ଭୁବନେଶ୍ବର : ଦିନକୁ ଦିନ ରାଜ୍ୟରେ ମହିଳା ବିରୋଧୀ ଅପରାଧ ଅଣାୟତ୍ତ ହେବାରେ ଲାଗିଛି। ଦୁଷ୍କର୍ମ ଠାରୁ ଆରମ୍ଭ କରି ଅପହରଣ, ଘରୋଇ ହିଂସା, ସମ୍ମାନହାନୀ ଆଦି ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୯ ତଥ୍ୟ ମୁତାବକ ଅସଦାଚରଣ ମାମଲାରେ ଓଡ଼ିଶା ସର୍ବଭାରତୀୟସ୍ତରରେ ସର୍ବାଗ୍ରେ ଏବଂ ଦୁଷ୍କର୍ମ ମାମଲାରେ ୧୪ ତମ ସ୍ଥାନରେ ରହିଛି। ସେହିପରି ୨୦୨୦ ତଥ୍ୟ ମୁତାବକ ଅସଦାଚରଣ ମାମଲାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦୁଷ୍କର୍ମ ମାମଲାରେ ଉପରକୁ ଉଠି ୧୨ତମ ସ୍ଥାନରେ ରହିଛି। ଉଦ୍ବେଗର କଥା ଯେ ମାତ୍ର ୯.୨ ପ୍ରତିଶତ ମାମଲାରେ ଅପରାଧୀ ଦଣ୍ଡିତ ହୋଇଛନ୍ତି। ବଡ଼କଥା ହେଉଛି ଯାହାକୁ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ବିଚାର କରି ସରକାର ରେଡ୍ ଫ୍ଲାଗ ମାମଲାରେ ଅନ୍ତର୍ଭୁକ୍ତ କରୁଛନ୍ତି ସେଥିରେ ବି ଦଣ୍ଡବିଧାନ ହାର ୫୨.୧୭ ପ୍ରତିଶତ ରହିଛି। ଏହାଛଡ଼ା ବର୍ଷ ବର୍ଷ ବିତିଯାଉଥିଲେ ବି ଅନେକ ମାମଲାରେ ଚାର୍ଜସିଟ୍ ଦାଖଲ ହେଉନାହିଁ। ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ହେଉନଥିବାରୁ ଅପରାଧୀ ଖସିଯାଉଛନ୍ତି। ସୋମବାର ଦିନ ବିଧାନସଭାରେ ମହିଳା ବିରୋଧୀ ଅପରାଧ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ରଖିଛନ୍ତି।
ଅନ୍ୟପଟେ ମହିଳାମାନଙ୍କ ବିରୋଧରେ ଘଟୁଥିବା ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ରେଡ୍ ଫ୍ଲାଗ୍ ପର୍ଯ୍ୟାୟଭୁକ୍ତ କରାଯାଇଛି। ଉକ୍ତ ମାମଲାର ବିଚାର ପ୍ରକ୍ରିୟାକୁ ସଠିକ୍ ଭାବେ ପରିଚାଳନା ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଅଧିକାରୀ ଓ ସରକାରୀ ଓକିଲ(ପିପି)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
/sambad/media/post_attachments/wp-content/uploads/2022/07/cri-229x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/rape.jpg)