ଭୁବନେଶ୍ବର: ବିଧାନସଭା ବାହାର ରଣକ୍ଷେତ୍ର ପାଲଟିଥିଲା ବେଳେ ଭିତର ବି ହୁଲସ୍ତୁଲ ହୋଇଥିଲା। ଯେତିକି ସମୟ ବିରୋଧୀ ଦଳର ସଭ୍ୟ ଗୃହରେ ଥିଲେ, ସେତିକି ସମୟ ଗୃହ କମ୍ପାଇଥିଲେ। ବିଜେଡି ସଭ୍ୟମାନେ ସରକାରୀ ଦଳକୁ ତୀବ୍ର ଭର୍ତ୍ସନା କରିଥିଲା ବେଳେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଭୁଲ ବୋଲି ଦର୍ଶାଇଥିଲେ। ତେବେ ସରକାରୀ ଦଳର ବିଧାୟକମାନେ ଆଜି ଆକ୍ରମଣାତ୍ମକ ନ ହୋଇ ରକ୍ଷଣାତ୍ମକ ଢଙ୍ଗରେ ମନ୍ତବ୍ୟ ଦେଉଥିବା ଦେଖାଯାଇଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଠିଆ ହୋଇ ଗତକାଲି ରାତିରେ କଂଗ୍ରେସ ବିଧାୟକଙ୍କ ପ୍ରତି କି ଆଚରଣ କରାଯାଇଛି ସେ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲେ। ତେବେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାରୁ ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରି ବାହାରକୁ ଚାଲିଯାଇଥିଲେ। ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ସେମାନେ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ସେଠାରେ ଧାରଣା ଦେଇଥିଲେ। ବିନା ବିରୋଧୀ ଦଳରେ ପ୍ରଶ୍ନକାଳ ଜାରି ରହିଲା। ପ୍ରାୟ ୨୦ ମିନିଟ୍‌ ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହ ଭିତରକୁ ଆସିଥିଲେ। ସେମାନେ ସିଧାସଳଖ ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ବଜାଇଥିଲେ। ବାଚସ୍ପତି ସେମାନଙ୍କୁ ବାରଣ କରିଥିଲେ ବି ସେମାନେ ଶୁଣି ନଥିଲେ। 

Advertisment

ଦିନ ୧୧ଟା୩୦ରେ ଶୂନ୍ୟକାଳ ଆରମ୍ଭ ହେଲା ପରେ ବିଜେଡି ବିଧାୟକମାନେ ଗୃହ ଭିତରକୁ ଆସିଲେ। ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ କଂଗ୍ରେସର ଦୁଇ ବିଧାୟକଙ୍କୁ ନିଲମ୍ବନ କରିବା ପାଇଁ ‌ପ୍ରସ୍ତାବ ଆଣିଲେ। ତାହାକୁ ଶାସକ ଦଳର ସଭ୍ୟମାନେ ସମର୍ଥନ କରିଥିଲେ। ବାଚସ୍ପତି ଉଭୟଙ୍କୁ ଗୃହରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଲେ। କିନ୍ତୁ ବିଜେଡି ସଭ୍ୟମାନେ ଏହାର ପ୍ରତିବାଦ କରିଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ବିଧାନସଭା ଇତିହାସରେ ଅଭୂତପୂର୍ବ ଘଟଣା‌ ଘଟୁଛି। ବିରୋଧୀ ଦଳର ଅଧିକାର ଅଛି ନିଜ ମତ ରଖିବାର ଓ ପ୍ରତିବାଦ କରିବାର। କିନ୍ତୁ ସରକାର ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ୁଛନ୍ତି। ଗାଣତନ୍ତ୍ରିକ ରାଷ୍ଟ୍ରରେ ବିଧାୟକଙ୍କ ଉପରେ ଯେପରି ବଳପ୍ରୟୋଗ କରାଗଲା, ତାହା ନିନ୍ଦନୀୟ। ଆମେ ତ ଆଜି ବିଶୃଙ୍ଖଳା କରି ନଥିଲୁ। କିନ୍ତୁ ପୁଲିସ ଆମକୁ ବି ଠେଲାପେଲା କଲେ। ଆପଣ ସେଠାକୁ ପୁଲିସ ପଠାଇଥିଲେ କି? ଆପଣ ଏହା ଉପରେ ବିବୃତି ରଖନ୍ତୁ। 

ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ମାଡାମ୍‌ ଆପଣଙ୍କ ବ୍ୟକ୍ତିଗତ ଏଜେଣ୍ଡା କ’ଣ, ଆମକୁ ଜଣାନ୍ତୁ। ଆମେ ତିନି ଦିନ ହେଲା ଏସ୍‌ସି, ଏସ୍‌ଟି ଓ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି ପାଇଁ ସଂରକ୍ଷଣ ଦାବି କରୁଛୁ। ବାରମ୍ବାର ନୋଟିସ୍ ଦେଉଛୁ। ଆପଣ ତାହାକୁ ବିଭିନ୍ନ ଆଳ ଦେଖାଇ ଗ୍ରହଣ କରୁନାହାନ୍ତି। ଏହା ଏକପାଖିଆ ନୁହେଁ ତ ଆଉ କଣ? ୧୦/୧୫ ଦିନ ତଳୁ ବିରୋଧୀ ଦଳ କିଛି ଦାବି କଲେ। କିନ୍ତୁ ତାହାକୁ ସରକାର ଶୁଣିଲେନି। ଗଣ୍ଡଗୋଳ ବେଳେ ଆପଣ ଏକପାଖିଆ ନିଷ୍ପତ୍ତି ନେଲେ। ୪୦ ବର୍ଷରେ ଏମିତି କେବେ ଦେଖି ନଥିଲୁ। ଯେ କୌଣସି ଦଳର ବିଧାୟକ ହୁଅନ୍ତୁ, ଗୃହ ଆମର। ତାହା ଭିତରେ ଆପଣ ପୁଲିସକୁ କାହିଁକି ଭର୍ତ୍ତି କଲେ? ଆପଣ ଓ ଗୃହର ନେତା ସମାଧାନର ବାଟ ବାହାର କରନ୍ତୁ। ଆପଣଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଏହି ସ୍ଥିତି ସୃଷ୍ଟି ହେଉଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, ଗତକାଲି ରାତିରେ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ଗୃହରୁ ବିଦା କରିଦିଆଗଲା ବୋଲି ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ। ଏଥିରେ କିଛି ବିଧାୟକ ଆହତ ବି ହୋଇଛନ୍ତି। ଏ ନେଇ ଆପଣ ସ୍ପଷ୍ଟୀକରଣ ଦିଅନ୍ତୁ। 

ସରକାରଙ୍କୁ ଭର୍ତ୍ସନା କଲେ ବିଜେଡି ସଭ୍ୟ
କଂଗ୍ରେସ ନଥିଲା, ସର୍ବଦଳୀୟ ବୈଠକ ଫେଲ୍‌
ବିନା ବିରୋଧୀ ଦଳରେ ଚାଲିଲା ଗୃହ

ଅରୁଣ ସାହୁ କହିଲେ, ଆରମ୍ଭରୁ କଂଗ୍ରେସ ମହିଳା ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲା। ତାହାକୁ ମାନି ନେଇଥିଲେ ବେଦ ଅଶୁଦ୍ଧ ହୋଇ ନଥା’ନ୍ତା। ତାହା ପରେ ସେମାନେ ଗୃହ କମିଟି ଦାବି କଲେ। ସେଥିରେ ସରକାର ସମ୍ମତି ଦେଲେନି। ଯେତେବେଳେ ବିରୋଧୀଙ୍କ କଥା ନରହିବ, ସେମାନେ ପ୍ରତିବାଦର ଭିନ୍ନ ତରିକା ଆପଣାଇବେ। ଏଥିରେ ନୂଆ କଥା କ’ଣ ଅଛି? କିନ୍ତୁ ସରକାର ଗୃହକୁ ଚଳାଇବାକୁ ଚାହୁନାହିଁ। ଆଲୋଚନା ନ ହେଲେ ସେମାନଙ୍କର ଭଲ। କାଲି ରାତିରେ ବିଧାନସଭା ସମ୍ମୁଖର ଘଟଣା ଦେଖିଲେ ଲାଗୁଥିଲା ‌ଯେମିତି ଇସ୍ରାଏଲ୍‌-ପାଲେଷ୍ଟାଇନ୍ ଯୁଦ୍ଧ ଚାଲିଛି। ଏହା ବିଧାନସଭା ନା ଯୁଦ୍ଧକ୍ଷେତ୍ର। ସରକାର ବୁଝିବା କଥା, ‘ଶାନ୍ତି’ ହେଉଛି ଓଡ଼ିଆ ଅସ୍ମିତାର ପରିଚୟ। ଆଜି ଅସ୍ମିତା ଧ୍ବଂସ ପାଇଗଲା। 

