ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନାରେ ମାନବାଧିକାରର ଖୋଲା ଉଲ୍ଲଂଘନ କରାଯାଇଛି। ମାମଲା ରୁଜୁ ହୋଇ ନଥିଲେ ମଧ୍ୟ ଜଣେ ଯୁବକଙ୍କ ହାତ ଓ ଗୋଡ଼ରେ ବେଡ଼ି ପକାଇ ଥାନାରେ ବାନ୍ଧି ରଖାଯାଇଥିଲା। ଏହା ବାଲେଶ୍ବର ସାଂସଦଙ୍କ ନଜରକୁ ଆସିବା ପରେ ସେ ହସ୍ତକ୍ଷେପ କରିଥିଲେ। ଭିଡିଓ କଲ୍‌ କରି ଏସ୍‌ପିଙ୍କୁ ଦେଖାଇଥିଲେ। ଏହି ଘଟଣା ନେଇ ଥାନା ଆଇଆଇସିଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଥିସହ ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କୁ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ ନିଲମ୍ବିତ କରିଛନ୍ତି।

Advertisment

ଭୋଗରାଇ ବ୍ଲକ୍‌ ଆରୁହାବୃତ୍ତି-୧ ପଞ୍ଚାୟତ ବାରବାଟିଆ ଗ୍ରାମର ମନ୍ମଥ ଦତ୍ତଙ୍କ ସାଉଣ୍ଡ ସିଷ୍ଟମ୍‌ ବେପାର ଅଛି। ତାଙ୍କ ପାଖରେ ଜୟରାମପୁର ପଞ୍ଚାୟତ ଜୟରାମପୁର ଗ୍ରାମର କାର୍ତ୍ତିକ ଭୋଳ ଅପରେଟର୍‌ ଭାବେ କାମ କରନ୍ତି। ଗତ ଜାନୁଆରି ୨୭ ତାରିଖ ଦିନ କୌଣସି କାମ ପାଇଁ ଉଭୟ ବାଇକ୍ ଅଦଳବଦଳ କରିଥିଲେ। ପରେ ମନ୍ମଥ ବାରମ୍ବାର କାର୍ତ୍ତିକଙ୍କୁ ବାଇକ୍ ଫେରାଇବା ପାଇଁ କହିଥିଲେ। ହେଲେ ସେ ବାଇକ୍‌ ଫେରାଇ ନଥିଲେ। ତେଣୁ ବାଧ୍ୟ ହୋଇ ମେ ୨୦ ତାରିଖ ଦିନ ମନ୍ମଥଙ୍କ ପତ୍ନୀ ଜୟନ୍ତୀ ଦତ୍ତ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘରକୁ ଯାଇଥିଲେ ବି କାର୍ତ୍ତିକଙ୍କୁ ପାଇ ନଥିଲା। ଗତକାଲି (ଓଡି୦୧-ଏଟି୭୮୦୯ ନମ୍ବର) ମନ୍ମଥଙ୍କ ବାଇକ୍‌ ଜବତ ହୋଇଥିଲା ଏବଂ କାର୍ତ୍ତିକଙ୍କୁ ଥାନାକୁ ଆଣି ଅଟକ ରଖାଯାଇଥିଲା।

ଭିଡିଓ କଲ୍‌ କରି ଏସ୍‌ପିଙ୍କୁ ଦେଖାଇଥିଲେ ସାଂସଦ

ସେଠାରେ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ କାର୍ତ୍ତିକଙ୍କ ଉପରେ ରାଗ ସୁଝାଇଥିଲେ। କୌଣସି ମାମଲା ରୁଜୁ ହୋଇ ନଥିଲେ ମଧ୍ୟ କାର୍ତ୍ତିକଙ୍କ ହାତ ଓ ଗୋଡ଼ରେ ବେଡ଼ି ପକାଇ ଥାନାର ଏକ କୋଠରିରେ ବାନ୍ଧି ରଖିଥିଲେ। ଆଜି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏନେଇ ଖବର ପାଇଥିଲେ। ଅପରାହ୍‌ଣରେ ସେ ଭୋଗରାଇ ଥାନାରେ ପହଞ୍ଚିଥିଲେ। ସେଠାରେ କାର୍ତ୍ତିକଙ୍କ ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରିଥିଲେ। ଥାନାଧିକାରୀ ଶ୍ରୀ ସାହୁଙ୍କୁ କୈଫିୟତ ମାଗିବା ସହ ମାନବାଧିକାରର ଉଲ୍ଲଂଘନ ନେଇ ପ୍ରଶ୍ନ କରିଥିଲେ।  ଏହା ସହିତ ଭିଡିଓ କଲ୍‌ କରି ଥାନାବାବୁଙ୍କ କାରନାମା ସଂପର୍କରେ ଏସ୍‌ପି ରାଜ ପ୍ରସାଦଙ୍କୁ ଦେଖାଇଥିଲେ। ସାଂସଦଙ୍କ ତାଗିଦ୍‌ ଓ ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଥାନାଧିକାରୀ ଶ୍ରୀ ସାହୁ ଜଳେଶ୍ବରପୁର ଡାକ୍ତରଖାନାରେ କାର୍ତ୍ତିକଙ୍କ ଡାକ୍ତରୀ ମାଇନା କରାଇଥିଲେ। ପରେ କାର୍ତ୍ତିକଙ୍କୁ ବା‌ଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ କାର୍ତ୍ତିକଙ୍କ ପତ୍ନୀ ସବିତା ଭୋଳ ଥାନାଧିକାରୀ ଶ୍ରୀ ସାହୁଙ୍କ ନାମରେ ଏତଲା ଦେଇଥିବା ଜଣାପଡ଼ିଛି।

ଆଜି ସଂଧ୍ୟାରେ ବାଲେଶ୍ବର ଆଡିସନାଲ୍‌ ଏସ୍‌ପି ଦେବଜ୍ୟୋତି ଦାଶ ଓ ଏସ୍‌ଡିପିଓ ମାନସ କୁମାର ଦେଓଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଭୋଗରାଇ ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି। ପରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ ଆଇଆଇସି ଶ୍ରୀ ସାହୁଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ଥାନାଧିକାରୀ ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଥାନାରେ କର୍ମଚାରୀ ଅଭାବ ରହିଛି। ୪ଟି ହାଜତ ଥିଲେ ମଧ୍ୟ ପରିତ୍ୟକ୍ତ ହୋଇପଡ଼ିଛି। ତେଣୁ ଅଭିଯୁକ୍ତଙ୍କ ହାତ ଓ ଗୋଡ଼ରେ ବେଡ଼ି ପକାଇବାକୁ ପଡ଼ିଥିଲା ବୋଲି କହିଛନ୍ତି।