ରାଜ୍ୟରେ ମହିଳା ହିଂସା ଚିନ୍ତା‌ଜନକ

ପଙ୍ଗୁ ଅବସ୍ଥାରେ ୱାନ୍‌ ଷ୍ଟପ୍‌ ସେଣ୍ଟର, ବଜେଟ୍‌ ବୃଦ୍ଧି ପ୍ରସ୍ତାବ ଦେଲା ସିୱାଇଏସ୍‌ଡି

ଭୁବନେଶ୍ବର : ରାଜ୍ୟରେ ମହିଳା ହିଂସା ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଥିବା ବେଳେ ମୁକାବିଲା ଓ ପୀଡ଼ିତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠିତ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରଗୁଡ଼ିକର ଅଚଳାବସ୍ଥା ଦେଖିଲେ ସରକାରଙ୍କ ନିଷ୍ଠା ବା ଆନ୍ତରିକତାର ଅଭାବ ଜଳଜଳ ହୋଇ ଦେଖାଯାଏ। ପଙ୍ଗୁ ଅବସ୍ଥାରେ ପଡ଼ିରହିଛି ୱାନ୍‌ ଷ୍ଟପ୍‌ ସେଣ୍ଟର। ପୀଡ଼ିତା ନିକଟରେ ତୁରନ୍ତ ପହଞ୍ଚିବା ପାଇଁ, ଗୁରୁତର ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେବା ପାଇଁ ସେଣ୍ଟର ପାଖରେ ନିଜସ୍ବ ଗାଡ଼ିଟିଏ ନାହିଁ। କାଉନ୍‌ସ‌େଲିଂ ପାଇଁ ସ୍ବତନ୍ତ୍ର ଗୃହ ନାହିଁ କି ତାଲିମ୍‌ପ୍ରାପ୍ତ ଅଧିକାରୀ ବା କର୍ମଚାରୀ ନାହାନ୍ତି। ତେଣୁ ମହିଳା ହିଂସାକୁ ରୋକିବାକୁ ବା ମୁକାବିଲା କରିବାକୁ ସାମାଜିକ ସଙ୍ଗଠନ ସିଓ୍ବାଇଏସ୍‌ଡି ସରକାରଙ୍କୁ କେତେକ ସୁପାରିସ କରିଛି। ବିଶେଷକରି ଏଥିପାଇଁ ବଜେଟ୍‌ ବୃଦ୍ଧି କରିବାକୁ ସିୱାଇଏସ୍‌ଡି ସରକାରଙ୍କୁ ପ୍ରସ୍ତାବ ଦେଇଛି।

ସରକାରଙ୍କୁ ସିୱାଇଏସ୍‌ଡି ଦେଇଥିବା ରିପୋର୍ଟରେ କୁହାଯାଇଛି ଯେ ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ରାଜ୍ୟରେ ମହିଳା ହିଂସା ବୃଦ୍ଧି ପାଉଛି। ମହାମାରୀ ସମୟରେ ମହିଳା ହିଂସା ୯.୯୪ ପ୍ରତିଶତ ବୃଦ୍ଧି ପାଇଥିଲା। କେବଳ ୨୦୨୦ ମସିହା ଜାନୁଆରିରୁ ଜୁନ୍‌ ମଧ୍ୟରେ ୧୨୧୨ ଦୁଷ୍କର୍ମ ଅଭିଯୋଗ ରିପୋର୍ଟ ହୋଇଥିଲା। ସାଧାରଣ ସମୟ ଅପେକ୍ଷା ମହାମାରୀ ସମୟରେ ନିର୍ଯାତନା ୮୨.୯୬ ପ୍ରତିଶତ, ଭେଦଭାବ ୬୮.୮ ପ୍ରତିଶତ, ଶାରୀରିକ ହିଂସା ୫୮.୫୨ ପ୍ରତିଶତ, ମାନସିକ ହିଂସା ୫୬.୩ ପ୍ରତିଶତ ଏବଂ ଯୌନ ହିଂସା ୬.୬୭ ପ୍ରତିଶତ ରହିଥିଲା। ମୟୂରଭଞ୍ଜ, କେନ୍ଦୁଝର ଏବଂ କୋରାପୁଟରେ ଯୌନ ହିଂସା ସର୍ବାଧିକ ହୋଇଥିବା ଏନ୍‌ସିଆର୍‌ବି ରିପୋର୍ଟରେ ରହିଛି। ସେହିପରି ରାଜ୍ୟରେ ଯୌନ ହିଂସା ଚିନ୍ତାଜନକ ଭାବେ ବଢୁଛି। ମାତ୍ର ଏସବୁର ମୁକାବିଲା ପାଇଁ ଆବଶ୍ୟକ ବଜେଟ୍‌ ବଢ଼ୁନାହିଁ। ଦିଲ୍ଲୀ ନିର୍ଭୟା ଘଟଣା ପରଠାରୁ ମହିଳା ହିଂସା ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟର ପ୍ରତିଷ୍ଠା ହୋଇଥିଲା। ଏହି ବ୍ୟବସ୍ଥା ଅନୁସାରେ ବିଭିନ୍ନ ପ୍ରକାର ହିଂସାର ଶିକାର ଜଣେ ମହିଳାଙ୍କ ଅଭିଯୋଗ ଶୁଣିବାଠାରୁ ଆରମ୍ଭ କରି ଚିକିତ୍ସା, ନ୍ୟାୟପ୍ରଦାନ ଏବଂ ଥଇଥାନ ପର୍ଯ୍ୟନ୍ତ ସବୁ ଦାୟିତ୍ବ ଏହି କେନ୍ଦ୍ର ଉପରେ ନ୍ୟସ୍ତ ରହିବା ବ୍ୟବସ୍ଥା ଥିଲା। ମାତ୍ର ସରକାର କେବଳ କେନ୍ଦ୍ର ପ୍ରତିଷ୍ଠା କରି ଚୁପ୍ ବସିଗଲେ। ଆଜି ପର୍ଯ୍ୟନ୍ତ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରମାନଙ୍କରେ ପୀଡ଼ିତାଙ୍କ ରହଣି ପାଇଁ ଆବଶ୍ୟକ କକ୍ଷର ବ୍ୟବସ୍ଥା ହୋଇପାରିଲା ନାହିଁ।

cysd.org

ବଡ଼ କଥା ହେଉଛି ପୀଡ଼ିତାଙ୍କୁ କାଉନ୍‌ସେଲିଂ କରିବାକୁ ପ୍ରଶିକ୍ଷଣପ୍ରାପ୍ତ କାଉନ୍‌ସେଲର ନାହାନ୍ତି। ଏମିତିକି କାଉନ୍‌ସେଲର୍‌ଙ୍କ ଅଭାବ ପୂରଣ କରିବାକୁ ସେଣ୍ଟରର ଅନ୍ୟ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉନାହିଁ। ସେହିଭଳି ଓ୍ବାନ୍‌ ଷ୍ଟପ୍‌ ସେଣ୍ଟର ଓ ସ୍ବଧାର ଗୃହରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ସ୍ବାସ୍ଥ୍ୟ କର୍ମଚାରୀ ରହୁନାହାନ୍ତି। ଏଭଳି ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ କର୍ମଚାରୀ ରହିବା କଥା। ସେହିଭଳି ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ସ୍ତ୍ରୀ ରୋଗ ବିଶେଷଜ୍ଞ, ଆକ୍ରମଣର ଶିକାର ପୀଡ଼ିତାଙ୍କ ପାଇଁ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଅନ୍ୟାନ୍ୟ ସମୟରେ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କ ଆବଶ୍ୟକତା ପଡ଼େ। ମାତ୍ର ଉକ୍ତ ସେଣ୍ଟରଗୁଡ଼ିକରେ ସେଭଳି ସେବା ହାତପାହାନ୍ତାରେ ମିଳିବା ବ୍ୟବସ୍ଥା ହୋଇପାରିନାହିଁ। ପରିତାପର କଥା ବିନିଯୋଗ ପତ୍ର ଦାଖଲ କରାଗଲେ ମଧ୍ୟ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରମାନଙ୍କୁ ଅନୁଦାନ ଅର୍ଥ ଠିକ୍‌ ସମୟରେ ଦିଆଯାଉନାହିଁ।

ବିଭିନ୍ନ ପ୍ରକାର ହିଂସାର ଶିକାର ମହିଳାଙ୍କ ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ମାତ୍ର ଜରୁରୀ ସମୟରେ ଏହା କାମ କରେ ନାହିଁ କିମ୍ବା କେହି ଉଠାନ୍ତିନାହିଁ। ତେଣୁ ଏଭଳି ସ୍ଥିତିରେ କଲ୍‌ ଆସୁଥିବା ସ୍ଥାନର ଅଟୋ ଟ୍ରେକିଂ କରାଯିବା ଉଚିତ। ଏଥିପାଇଁ ଆଗକୁ ବ୍ୟବସ୍ଥା କରାଯିବା ଜରୁରୀ। ପୀଡ଼ିତାଙ୍କ ଚିକିତ୍ସା ପାଇଁ ସ୍ବଧାରଗୃହଗୁଡ଼ିକ ଉପଯୁକ୍ତ ଦୃଷ୍ଟି ଦେଉନାହାନ୍ତି। ସେଥିପାଇଁ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟାବସ୍ଥା କ୍ଷେତ୍ରରେ ଅଙ୍ଗନବାଡ଼ି, ଆଶାକର୍ମୀଙ୍କୁ ଯେଉଁଭଳି ପ୍ରଶିକ୍ଷଣ ଦିଆଯାଉଛି, ଯୌନ ହିଂସା ନିୟନ୍ତ୍ରଣ ପାଇଁ ମଧ୍ୟ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଉଚିତ ବୋଲି ସିଓ୍ବାଇଏସ୍‌ଡିର ଉପାଲି ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର