାତୀୟ ସଂପାଦକ ପି ଭି ସିନ୍ଧୁ, ମଧୁମିତା ବାନାର୍ଜୀ, ଉଷାରାଣୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଜାତୀୟ ମହିଳା କର୍ମଜୀବୀ ସମନ୍ୱୟ ସମିତି ବୈଠକରେ ୨୩ଟି ରାଜ୍ୟରୁ ଶତାଧିକ ମହିଳା ଏହି ଆଲୋଚନାରେ ସାମିଲ ହୋଇଥିଲେ।