ରାୟଗଡ଼ା: ପୂର୍ବଘାଟ ପର୍ବତମାଳା ଅନ୍ତର୍ଗତ ନିୟମଗିରି ପାହାଡ଼ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଯୋଡ଼ି ରଖିଛି। ସମୁଦ୍ର ପତ୍ତନ ଠାରୁ ୪୯୭୦ ଫୁଟ୍‌ ଉଚ୍ଚତାରେ ୨୫୦ ବର୍ଗକିମି ଅଞ୍ଚଳକୁ ମାଡ଼ିଛି ଏହି ପାହାଡ଼। ଏଠାକୁ ପକ୍କା ରାସ୍ତା ନିର୍ମାଣ ପରେ ଡଙ୍ଗରିଆ କନ୍ଧଙ୍କ ବାସସ୍ଥଳ ଏବେ ବିପଦରେ। ଦୁଇ ଦଶନ୍ଧି ଧରି ଜଙ୍ଗଲ କଟା ଓ ପୋଡ଼ୁଚାଷ ଯୋଗୁଁ ଏଠାକାର ପରିବେଶ ସଂପୂର୍ଣ୍ଣ ବଦଳି ଯାଇଛି। ଯାହାକି ନିୟମଗିରିର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିଛି। ବନ୍ୟଜନ୍ତୁଙ୍କ ସହ ଔଷଧୀୟ ବୃକ୍ଷଲତା ଲୋପ ପାଇବାରେ ଲାଗିଛି। ନିୟମ ରାଜାର ନିୟମ ଅନୁଯାୟୀ ଏଠାକାର ଡଙ୍ଗରିଆକନ୍ଧ ଯୁଗଯୁଗ ଧରି କରି ଏହି ପ୍ରାକୃତିକ ପ୍ରାଚୁର୍ଯ୍ୟକୁ ସୁରକ୍ଷା ଦେଇ ଆସୁଥିଲେ। ୯୦ଦଶକରେ ନକ୍ସଲଙ୍କ ଗତିବିଧି ଯୋଗୁଁ ଏହି ଅଞ୍ଚଳକୁ ଯିବାକୁ ଲୋକେ ଅସୁରକ୍ଷିତ ମନେ କରୁଥିଲେ। ରାସ୍ତା ନଥିବାରୁ ବି ଅନେକ ସମୟରେ ବାହାର ଲୋକଙ୍କ ପାଦ ପଡୁନଥିଲା। ହେଲେ ବିକାଶର ରାସ୍ତା ପାଇଁ ଏହି ଅଞ୍ଚଳକୁ ରାସ୍ତା ନିର୍ମାଣ ପରେ ସବୁକିଛି ବଦଳି ଯାଇଛି। ନିୟମ ରାଜାର ଦ୍ବାହି ଦେଇ ଜଙ୍ଗଲକୁ ସୁରକ୍ଷା ଦେଉଥିବା ଡଙ୍ଗରିଆ କନ୍ଧମାନେ ଏବେ ମୂଲ୍ୟବାନ ଗଛ କାଟି ବିକ୍ରି କରି ଦେଉଛନ୍ତି। ପାରମ୍ପରିକ ଚାଷ ଛାଡ଼ି ଡଙ୍ଗରିଆମାନେ କପା ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ଜୈବିକ ସାର ବଦଳରେ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟି ଉର୍ବରତା ହରାଉଛି। ଯାହାଫଳରେ ୩୦୦ ଭିନ୍ନ ଭିନ୍ନ କିସମ ଔଷଧୀୟ ବୃକ୍ଷ ମଧ୍ୟରୁ ଅଧିକାଂଶ ବିଲୁପ୍ତ ହୋଇସାରିଲାଣି। ରାଜ୍ୟ ବାହାର ଦଲାଲ ଗଛକୁ ମୂଳରୁ ଓପାଡ଼ି ନେଇଯାଉଛନ୍ତି।

Advertisment

ଲୋପ ପାଇଲାଣି ଔଷଧୀୟ ବୃକ୍ଷଲତା
ପୋଡୁଚାଷ ପାଇଁ ଜଙ୍ଗଲ ସଫା
କାଠ ବେପାର ପାଇଁ ସବୁଜିମା ନଷ୍ଟ
ମରିଗଲାଣି ବହୁ ଚିରସ୍ରୋତା ଝରଣା

ସେହିପରି ନିୟମଗିରି ପାହାଡ଼ରେ ଥିବା ବହୁ ଚିରସ୍ରୋତା ଝରଣା ମରିଗଲାଣି। ବର୍ଷାଜଳ ଧାରଣ ଶକ୍ତି କମିଯିବା ସହ ଏଠାରୁ ଉତ୍ପତ୍ତି ହୋଇଥିବା ନାଗାବଳୀ ଏବଂ ବଂଶଧାରା ନଦୀ ମଧ୍ୟ ଶୁଷ୍କ ହେବାରେ ଲାଗିଛି। ଏପରିକି ବର୍ଷା ଦିନେ ଯେଉଁ ପରିମାଣରେ ଜଳ ଉଭୟ ନଦୀରେ ରହିବା କଥା ତାହା କିଛି ବର୍ଷ ହେଲା ରହୁନଥିବା ଦେଖିବାକୁ ମଳିଛି। ନିୟମଗିରିର ଅକଳନୀୟ କ୍ଷତି ହୋଇସାରିଥିବା ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଡ. ଗୌରାଙ୍ଗ ଚରଣ ରାଉତ ପ୍ରକାଶ କରିଛନ୍ତି। ପାହାଡ଼ରେ ଗମନାଗମନ ପାଇଁ ସରକାର ଚଉଡ଼ା ରାସ୍ତା ତିଆରି କରୁଥିବା କାରଣରୁ ପ୍ରାକୃତିକ ସଂପଦ ନଷ୍ଟ ହେବାକୁ ବସିଲାଣି। ଜଙ୍ଗଲ କ୍ଷୟ କାରଣରୁ ବାଘ, ଭାଲୁ ଓ ଅନ୍ୟାନ୍ୟ ପଶୁପକ୍ଷୀ ଲୋପ ପାଇଲେଣି। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ବି‌ଷମକଟକ, କଲ୍ୟାଣସିଂହପୁର ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୧୦ଟି ପଞ୍ଚାୟତର ପ୍ରାୟ ୧୧୫ ଗାଁର ୧୦ହଜାରରୁ ଊର୍ଦ୍ଧ୍ବ ଡଙ୍ଗରିଆକନ୍ଧ, କୁଟିଆ ଓ ଝରଣିଆକନ୍ଧ ନିୟମଗିରିରେ ବସବାସ କରୁଛନ୍ତି। ନିୟମଗିରିରେ ଥିବା ଖଣିଜ ପଦାର୍ଥର ସୁରକ୍ଷା ପାଇଁ ଆନ୍ଦୋଳନ ହେଉଥିବା ବେଳେ ଏହାର ଜୈବବିବିଧତା ନଷ୍ଟ ହେଉଥିଲେ ସୁଦ୍ଧା ଚୁପ୍ ରହୁଥିବା ଦେଖିବାକୁ ମିଳିଛି।