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଲେ, ଗଣତନ୍ତ୍ରରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି। କିନ୍ତୁ ତରିକା କ’ଣ ହେବା ଦରକାର, ତାହାର ବି ବିଧିବିଧାନ ଅଛି। ଗଣତନ୍ତ୍ରକୁ ହତ୍ୟା କରିବାର ଅଧିକାର କଂଗ୍ରେସ ବିଧାୟକଙ୍କୁ କିଏ ଦେଲା? ବାବୁ ସିଂହ କହିଲେ, ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଆଚରଣକୁ ଆମେ ନିନ୍ଦା କରୁଛୁ। କଂଗ୍ରେସ ଦଳର ନୂଆ ସଭାପତି ଜାଣିଶୁଣି ଏମିତି କରାଉଥିବାର କୁହାଯାଉଛି। ତାଙ୍କ ଦଳର ସଭାପତିଙ୍କ ଇସାରାରେ କ’ଣ ବିଧାନସଭା ଚାଲିବ। କଂଗ୍ରେସକୁ ଆଗକୁ ରଖି ବିଜେଡି ନିଆଁ ଚେଙ୍କୁଛି। ପଦ୍ମଲୋଚନ ପଣ୍ଡା କହିଲେ, ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ବାଭାବିକ ଆଣିବାକୁ ଉଦ୍ୟମ କରନ୍ତୁ। ଓମ୍‌ପ୍ରକାଶ ମିଶ୍ର ଓ ସନାତନ ବିଜୁଳି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଯଥାର୍ଥ କହିଥିଲେ। 

ଗତକାଲିର ଘଟଣା ସମ୍ପର୍କରେ ବିବୃତି ଦେବେ ବୋଲି ବାଚସ୍ପତି କହିଥିଲେ ବି ବିଜେଡି ସଭ୍ୟମାନେ କକ୍ଷତ୍ୟାଗ କରିଥି‌ଲେ। କଂଗ୍ରେସର ଦୁଇ ବିଧାୟକ ମଧ୍ୟ ଘଣ୍ଟ ବାଡ଼େଇ ବାହାରକୁ ଚାଲିଯାଇଥିଲେ। ଏହା ପରେ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିନା କଂଗ୍ରେସ ଦଳରେ ବୈଠକ ହୋଇଥିଲେ ବି କିଛି ନିଷ୍କର୍ଷ ବାହାରି ନଥିଲା। ଫଳରେ ପ୍ରଥମାର୍ଦ୍ଧରେ ଆଉ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ବାଚସ୍ପତିଙ୍କ ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ। ଏହା ପରେ ବାଚସ୍ପତି ବିବୃତି ରଖ‌ିବେ ବୋଲି ଘୋଷଣା କରିବା ସହ ବିଜେଡି ବିଧାୟକମାନଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କୁ ପଠାଇଥିଲେ। ସେମାନେ ମଧ୍ୟ ଗୃହକୁ ଫେରିଥିଲେ। ବାଚସ୍ପତି ବିବୃତି ରଖିଲା ପରେ ତାହାକୁ ଗ୍ରହଣ କରି ନଥିଲେ ବିଜେଡି ବିଧାୟକ। ବାଚସ୍ପତିଙ୍କ ମନ୍ତବ୍ୟ ଏକପାଖିଆ ବୋଲି ଅଭିଯୋଗ କରି ସେମାନେ ଗୃହ କାର୍ଯ୍ୟ ବର୍ଜନ କରି ଚାଲିଯାଇଥିଲେ। ବିରୋଧୀ ଦଳର ଅନୁପସ୍ଥିତିରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା।