କଟକ : ବରଗଡ଼ ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳ ଜିରା ନଦୀରେ ପକାଯିବା ଅଭିଯୋଗକୁ ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି) ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ସ୍ଥିତି ଅନୁଧ୍ୟାନ ପାଇଁ ଏକ ଯୁଗ୍ମ କମିଟି ଗଠନ କରିଛନ୍ତି। ବରଗଡ଼ ଜିଲ୍ଲାପାଳ ବା ତାଙ୍କ ପ୍ରତିନିଧି (ଏଡିଏମ୍ ପାହ୍ୟାର ଅଧିକାରୀ), କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଜ୍ଞାନିକ, ବରଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ନେଇ ଏହି କମିଟି ଗଠନ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କମିଟିର ନୋଡାଲ ଏଜେନ୍ସି ରହିବ। ଏହି କମିଟି ଜିରା ନଦୀର ପାଣିର ମାନ ଓ ଏଥିରେ ରହୁଥିବା ପ୍ରଦୂଷଣର ମାତ୍ରା ଯାଞ୍ଚ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ପୌରପାଳିକା ଦେଇ ଯାଇଥିବା ଜିରା ନଦୀର ଉପରମୁଣ୍ଡ ଓ ତଳମୁଣ୍ଡର ପାଣି ପରୀକ୍ଷା କରାଯିବ ବୋଲି ଏନ୍‌ଜିଟି କହିଛନ୍ତି। ବରଗଡ଼ ପୌରାଞ୍ଚଳରୁ ବାହରୁଥିବା ବର୍ଜ୍ୟବସ୍ତୁ ପକାଯାଉଥିବା ସ୍ଥାନ କମିଟି ଗସ୍ତ କରି ଯାଞ୍ଚ କରିବା ସହିତ ‌ପ୍ରତିଦିନ କେତେ ପରିମାଣର ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି, ସେ ନେଇ ରିପୋର୍ଟରେ ଉଲ୍ଲେଖ କରିବ। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା ନିୟମ ପାଳନ ପ୍ରସଙ୍ଗରେ ରିପୋର୍ଟରେ ଉଲ୍ଲେଖ କରାଯିବ। କ’ଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ ସେ ନେଇ ମଧ୍ୟ କମିଟି ପ୍ରସ୍ତାବ ଦେବ। ଯଦି ପରିବେଶ ନିୟମ ଉଲ୍ଲଂଘନ ହେଉଥିବା ଜଣାପଡ଼େ, ତେବେ ବରଗଡ଼ ମ୍ୟୁନିସିପାଲିଟି ଜରିମାନା ବାବଦରେ ମାସିକ ଏକ ଲକ୍ଷ ଟଙ୍କା ଦେବ। ଏପରି ଜରିମାନା ୨୦୨୦, ଏପ୍ରିଲରୁ ଲାଗୁ ହେବ ବୋଲି ଏନ୍‌ଜିଟି ସ୍ପଷ୍ଟ କରିଛନ୍ତି। ତିନି ସପ୍ତାହ ଭିତରେ କମିଟି ରିପୋର୍ଟ ଦାଖଲ କରିବ ଓ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୩୦ରେ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ରମାକାନ୍ତ ରାଉତ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏନ୍‌ଜିଟି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।