ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ବଢ଼ିଛି କଟକଣା। ସଂଧ୍ୟା ୬ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ। ସପ୍ତାହରେ ଦୁଇ ଦିନ ଶନିବାର ଓ ରବିବାର ସଟ୍‌ଡାଉନ୍‌। ଏ ଦୁଇଟି ଯାକ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହିତ ପୁଲିସ ମୁତୟନ ବି ଅତି ଚମତ୍କାର। ରାତ୍ରୀକାଳୀନ କର୍ଫ୍ୟୁ ଓ ସଟ୍‌ଡାଉନ୍‌ ସମୟରେ ପୁଲିସର ନିଷ୍ଠାପର କର୍ତ୍ତବ୍ୟକୁ ଦେଖିଲେ ଯେକେହି କହିବ ସାବାସ ବଲାଙ୍ଗୀର ପୁଲିସ ସାବାସ। କିନ୍ତୁ ସୋମବାର ସକାଳ ହେଉହେଉ ସହରର ହାଉଜାଉ ଭିଡ଼କୁ ଦେଖିଲେ, ବଲାଙ୍ଗୀର ବାହାରର ଲୋକେ ଭ୍ରମରେ ପଡ଼ିଯିବେ। ଇଏ ଦିଲ୍ଲୀ ନା ମୁମ୍ବାଇ? କାରଣ ଛକ ଛକରେ ଟ୍ରାଫିକ୍‌ ଜାମ୍‌।

Advertisment

publive-image

ଛୋଟିଆ ସହରରେ ବଡ଼ ଭିଡ଼। ଅଯଥା ଜାଗାରେ ଗାଡ଼ି ପାର୍କିଂ ଜୋନ୍‌। କୃତ୍ରିମ ଟ୍ରାଫିକ୍‌ ଜାମ୍‌। ସଂଧ୍ୟାରେ ଏକ୍ସନ ମୋଡରେ ଥିବା ପୁଲିସ ସକାଳୁ ଢିଲା। ଆସନ୍ତା ୫ରୁ ୧୪ ଦିନିଆ ସଟ୍‌ଡାଉନ୍‌। ସରକାରଙ୍କ ଏ ଘୋଷଣା ପରେ ସହରରେ ଅସମ୍ଭାଳ ଭିଡ଼େ। ଦିନ ୧୦ଟାରୁ ୧୨ଟା ଯାଏ ସହରର ମୁଖ୍ୟ ବଜାରର ସବୁ ଛକରେ ଟ୍ରାଫିକ୍‌ ଜାମ୍‌। ଘଣ୍ଟାଘଣ୍ଟା ଧରି ଅଟକି ରହିଥିଲେ ସାଧାରଣ ଲୋକେ। ଏପରିକି ଗୋଟିଏ ଗୋଟିଏ ଜାଗାରେ ଜଣେ ଜଣେ ଘଣ୍ଟାଏରୁ ଅଧିକ ସମୟ ଅଟକି ରହିଥିଲେ। କରୋନା ସଂକ୍ରମଣ ସମୟରେ ଏଭଳି ଦୃଶ୍ୟକୁ ଦେଖିଲେ ଯେକେହି ବି ଡରିଯିବ। ସରକାର ଓ ଜିଲ୍ଲା ପ୍ରଶାସନ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଥିବା ବେଳେ ଆଜିର ଭିଡ଼କୁ ଦେଖିଲେ ଯେକେହି ବି ପ୍ରଶ୍ନ କରିବ, କରୋନା ଚାଲିଯାଇଛି ନା ଆମ ଭିତରେ କରୋନାର ଭୟ ନାହିଁ?

କିନ୍ତୁ ସଂକ୍ରମଣର ରେଡ୍‌ଜୋନ୍‌ରେ ଥିବା ବଲାଙ୍ଗୀରର ଏପରି ଭିଡ଼କୁ ମାତ ଦେବାରେ ଫେଲ ମାରିଥିଲା ଆଦର୍ଶ ପୁଲିସ। ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା। ଭିଡ଼ କମାଇବା ପାଇଁ ନୂଆ ନୂଆ ପାର୍କିଂଜୋନ୍‌ ବ୍ୟବସ୍ଥା ହୋଇଥିଲେ ବି ଏହାକୁ କାମରେ ଲଗାଉନି ଆଦର୍ଶଥାନା ପୁଲିସ। ତେଣୁ ପରିସ୍ଥିତିକୁ ଦେଖି ସାଧାରଣରେ ଚର୍ଚ୍ଚା- ‘ବଲାଙ୍ଗୀର ପୁଲିସ ରାତିରେ ପାସ୍‌, ଦିନରେ ଫେଲ୍‌’।